ଗରଦପୁର, ୧୬/୧୧/୨୦୨୨(ଓଡ଼ିଶା ସମାଚାର)-୧୧ଦିନ ହେଲା ନିଖୋଜ ଥିବା ବୃଦ୍ଧଙ୍କର ଆଜି ଗଳିତ ମୃତ ଦେହ ଉଦ୍ଧାର ହୋଇଛି । ନିଖୋଜ ବ୍ୟକ୍ତିଙ୍କ ଗଳିତ ମୃତ ଦେହ ଆଜି ପରିବାର ଲୋକମାନଙ୍କ ଦ୍ୱାରା ଉଦ୍ଧାର କରାଯାଇ ଗ୍ରାମ ସ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ମିଳିଥିବା ସୂଚନା ରୁ ଜଣାଯାଇଛି ଯେ ପାଟକୁରା ଥାନା ଅନ୍ତର୍ଗତ ବେଡାରୀ ଗ୍ରାମର ବଂଶୀଧର ବେହେରା (୭୮)ଗତ ୧୧ଦିନ ହେଲା ଘରୁ କେଉଁ ଆଡେ ପଳାଇ ଯାଇ ନିଖୋଜ ଥିଲେ । ପରିବାର ଲୋକମାନେ ବହୁସ୍ଥାନରେ ତାଙ୍କୁ ଖୋଜା ଖୋଜି କରି ନପାଇବାରୁ ଏ ସମ୍ପର୍କରେ ବଂଶୀଧରଙ୍କ ପୁଅ ବିଜୟ ବେହେରା ପାଟକୁରା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଆଜି ପାଟକୁରା ପଂଚାୟତ ଅନ୍ତର୍ଗତ ଯମୁନାବାଦ ଗ୍ରାମ ନିକଟସ୍ଥ ଏକ ଜଙ୍ଗଲିଆ ସ୍ଥାନରେ ସ୍ଥାନୀୟ କେତେକ ଲୋକ ଜମିକୁ ଯିବା ବାଟରେ ବଂଶୀଧରଙ୍କ ଗଳିତ ମୃତଦେହ ପଡି ଥିବାର ଦେଖିଥିଲେ । ବଂଶୀଧରଙ୍କ ପରିବାରର ଲୋକମାନେ ଖବର ପାଇ ଘଟଣାସ୍ଥଳରେ ପହଚି ବଂଶୀଧରଙ୍କୁ ଚହ୍ନିଥିଲେ । ପରିବାର ଲୋକମାନେ ମୃତ ବଂଶୀଧରଙ୍କ ଗଳିତ ଶବକୁ ଉଦ୍ଧାର କରି ଗ୍ରାମ ସ୍ମଶାନରେ ସଂସ୍କାର କରିଛନ୍ତି । ମୃତ ବଂଶୀଧରଙ୍କର ପତ୍ନୀ,ଦୁଇ ଝିଅ ଓ ଗୋଟିଏ ପୁଅ ଅଛନ୍ତି । ବଂଶୀଧରଙ୍କ ମସ୍ତିିଷ୍କ ବିକୃତ ଥିବାରୁ କିଛି ଦିନ ପୂର୍ବରୁ ଦୁଇ/ତିନି ଥର ଘରୁ କାହାରିକୁ ନ ଜଣାଇ କେଉଁ ଆଡେ ପଳାଇ ଯାଇଥିଲେ ଓ ପରିବାର ଲୋକମାନେ ବହୁ ଖୋଜାଖୋଜି କରିବା ପରେ ତାଙ୍କୁ ବିଭିନ୍ନ ସ୍ଥାନରୁ ଘରକୁ ଆଣି ଥିବା ନେଇ ସାଧାରଣରେ ଆଲୋଚନା ହେଉଛି ।