ଏହାଦ୍ବାରା ପାଠପଢାରେ ଏକ ପ୍ରତିଯୋଗିତାମୂଳକ ମନୋଭାର ସୃଷ୍ଟି ହେବ
ଭୁବନେଶ୍ବର, ୧୬/୧୧/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୫ଟି ରୂପାନ୍ତରିତ ସ୍କୁଲ ତଥା ଅନ୍ୟ ସ୍କୁଲମାନଙ୍କ୍ ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି କାର୍ୟ୍ୟକ୍ରମରେ ଶିକ୍ଷାର ଉତ୍କର୍ଷ ଲାଭ କରୁଥିବା ସ୍କୁଲ ଛାତ୍ରଛାତ୍ରୀ, ଶିକ୍ଷାନୁଷ୍ଠାନ ଓ ପ୍ରଧାନଶିକ୍ଷକ, ଶିକ୍ଷକ-ଶିକ୍ଷୟିତ୍ରୀ, ସରପଞ୍ଚ ସ୍କୁଲ ପରିଚାଳନା କମିଟି ତଥା ପୁରାତନ ଛାତ୍ରମାନଙ୍କୁ ସେମାନଙ୍କ ଅବଦାନ ପାଇଁ ବର୍ଷକୁ ୧୦୦ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି। ବ୍ଲକ୍, ଜିଲ୍ଲା ଓ ରାଜ୍ୟସ୍ତରରେ ଏହି ପୁରସ୍କାର ପ୍ରଦାନ କରାଯିବ। ୫୦ ହଜାର ଛାତ୍ର ଛାତ୍ରୀ, ୧୫୦୦ ପ୍ରଧାନ ଶିକ୍ଷକ ଓ ଶିକ୍ଷକ-ଶିକ୍ଷୟିତ୍ରୀ, ସ୍କୁଲ ପରିଚାଳନା କମିଟି ସରପଞ୍ଚ ପୁରାତନ ଛାତ୍ର ମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ଆଜି ସ୍ଥାନୀୟ ୟୁନିଟ-୯ ସ୍ଥିତ ସରକାରୀ ହାଇସ୍କୁଲରେ ରାଜ୍ୟସ୍ତରୀୟ ଶିଶୁ ଦିବସ ଉତ୍ସବର ଉଦ୍ୟାପନୀ ସମାରୋହରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ପୁରସ୍କାର ଘୋଷଣା କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓ ମାଧ୍ୟମିକ ଶିକ୍ଷା ପରିଷଦ ପାଇଁ ଡିଜି ଲକର ବ୍ୟବସ୍ଥାର ଶୁଭାରମ୍ଭ ମଧ୍ୟ କରିଛନ୍ତି। ଏହି ଭର୍ଚୁଆଲ ଲକରରେ ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ, ମାର୍କ ସିଟ୍ ଓ ଅନ୍ୟାନ୍ୟ ଡକ୍ୟୁମେଣ୍ଟ ସୁରକ୍ଷିତ ରହିପାରିବା ସହିତ ସୁବିଧାରେ ଉପଲବ୍ଧ ମଧ୍ୟ ହେବ । ଏଥିରେ ଚୋରି ବା ହଜି ଯିବାର କୌଣସି ସମ୍ଭାବନା ରହିବ ନାହିଁ । ଏହାଦ୍ବାରା ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଅନଲାଇନରେ ପାସଓ୍ବାର୍ଡ ଦେଇ ନିଜର ଡକ୍ୟୁମେଣ୍ଟକୁ ସହଜରେ ଡାଉନଲୋଡ କରିପାରିବେ । ଏହାସହ ମୋ ସ୍କୁଲକୁ ୫ ବର୍ଷ ପୂରିଥିବାରୁ ଏହାର ସଫଳ ଯାତ୍ରାକୁ ନେଇ ଏକ କଫି ଟେବୁଲ ବହିର ଉନ୍ମୋଚନ କରାଯାଇଛି । ସେହିପରି ପିଲାମାନଙ୍କ ଲେଖା ଓ ପ୍ରତିଭାକୁ ନେଇ ଏକ ମ୍ୟାଗାଜିନ ଓ ନ୍ୟୁଜ୍ ଲେଟର ଉନ୍ମୋଚନ କରାଯାଇଛି ।