କଳାହାଣ୍ଡି ,୧୮/୧୧/୨୨ (ଓଡ଼ିଶା ସମାଚାର/ସଂଜୟ ସିଂହ)- କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଗାଁକୁ ରାସ୍ତା , ମାଁ କୁ ସମ୍ମାନ ର ଡିମ୍ ଡିମ ପିଟୁ ଥିବା ବେଳେ ସରକାର ଙ୍କ ଏହି ବାର୍ତ୍ତା ଦୁର୍ଗମ ଅଞ୍ଚଳ ରେ ବାଟବଣା ହୋଇଯାଇଛି । ଆଜି ପର୍ୟ୍ୟନ୍ତ ସରକାର ଙ୍କ ମାଳମାଳ ଯୋଜନା ଅପହଞ୍ଚ ଇଲାକାରେ ସାତ ସପନ ପାଲଟିଛି। ବିକାଶ ନାଁ ରେ କୋଟି କୋଟି ଟଙ୍କା ପାଣି ବହିଲା ପରି ଖର୍ଚ୍ଚ କରାଯାଉଛି କିନ୍ତୁ ଦୁର୍ଭାଗ୍ୟର ବିଷୟ ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଅନେକ ଗାଁ ଗୁଡ଼ିକ ଅବହେଳିତ ଅବସ୍ଥାରେ ପଡ଼ିରହିଛି। ଶିଶୁ ଓ ମାତୃ ମୃତ୍ୟୁହାରକୁ ଦୃଷ୍ଟି ଦେଇ ଯୋଜନା ଉପରେ ଯୋଜନା କରିଚାଲୁଛନ୍ତି । ହେଲେ ଦିନକୁ ଦିନ ଶିଶୁ ଓ ମାତୃ ମୃତ୍ୟୁହାର ବୃଦ୍ଧି ପାଉଛି। ଜନନୀ ଯନ୍ତ୍ରଣାରେ ଛଟ ପଟ ହେଉଛନ୍ତି ଦୁର୍ଗମ ଅଞ୍ଚଳ ର ଗର୍ତ୍ତବତୀ ମହିଳା ମାନେ । ଠିକ୍ ସମୟରେ ମେଡିକାଲରେ ପହଞ୍ଚି ପାରୁନାହାନ୍ତି । ବିଳମ୍ବ ଯୋଗୁଁ ଅନେକ ଗର୍ଭବତୀ ଏବଂ ନବଜାତ ଶିଶୁ ମୃତ୍ୟୁ ମୁଖରେ ପଡିଥାନ୍ତି। ରାସ୍ତା ଘାଟର ଅଭାବ ହେଉ କିମ୍ବା ଆମ୍ବୁଲାନ୍ସ ର ବିଳମ୍ବ ହେତୁ ଏମାନେ ମୃତ୍ୟୁ ସହିତ ସଂଗ୍ରାମ କରିଥାନ୍ତି।
ଏହିପରି ଏକ ଘଟଣା କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ବଣପାହାଡ଼ ଘେରା ଦୁର୍ଗମ ଥୁଆମୂଳ ରାମପୁର ବ୍ଳକ ରେ ଦେଖିବାକୁ ମିଳିଛି । ଏହି ବ୍ଲକ୍ ର ସିଲେଟ୍ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଦାଣ୍ଡ ପଦର ଗ୍ରାମ ର ଜଣେ ଗର୍ଭବତୀ ମହିଳା ଗର୍ଭବେଦନାରେ ଛଟ ପଟ ହେଉଥିଲେ । ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଗାଁ କୁ ପହଞ୍ଚି ପାରିନଥିଲା । ଯାହାଫଳରେ ଏହି ଗାଁ ର ଗର୍ଭ ବେଦନାରେ ଛଟ ପଟ ହୋଉଥିବା ଜୀବନ ଦେଇ ମାଝୀ ନାମକ ଜଣେ ଗର୍ତ୍ତବତୀ ମହିଳା ଏହି ଦୁର୍ଦ୍ଦଶା ର ଶିକାର ହୋଇଥିଲେ। ସାତ କିଲୋମିଟର ପର୍ୟ୍ୟନ୍ତ ଷ୍ଟ୍ରେଚରେ ବୁହାହୋଇ ଆମ୍ବୁଲାନ୍ସ ପାଖରେ ପହଞ୍ଚିଥିଲେ। ସେପଟେ ଜୀବନ ଦେଇ ମାଝୀ ଏକ ମୃତ ଶିଶୁ ଜନ୍ମ କରିଥିବା ସୁଚନା ମିଳିଛି। ଡୁଡୁଙ୍ଗ୍ ପାଟା ନଦୀ ପାର କରି ମହିଳା ଙ୍କୁ ରାୟଗଡ଼ା ଜିଲ୍ଲା କାଶୀପୁର ମେଡିକାଲ ରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ତାଙ୍କର ସ୍ଵାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଥିବା ଯୋଗୁଁ ରାୟଗଡା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାସ୍ଥର କରାଯାଇଥବା ଜଣାପଡିଛି। ଓଡ଼ିଶା ସମାଚାର