Thursday , June 1 2023
Breaking News
Home / ସ୍ୱାସ୍ଥ୍ୟ / ଏମ୍ସ ପକ୍ଷରୁ ମଧୁମେହ ଚିକିତ୍ସା ସଚେତନତା

ଏମ୍ସ ପକ୍ଷରୁ ମଧୁମେହ ଚିକିତ୍ସା ସଚେତନତା

ଭୁବନେଶ୍ୱର,୧୮/୧୧/୨୦୨୨(ଓଡ଼ିଶା ସମାଚାର)-ମଧୁମେହ ନିୟନ୍ତ୍ରଣ ତଥା ମଧୁମେହ ସମ୍ବନ୍ଧୀୟ ଜଟିଳତାକୁ ରୋକିବା ପାଇଁ ଉପଯୁକ୍ତ ଚିକିତ୍ସା, ପୁଷ୍ଟିକର ଖାଦ୍ୟ, ନିୟମିତ ବ୍ୟାୟାମ, ଇନସୁଲିନର ସଠିକ୍ ପ୍ରୟୋଗ ଏବଂ କ୍ରମାଗତ ଗ୍ଲୁକୋଜ ମନିଟରିଂ (ସିଜିଏମ୍)ର ବ୍ୟବହାର ହେଉଛି ପ୍ରମୁଖ ମାଧ୍ୟମ। ଏମ୍ସ ଭୁବନେଶ୍ବର ପକ୍ଷରୁ ‘ଆସନ୍ତାକାଲିର ସୁରକ୍ଷା ପାଇଁ ଶିକ୍ଷା’ ଶୀର୍ଷକ ବିଷୟକୁ ନେଇ ଆୟୋଜିତ ୱାକାଥନ ଅବସରରେ କାର୍ଯ୍ୟନିର୍ବାହୀ ନିର୍ଦେଶକ ପ୍ରଫେସର ଡା. ଆଶୁତୋଷ ବିଶ୍ବାସ ଏପରି ମତ ରଖିଛନ୍ତି। ଏହି ପଦଯାତ୍ରାରେ ଡାକ୍ତର, ମେଡିକାଲ୍ ଏବଂ ନର୍ସିଂ ଛାତ୍ର ତଥା ଅନୁଷ୍ଠାନର ବହୁ ଏନ୍ ଏସ୍ ଏସ୍ ସ୍ବେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ। ଏମ୍ସରେ ମଧୁମେହ ପାଇଁ ଉତ୍ସର୍ଗୀକୃତ ଏଣ୍ଡୋକ୍ରାଇନୋଲୋଜି ୟୁନିଟ୍ ସହିତ ଅନ୍ୟାନ୍ୟ ସୁବିଧା ଉପଲବ୍ଧ ରହିଛି। ଯଦି କେହି ମଧୁମେହ ରୋଗରେ ଆକ୍ରାନ୍ତ ବୋଲି ସନ୍ଦେହ କରନ୍ତି ତେବେ ସେମାନେ ଏମ୍ସ ଭୁବନେଶ୍ବରରେ ଥିବା ଏନସିଡି କ୍ଲିନିକରେ ନିଜକୁ ଯାଞ୍ଚ କରିପାରିବେ ବୋଲି ଡା. ବିଶ୍ବାସ ସୂଚନା ଦେଇଛନ୍ତି । ଏହି ୱାକାଥନ ବିଜୁ ପଟ୍ଟନାୟକ ପୁଲିସ ଟ୍ରେନିଂ ଏକାଡେମୀ ନିକଟରୁ ଆରମ୍ଭ ହୋଇ ଏମ୍ସ ପରିସରରେ ଶେଷ ହୋଇଥିଲା। ସମସ୍ତ ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିବା ସହିତ ଡ. ବିଶ୍ୱାସ ମଧ୍ୟ ୱାକାଥନରେ ଯୋଗ ଦେଇଥିଲେ।

ଏହି ଅବସରରେ ଏମ୍ସ ଭୁବନେଶ୍ୱରର ଏଣ୍ଡୋକ୍ରାଇନୋଲୋଜି ବିଭାଗର ମୁଖ୍ୟ ଡ. କିଶୋର ବେହେରା ଲୋକଙ୍କୁ ମଧୁମେହ ଚିକିତ୍ସା ସୁବିଧା ବିଷୟରେ ଅବଗତ କରାଇଥିଲେ। ଏହି ବିଭାଗ ପ୍ରତି ସପ୍ତାହରେ ପ୍ରାୟ ୨୦୦-୨୫୦ ମଧୁମେହ ରୋଗୀଙ୍କୁ  ସେବା ଯୋଗାଇବାରେ ନିୟୋଜିତ ଅଛି। ଏହି ପଦଯାତ୍ରାରେ ମେଡିକାଲ୍ ଅଧୀକ୍ଷକ ଡା. ଏସ୍ ଏନ ମହାନ୍ତି , ଡା. ମନୋଜ ମହାନ୍ତି , ଡା. ବିନୋଦ ପାତ୍ର, ଡା. ଦେବାଶିଷ ହୋତା, ଡା. ଏମ୍ ସି ସାହୁ, ଡା. ପ୍ରଭାସ ରଞ୍ଜନ ତ୍ରିପାଠୀ ଏବଂ ଅନ୍ୟାନ୍ୟ ଅଧ୍ୟାପକ, କର୍ମଚାରୀ ଏବଂ ଛାତ୍ର ସ୍ବେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published.