Friday , December 9 2022
Breaking News
Home / କୃଷି / କେନ୍ଦ୍ରାପଡାରେ ଜିଲ୍ଲା ସ୍ତରୀୟ ଧାନ କ୍ରୟ ବୈଠକ : ୨୮ଡିସେମ୍ବରରୁ ଖୋଲିବ ଧାନମଣ୍ଡି

କେନ୍ଦ୍ରାପଡାରେ ଜିଲ୍ଲା ସ୍ତରୀୟ ଧାନ କ୍ରୟ ବୈଠକ : ୨୮ଡିସେମ୍ବରରୁ ଖୋଲିବ ଧାନମଣ୍ଡି

କେନ୍ଦ୍ରାପଡ଼ା,୧୮/୧୧/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଧାନ କ୍ରୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଡିସେମ୍ବର ୨୮ତାରିଖରୁ ୧୧୮ଟି ମଣ୍ଡିରେ ଧାନକ୍ରୟ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ମଣ୍ଡି ଗୁଡିକର ଭିତିଭୂମୀ ଓ ଧାନର ମାନ ନିର୍ଦ୍ଧାରଣ କରିବା ସହ ଉପଯୋଗୀ ଯନ୍ତ୍ରପାତି ଗୁଡିକର ମରାମତି ବା ଅଚଳ ଯନ୍ତ୍ରପାତି ଗୁଡିକୁ ବଦଳାଇବାକୁ ଉପଜିଲ୍ଲାପାଳ, ବେସାମରିକ ଯୋଗାଣ ଅଧିକାରୀ ଓ ସଂପୃକ୍ତ ଅଧିକାରୀମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ କୃଷି ସମବାୟ ସମିତି ମାଧ୍ୟମରେ ଚଳିତବର୍ଷ ଶତକଡା ୯୦ଭାଗ ଧାନ ସଂଗ୍ରହ କରିବା ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଛି । ଗତ ବର୍ଷ ୪୦ହଜାର ଚାଷୀ ଧାନବିକ୍ରୀ ପାଇଁ ପଞ୍ଜିକରଣ କରିଥିବା ବେଳେ ଏବର୍ଷ ଜୁଲାଇମାସ ସୁଦ୍ଧା ୪୪ହଜାରରୁ ଉଦ୍ଧ୍ୱର୍ ଚାଷୀ ପଞ୍ଜିକରଣ କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲାରେ ଚଳିତ ବର୍ଷ ନୂତନ ଭାବେ ସାଟେଲାଇଟ ଯାଂଚ ମାଧ୍ୟମରେ ପଞ୍ଜିକୃତ ଜମିରେ ଚାଷ ହୋଇଛି କି ନାହିଁ ପରୀକ୍ଷା କରାଯିବାର ବ୍ୟବସ୍ଥା କରାଯାଇଛି । ଫଳରେ ଚାଷୀମାନଙ୍କ ଠାରୁ ଧାନ ସଂଗ୍ରହରେ ସ୍ୱଛତା ଅବଲମ୍ବନ କରାଯିବା ସହ କ୍ଷୁଦ୍ର ଓ ମଧ୍ୟମ ଚାଷୀମାନଙ୍କ ଠାରୁ ଟୋକନ ମାଧ୍ୟମରେ ଧାନ ସଂଗ୍ରହ କରାଯାଇପାରିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ତିନି ଚାରି ଦିନ ମଧ୍ୟରେ ମଣ୍ଡି ଗୁଡିକୁ ତନଖି କରି ଏହାର ଭିତିଭୂମୀ ସଜାଡିବାକୁ ବେସାମରିକ ଯୋଗାଣ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । ଧାନ ସଂଗ୍ରହ ପାଇଁ ଆର.ଏମ.ସି. ମାଧ୍ୟମରେ ଯେପରି ପ୍ରଚାର ପ୍ରସାର କରାଯାଉଛି ସେହିପରି ମୁଗ ସଂଗ୍ରହ ପାଇଁ ସଚେତନତା ସୃଷ୍ଟି କରାଯିବାର ଆବଶ୍ୟକତା ରହିଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । କେନ୍ଦ୍ରାପଡାର ଚାଷୀମାନେ ବନ୍ୟା,ବାତ୍ୟା ପାଇଁ କ୍ଷତିଗ୍ରସ୍ତ ହେଉଛନ୍ତି । ସୁନିୟନ୍ତ୍ରିତ ବ୍ୟବସ୍ଥା, ସମସ୍ତଙ୍କ ସହଯୋଗ ଓ ସହଭାଗୀତାରେ ଧାନ ସଂଗ୍ରହ କରିପାରିଲେ କ୍ଷୁଦ୍ର ଓ ମଧ୍ୟମ ଚାଷୀମାନଙ୍କର ସ୍ୱାର୍ଥରକ୍ଷା ହୋଇପାରିବ ଏବଂ ସଠିକ ଢଙ୍ଗରେ ଚାଷୀଙ୍କ ଜମାବହିକୁ ବିକ୍ରୀଲବ୍ଧ ଅର୍ଥ ଯାଇପାରିବ ଏବଂ ସରକାରଙ୍କ ମୂଳ ଲକ୍ଷ୍ୟ ପୁରଣ ହୋଇପାରିବ ବୋଲି ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳି ସେଠୀ ପ୍ରକାଶ କରିଥିଲେ । ତାଳଚୂଆ, ଡାଙ୍ଗମାଳ ଓ ଈଶ୍ୱରପୁରରେ ଧାନମଣ୍ଡି ଖୋଲିବାକୁ ରାଜନଗର ବିଧାୟକଙ୍କ ପ୍ରତିନିଧି ତଥା ଜିଲ୍ଲା ପରିଷଦ ଉପସଭାପତି ଅଶୋକ କୁମାର ପ୍ରତିହାରୀ ପ୍ରଶାସନକୁ ଅନୁରୋଧ କରିଥିଲେ । ଚଳିତବର୍ଷ ପ୍ରଥମ କିସ୍ତିରେ ୮୪୮୦୮.୮୨ମେଟ୍ରିକ ଟନ ଧାନ ଚାଷୀଙ୍କ ଠାରୁ ସଂଗ୍ରହ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଧାନ ସଂଗ୍ରହକୁ ସୁନିୟନ୍ତ୍ରିତ କରିବା ଉଦେଶ୍ୟରେ ଆପତି, ଅଭିଯୋଗ ଓ ପରାମର୍ଶ ପାଇଁ ବେସାମରିକ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ୨୪ଘଂଟିଆ ନିୟନ୍ତ୍ରଣ କକ୍ଷ ଖୋଲିବାକୁ ବ୍ୟବସ୍ଥା କରାଯାଇଛି ଏବଂ ଟାସ୍କ ଫୋର୍ସ ଗଠନ କରାଯାଇଛି ବୋଲି ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ ମତବ୍ୟକ୍ତ କରିଥିଲେ । ଏହି ବୈଠକରେ ଉପଜିଲ୍ଲାପାଳ ନିରଞ୍ଜନ ବେହେରା, ପାଟକୁରା ବିଧାୟିକାଙ୍କ ପ୍ରତିନିଧି ସଞ୍ଜୟ ଅଗ୍ରୱାଲ, ମହାକାଳପଡା ବିଧାୟକଙ୍କ ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସ, ବେସାମରିକ ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ, ଜିଲ୍ଲା ସ୍ତରୀୟ ଅଧିକାରୀ, ମାପ ଓଜନ ନିରୀକ୍ଷକ, ଆର.ଏମ.ସି. ପଦାଧିକାରୀ, ସମବାୟ ସମିତିର ସମ୍ପାଦକ, ମିଲର ଓ ଚାଷୀ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଉପଜିଲ୍ଲାପାଳ ସୂଚନା ପ୍ରଦାନ କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.