ଧୁପର, ଅଭିଷେକଙ୍କ ଅର୍ଦ୍ଧଶତକ; ତାରିଣୀଙ୍କୁ ୫ ୱିକେଟ
କଟକ, ୧୪/୧୧/୨୦୨୨ (ଓଡ଼ିଶା ସମାଚାର)-ବିସିସିଆଇ ବରିଷ୍ଠ ଆନ୍ତଃରାଜ୍ୟ ଦିନିକିଆ ଟୁର୍ଣ୍ଣାମେଣ୍ଟ ବିଜୟ ହଜାରେ ଟ୍ରଫିରେ ୨ୟ ମ୍ୟାଚ୍ ରେ ଓଡ଼ିଶା ପ୍ରଥମ ବିଜୟ ହାସଲ କରିଛି। ରବିବାର ମୁମ୍ବଇର ୱାଙ୍ଖେଡ଼େ ଷ୍ଟାଡିୟମ୍ ରେ ଖେଳା ଯାଇଥିବା ଗ୍ରୁପ୍ ‘ଡି’ ମ୍ୟାଚ୍ ରେ ଦୁର୍ବଳ ନାଗାଲାଣ୍ଡକୁ ୧୩୫ ରନ୍ ରେ ଓଡ଼ିଶା ପରାସ୍ତ କରିଛି। ରାଜେଶ ଧୁପର ଓ ଅଭିଷେକ ରାଉତଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂ କରି ଓଡ଼ିଶା ୪୮.୩ ଓଭରରେ ୨୨୪ ରନ୍ କରି ଅଲ୍ ଆଉଟ୍ ହୋଇ ଯାଇଥିଲା। ପରେ ଓଡ଼ିଶାର ପେସ୍ ବୋଲର ତାରିଣୀ ସା’ ୫ଟି ୱିକେଟ ନେବାରୁ ନାଗାଲାଣ୍ଡ ୩୫.୫ ଓଭରରେ ୮୯ ରନ୍ କରି ଅଲ୍ ଆଉଟ୍ ହୋଇ ଯାଇଥିଲା। ଏହି ବିଜୟରୁ ୪ ପଏଣ୍ଟ ପାଇ ଓଡ଼ିଶା ତା’ର ଖାତା ଖୋଲିପାରିଛି। ମଙ୍ଗଳବାର ମଧ୍ୟପ୍ରଦେଶ ବିପକ୍ଷରେ ଓଡ଼ିଶା ୩ୟ ମ୍ୟାଚ୍ ଖେଳିବ।
ଟସ୍ ଜିତି ନାଗାଲାଣ୍ଡ ଫିଲ୍ଡିଂ ନେବା ପରେ ଓଡ଼ିଶା ୩୬ ରନ୍ ରେ ୪ଟି ୱିକେଟ ହରାଇଥିଲା। ୫ମ ୱିକେଟ ପାଇଁ ରାଜେଶ ଧୁପର ଓ ଅଭିଷେକ ରାଉତ ୨୩ ଓଭରରୁ ୧୨୦ ରନ୍ ଯୋଡ଼ି ଦଳର ସ୍ଥିତି ସୁଧାରିଥିଲେ। ଅଭିଷେକ ୬୭ ବଲ୍ ରୁ ୨ଟି ଛକା ଓ ୫ଟି ଚୌକା ସହ ୬୪ ରନ୍ କରିଥିଲେ। ରାଜେଶ ୧୧୪ ବଲ୍ ରୁ ୫ଟି ଚୌକା ସହ ୭୯ ରନ୍ କରିଥିଲେ। ପରେ ଦେବବ୍ରତ ପ୍ରଧାନ ୩୪ ବଲ୍ ରୁ ୩ଟି ଚୌକା ସହ ୨୮ ରନ୍ କରିଥିଲେ। ନାଗାଲାଣ୍ଡର ଆକାଶ ସିଂହ ୫ଟି ଓ ରଙ୍ଗ୍ ସେ ସେନ୍ ଜୋନାଥନ୍ ୨ଟି ୱିକେଟ ନେଇଥିଲେ। ୨୨୫ ରନ୍ ଲକ୍ଷ୍ୟରେକ୍ଷ୍ୟରେ ନାଗାଲାଣ୍ଡ ନିୟମିତ ଭାବେ ୱିକେଟ ହରାଇଥିଲା। ୫୪ ରନ୍ ରେ ଏହା ୬ଟି ୱିକେଟ ହରାଇବା ପରେ ଏହାର ପରାଜୟ ନିଶ୍ଚିତ ହୋଇ ଯାଇଥିଲା। ଓପ୍ନର ଜୋସୁଆ ଓଜୁକୁମ୍ ୫୨ ବଲ୍ ରୁ ୩୦ ଓ ସେଦେଝାଲି ରୁପେରୋ ୫୫ ବଲ୍ ରୁ ୨୦ ରନ୍ କରିଥିଲେ। ତାରିଣୀ ସା’ ଜୀବନର ଶ୍ରେଷ୍ଠ ଲିଷ୍ଟ-ଏ ବୋଲିଂ ସଫଳତା ହାସଲକରି ୧୯ ରନ୍ ଦେଇ ୫ଟି ୱିକେଟ ନେଇଥିଲେ।