Friday , December 9 2022
Breaking News
Home / ନିର୍ବାଚନ / ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ ର ଶେଷ ଦିବସରେ ପ୍ରମୁଖ ୩ଟି ଦଳ ସମେତ ମୋଟ୍ ୧୧ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି

ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ ର ଶେଷ ଦିବସରେ ପ୍ରମୁଖ ୩ଟି ଦଳ ସମେତ ମୋଟ୍ ୧୧ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି

ପଦ୍ମପୁର/ଭୁବନେଶ୍ବର, ୧୭/୧୧/୨୦୨୨(ଓଡ଼ିଶା ସମାଚାର)-  ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ ଶେଷ ହୋଇଛି। ଉପନିର୍ବାଚନ ପାଇଁ ଆଜି ଶେଷ ଦିନରେ ପ୍ରମୁଖ ୩ଟି ଦଳ ସମେତ ମୋଟ୍ ୧୧ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଶାସକ ବିଜୁ ଜନତା ଦଳ (ବିଜେଡି) ର ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହା, ଭାରତୀୟ ଜନତା ପାର୍ଟି (ବିଜେପି) ର ପ୍ରାର୍ଥୀ ବିଧାୟକ ପ୍ରଦୀପ ପୁରୋହିତ, କଂଗ୍ରେସର ପ୍ରାର୍ଥୀ ସତ୍ୟଭୂଷଣ ସାହୁ ଓ ଓଡ଼ିଶା ଜନତା ପାର୍ଟି (ଓଜେପି) ତରଫରୁ ମୁକ୍ତେଶ୍ବର ଦାସ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଉପନିର୍ବାଚନ ପାଇଁ ଜୟନ୍ତ ଥପା, ଶେଷଦେବ ସାହୁ, ବୃନ୍ଦାବନ ପୁରୋହିତ, ରେବତୀ ଗିରି, ଉଦିତ ବଣ୍ଡିଆ, ଦେବାର୍ଚ୍ଚନ ନାଏକ ଓ ବିଦ୍ୟାଧର ପାଣ୍ଡେ ମଧ୍ୟ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି। ହେଲେ ଏକଥା ସମସ୍ତଙ୍କୁ ଜଣା ଯେ ପଦ୍ମପୁର ଉପନିର୍ବାଚନରେ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ ଅସଲ ଲଢ଼େଇ ହେବ।

ସୂଚନାଯୋଗ୍ୟ, ପଦ୍ମପୁର ଉପନିର୍ବାଚନ ଲାଗି ପ୍ରାର୍ଥିପତ୍ର ଦାଖଲର ଆଜି ଶେଷ ଦିନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ନାମାଙ୍କନ ଦାଖଲ କରିଛନ୍ତି। ଏହି ସମୟରେ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ବରଗଡ଼ ସାଂସଦ ସୁରେଶ ପୂଜାରୀ, ବରିଷ୍ଠ ନେତା କନକବର୍ଦ୍ଧନ ସିଂଦେଓ ଓ ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି  ବିଜେଡିରୁ ବର୍ଷାରାଣୀ ସିଂ ବରିହା ଆଜି ନାମାଙ୍କନ ପତ୍ର ଦାଖଲ କରିଥିଲେ। ଏହି ସମୟରେ ତାଙ୍କ ସହିତ ବିଜେଡି ନେତ୍ରୀ ସ୍ନେହାଙ୍ଗୀନୀ ଛୁରିଆ, ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ୟ୍ୟ ଓ ଶତାଧିକ ସମର୍ଥକ ଉପସ୍ଥିତ ଥିଲେ। ବର୍ଷା ସିଂ ବରିହା ନାମାଙ୍କନ ଦାଖଲ ପୂର୍ବରୁ ବୁଢ଼ା ରାଜାଙ୍କ ଆର୍ଶୀବାଦ ନେଇଥିଲେ । ତେବେ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ଏକ ବିରାଟ ଶୋଭାଯାତ୍ରାରେ ନାମାଙ୍କନ ଭରିବାକୁ ଯାଇଥିଲେ । ତାଙ୍କ ସହିତ  ପିସିସି ସଭାପତି ଶରତ ପଟ୍ଟନାୟକ ଓ ବିଧାୟକ ସନ୍ତୋଷ ସିଂ ସାଲୁଜା, ନରସିଂହ ମିଶ୍ର ଙ୍କ ସମେତ ଶତାଧିକ ସମର୍ଥକମାନେ  ଉପସ୍ଥିତ ଥିଲେ ।

ପଦ୍ମପୁର ବିଧାନସଭାର ଉପନିର୍ବାଚନ ପାଇଁ ଆଜି (୧୭ ତାରିଖ ପର୍ୟ୍ୟନ୍ତ) ମନୋନୟନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ୧୮ ତାରିଖରେ ମନୋନୟନ ପତ୍ର ଯାଞ୍ଚ କରାଯିବ ଏବଂ ୨୧ ତାରିଖ ଅପରାହ୍ନ ୩ଟା ପର୍ୟ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ସମୟ ରହିଛି । ସେହିପରି ଆସନ୍ତା ୫ ତାରିଖରେ ସକାଳ ୭ ଟାରୁ ଅପରାହ୍ନ ୪ ଘଣ୍ଟା ପର୍ୟ୍ୟନ୍ତ ଭୋଟଦାନ କରାଯିବ। ଡିସେମ୍ବର ୧୦ ତାରିଖରେ ମତଗଣନା ସହ ଫଳାଫଳ ପ୍ରକାଶ ପାଇବ।

Leave a Reply

Your email address will not be published.