ଦାବି ପୁରଣ ନହେଲେ ଦଶମ ଶ୍ରେଣୀ ସମେଟିଭ -୧ ପରୀକ୍ଷା ବର୍ଜ୍ଜନ
କେନ୍ଦ୍ରାପଡ଼ା, ୧୭/୧୧/୨୦୨୨(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲା ଏନ.ପି.ଏସ. ଶିକ୍ଷକ ସଂଘର ଏକ ବୈଠକ କେନ୍ଦ୍ରାପଡା ସରକାରୀ ହାଇସ୍କୁଲରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆସନ୍ତା ୨୦ତାରିଖ ସୁଦ୍ଧା ଯଦି ସରକାର ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କ ଦାବି ପୁରଣ ନକରନ୍ତି ତେବେ ଆଗାମୀ ଦଶମ ଶ୍ରେଣୀର ସମେଟିଭ -୧ ପରୀକ୍ଷା ପରିଚାଳନା ବର୍ଜ୍ଜନ କରାଯିବ ବୋଲି ସଂଘ ନିଷ୍ପତି ଗ୍ରହଣ କରିଛି । ୨୦୦୪ରୁ ୨୦୧୪ ମଧ୍ୟରେ ନିଯୁକ୍ତି ପାଇଥିବା ସମସ୍ତ ଚୁକ୍ତିଭିତିକ କର୍ମଚାରୀଙ୍କୁ ୨୦୧୩ନିୟମର ଅନ୍ତର୍ଭୁକ୍ତ କରି ସମାନ ସୁବିଧା ଦେବାକୁ ଓଡିଶା ସରକାରୀ ଉଚ୍ଚ ବିଦ୍ୟାଳୟର ନୂତନ ପେନସନ ଯୋଜନା କେନ୍ଦ୍ରାପଡା ଶିକ୍ଷକ ସଂଘ ଦାବି କରିଛି । ସୂଚନା ଅନୁସାରେ ୨୦୦୪ ମସିହାରେ ସରକାରଙ୍କ ଆର୍ଥିକ ସ୍ଥିତି ଭଲ ନଥିବାରୁ ସରକାର ଯୁବବର୍ଗଙ୍କୁ ୧୫ଶହ, ୨ହଜାର୫ଶହ ଟଙ୍କା ଦେଇ ଶିକ୍ଷକ ନିଯୁକ୍ତି ଦେବାକୁ ନିର୍ଦେଶନାମା ଜାରି କରିଥିଲେ । ସରକାରଙ୍କ ସେହି ନିର୍ଦେଶନାମାକୁ ସମ୍ମାନ ଜଣାଇ ଯୁବବର୍ଗ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରାଇଥିଲେ । କିନ୍ତୁ ସରକାର ୨୦୧୩ ମସିହାରେ ଠିକା ବ୍ୟବସ୍ଥା ପାଇଁ ଏକ ନୂତନ ନିୟମ ପ୍ରଣୟନ କଲେ । ସରକାର ଗତ ଅକ୍ଟୋବର ୧୬ତାରିଖରେ ଏକ ନୂତନ ନିୟମ ପ୍ରଣୟନ କରି ମୁଖ୍ୟମନ୍ତ୍ରୀ ଠିକା ପ୍ରଥାକୁ ଉଛେଦ କଲେ ଏବଂ ଯେଉଁମାନେ ଛଅ ବର୍ଷ ଠିକା ନିଯୁକ୍ତି ଭାବେ କାର୍ଯ୍ୟ କରିଥିବେ ସେମାନଙ୍କୁ ନେସନାଲ ଇନକ୍ରୀମେଂଟ ପ୍ରଦାନ କରାଯିବ । କିନ୍ତୁ ବିଧିର ବ୍ୟବସ୍ଥା ମଧ୍ୟରେ ସରକାର ୨୦୦୪ରୁ ୨୦୧୪ ମଧ୍ୟରେ ଠିକା ଭାବେ ନିଯୁକ୍ତି ପାଇଥିବା ଶିକ୍ଷକମାନଙ୍କୁ ଏଥିରୁ ବଂଚିତ କରିଛନ୍ତି ।
ସରକାର ଯଦି ଏହି ଶିକ୍ଷକମାନଙ୍କୁ ନାସନାଲ ଇନକ୍ରୀମେଂଟ ପ୍ରଦାନ ନକରନ୍ତି ତେବେ ଆସନ୍ତା ୨୦ତାରିଖରେ ରାଜ୍ୟ ସଂଘର ଆହ୍ୱାନରେ କେନ୍ଦ୍ରାପଡା ଜିଲ୍ଲାରୁ ହଜାର ହଜାର ଶିକ୍ଷକ,ଶିକ୍ଷୟିତ୍ରୀ ବିଧାନସଭା ସମ୍ମୁଖରେ ହେବାକୁ ଥିବା ସମାବେଶରେ ଯୋଗ ଦେବା ସହ ଆଗାମୀ ମାଟ୍ରିକ ପରୀକ୍ଷାରେ ଅସହଯୋଗ କରିବାକୁ ଜିଲ୍ଲା ସଂଘର ସଭାପତି ଅରୁଣ ପରମାଣିକ, ସମ୍ପାଦକ ମନୋରଞ୍ଜନ ତ୍ରିପାଠୀ, ଶିକ୍ଷକନେତା ନିରଞ୍ଜନ ବେହେରା, ମହେଶ୍ୱର ସାହୁ, ସୁବ୍ରତ କୁମାର ବରାଳ, ଶିବରାମ ପାଣି, ପ୍ରକାଶ ବେହେରା, ଶରତ ପଣ୍ଡା, ରଘୁନାଥ ଦାସ, ପ୍ରଶାନ୍ତ ଦାସ, ହେମନ୍ତ ରାଉତ, ଗଜେନ୍ଦ୍ର ସେଠୀ, ନିର୍ମଳ ସ୍ୱାଇଁ ପ୍ରମୁଖ ଘୋଷଣା କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ସତ୍ୟାନନ୍ଦ ବେଜ, ତୈ୍ରଲୋକ୍ୟନାଥ ମହାପାତ୍ର, ନିଷିଦ୍ଧ ବାରିକ, ମନୋଜ କୁମାର ପଟ୍ଟନାୟକ, ରାଜେନ୍ଦ୍ର ରାଉତ, ଅନିନ୍ଦିତା ମହାନ୍ତି, ରଶ୍ମିତା ରାୟ, ରଶ୍ମିତା ଦାସ, ପୂର୍ଣ୍ଣିମା ପ୍ରିୟଦର୍ଶିନୀ ଚୌଧୁରୀ, ପରୀକ୍ଷିତ ନାୟକ, ସୂର୍ଯ୍ୟପ୍ରକାଶ ନନ୍ଦ, ସର୍ବେଶ୍ୱର ନାୟକ, ନାରାୟଣ କାଣ୍ଡି, ଆଲୋକ କୁମାର ମଲ୍ଲିକ, ସନ୍ତୋଷ କୁମାର ଦାସ, ରଘୁନାଥ ଦାସ, ପ୍ରଶାନ୍ତ କୁମାର ଦାସ, ବିରଂଚିନାରାୟଣ ଜେଠୀ, ରଞ୍ଜନ କୁମାର ଦାସ, ଆଶୁତୋଷ ମହାନ୍ତି, ପ୍ରଭାସ ରଞ୍ଜନ ପ୍ରଧାନ ପ୍ରମୁଖ ଶିକ୍ଷକ ନେତାମାନେ ଉପସ୍ଥିତ ଥିଲେ ।