ଭୁବନେଶ୍ୱର,୧୮/୧୧/୨୦୨୨(ଓଡ଼ିଶା ସମାଚାର)- ସାମ୍ବାଦିକଙ୍କ ସୂଚନା ସତ୍ୟ ଓ ତଥ୍ୟ ସମ୍ବଳିତ ହେବା ଦରକାର, ଯାହା ରାଷ୍ଟ୍ରର ବିକାଶ ପାଇଁ ବ୍ୟବହାର କରାଯାଇପାରିବ ବୋଲି ରାଜ୍ୟ ସୂଚନା ଆୟୁକ୍ତ ଦିଲୀପ ବିଶୋଇ ପ୍ରକାଶ କରିଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପକ୍ଷରୁ ଆୟୋଜିତ ‘ଜାତୀୟ ପ୍ରେସ୍ ଦିବସ’ ପାଳନ ଅବସରରେ ଶ୍ରୀ ବିଶୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଥିଲେ। କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଦୟାନିଧି ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଥିଲେ ଯେ ସମ୍ପ୍ରତି ଗଣମାଧ୍ୟମ ଶକ୍ତି ପ୍ରଦର୍ଶନ ପାଇଁ ଏକ ମାଧ୍ୟମ ପାଲଟିଛି। ବିଶ୍ବବିଦ୍ୟାଳୟ ଲୋକ ପ୍ରଶାସନ ବିଭାଗ ସହକାରୀ ପ୍ରଫେସର ଜ୍ୟୋତିର୍ମୟୀ ଟୁଡୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଡ. ହେମନ୍ତ ଦାଶ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଡ. ରମାକାନ୍ତ ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ଛାତ୍ରୀ ସୁଦେଷ୍ଣା ଲେଙ୍କା ଓ ଅଙ୍କିତା ପାଢ଼ୀ, ଛାତ୍ର ନେତାଜୀ ତାପସ ସାହୁ ଓ ଅଂଶୁମାନ ସାହୁ ‘ଜାତୀୟ ପ୍ରେସ୍ ଦିବସ’ର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଛାତ୍ରୀ ଶୁଭଲକ୍ଷ୍ମୀ ଦାସ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।