ସ୍କୁଲ ବନ୍ଦ ପରେ ପାଠ ପଢିବାକୁ ବିପଦ ପୂର୍ଣ୍ଣ ଯାତାୟାତ କରୁଛନ୍ତି ଛାତ୍ରଛାତ୍ରୀ
ନିରାକାରପୁର, ୧୫/୧୧/୨୦୨୨ (ଓଡ଼ିଶା ସମାଚାର)- ପିଲା ଅଭାବରୁ ବିଦ୍ୟାଳୟ ବନ୍ଦ ହେଲା। କିନ୍ତୁ ଏବେ ପିଲାମାନେ ବିପଦ ସଙ୍କୁଳ ରାସ୍ତାରେ ଦୈନଦିନ ୪ କିଲୋମିଟର ସାଇକେଲରେ ଓ ଅଟୋ ରେ ଯାତାୟାତ କରୁଥିବାରୁ ପୁନର୍ବାର ସ୍କୁଲକୁ ଖୋଲିବା ପାଇଁ ଗ୍ରାମବାସୀ ଅଣ୍ଟା ଭିଡିଛନ୍ତି। ଏହି ଘଟଣା ଏବେ ଦେଖା ଦେଇଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ସରପାରୀ ପଞ୍ଚାୟତ ବଘେଇପୁଟ ଗ୍ରାମରେ। ଗ୍ରାମର ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ ପାଇଁ ଏକ ସରକାରୀ ବିଦ୍ୟାଳୟ ଥିଲା। କିନ୍ତୁ ସରକାରଙ୍କ ନିୟମ ଅନୁଯାୟୀ ଯେଉଁ ବିଦ୍ୟାଳୟରେ ୨୦ ରୁ କମ ଛାତ୍ରଛାତ୍ରୀ ରହିବେ ଉକ୍ତ ବିଦ୍ୟାଳୟକୁ ବନ୍ଦ କରି ପଞ୍ଚାୟତର ପାଖ ବିଦ୍ୟାଳୟରେ ମିଶ୍ରଣ କରିବା ପାଇଁ। ୪ ବର୍ଷ ତଳେ ଉକ୍ତ ବିଦ୍ୟାଳୟରେ ସମୁଦାୟ ପିଲା ୨୦ ଜଣ ରୁ କମ ହେବାରୁ ବିଭାଗ ଏହାକୁ ବନ୍ଦ କରିବାକୁ ନିଷ୍ପତି ନେଲା।
ପରେ ଏହାକୁ ଗ୍ରାମବାସୀଙ୍କ ତରଫରୁ ଘୋର ବିରୋଧ କରାଗଲା। ଶେଷରେ ଏହି ବିଦ୍ୟାଳୟଟି ବନ୍ଦ ହୋଇ ସେଠାରୁ ୪ କିଲୋମିଟର ଦୂର ସରପାରୀ ସ୍କୁଲ ରେ ମିଶ୍ରଣ ହେଲା। ସେହି ଦିନଠାରୁ ଛାତ୍ର ଛାତ୍ରୀ ମାନେ ସରପାରୀ ବିଦ୍ୟାଳୟକୁ ଯାଇ ପାଠ ପଢ଼ୁଛନ୍ତି। ଏଣେ ବଘେଇପୁଟ ବିଦ୍ୟାଳୟ ଗୃହ ଭୂତ୍ କୋଠୀ ହୋଇ ପଡ଼ିଛି। ଏବେ କିନ୍ତୁ ୫୦ ରୁ ଅଧିକ ଛାତ୍ରଛାତ୍ରୀ ଏହି ଗ୍ରାମରୁ ଅଟୋ ଓ ସାଇକେଲରେ ସରପାରୀ କୁ ପାଠ ପଢିବାକୁ ବଡ଼ ବିପଦପୂର୍ଣ୍ଣ ଭାବେ ଯାତାୟାତ କରୁଛନ୍ତି।ଯେହେତୁ ଏବେ ଏତେ ଛାତ୍ରଛାତ୍ରୀ ପ୍ରଥମରୁ ପଞ୍ଚମ ଶ୍ରେଣୀ ରେ ପଢିବାକୁ ଯାଉଥିବାରୁ ସରକାର ଅର୍ଥାତ୍ ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଏହାକୁ ହୃଦୟଗମ୍ କରି ପୁନର୍ବାର ଏହି ବିଦ୍ୟାଳୟଟି ଚାଲୁ କରିବାକୁ ଦାବି ହେଉଛି।