ଟ୍ରେଜେରୀ ପ୍ରତିଷ୍ଠା ପାଇଁ ଦାବି
ଗରଦପୁର, ୧୪/୧୧/୨୦୨୨(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ସଭା ଗୃହରେ କେନ୍ଦ୍ରାପଡ଼ା ଜିଲାପାଳ ଅମି୍ରତ ଋତୁରାଜଙ୍କ ପୌରୋହିତ୍ୟରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମୋଟ ୧୯୫ ଟି ଅଭିଯୋଗ ଦରଜ ହୋଇଥିବାବେଳେ ସେଗୁଡ଼ିକ ମଧ୍ୟରୁ ୨୫ ଗେଟି ସାମୂହିକ ଅଭିଯୋଗ ଓ ଅନ୍ୟ ଗୁଡ଼ିକ ବ୍ୟକ୍ତିଗତ ଅଭିଯୋଗ ରହିଥିଲା । ଗରଦପୁର ଠାରେ ଏକ ଟ୍ରେଜେରୀ ପ୍ରତିଷ୍ଠା ପାଇଁ କଂଗ୍ରେସ ନେତା ସୁବାସ ସାମଲ, ଧିରେନ୍ଦ୍ର ମିଶ୍ର , ନବାବ ପଣ୍ଡା ଦାବି କରିଥିଲେ । ଏକ ସପ୍ତାହ ମଧ୍ୟରେ ଏ ସମ୍ପର୍କରେ ପଦକ୍ଷେପ ନିଆଯିବ ବୋଲି ଜିଲାପାଳ କହିଥିଲେ । ମଶର ନରସିଂହପୁର ଗ୍ରାମର ଆରିଆନ୍ ମଲିକ ଗତ ୪ ମାସ ହେଲା ଚିତ୍ରୋପôଳା ନଦୀରେ ବୁୁଡ଼ି ପ୍ରାଣ ହରାଇଥିଲେ । ସେ ବାବଦରେ କୌଣସି ଅନୁକମ୍ପା ମୂଳକ ସାହାଯ୍ୟ ସରକାରୀ ସ୍ତରରେ ମିଳିନଥିବା ତାଙ୍କ ପିତା ରମେଶ ମଲିକ୍ ଅଭିଯୋଗ କରିଥିଲେ । ଗରଦପୁର ତହସିଲଦାର ତ୍ୱରିତ ପଦକ୍ଷେପ ନେବାକୁ ଜିଲାପାଳ ନିର୍ଦ୍ଧେଶ ଦେଇଥିଲେ । ମିଶର ଗ୍ରାମର ନୟନା ମଲିକ୍ ଙ୍କର ଗତ ୨୦୧୮ – ୧୯ ମସିହା ପୋ୍ରଭିଜନାଲ ଲିଷ୍ଟ ରେ ଆବାସ ଯୋଜନା ପାଇବାକୁ ତାଲିକାରେ ତାଙ୍କ ନାମ ଥିଲ ମଧ୍ୟ ଏବେ ବ୍ଲକ୍ ତରଫରୁ ଜାରି କରାଯାଇଥିବା ସମ୍ଭାବ୍ୟ ଆବାସ ତାଲିକାରେ ତାଙ୍କ ନାମ ନଥିବାରୁ ସେ କ୍ଷୋଭ ପ୍ରକାଶ କରିଥିଲେ । ସେହିପରି ତାରଡ଼ ଗ୍ରାମର ଜ୍ୟୋତ୍ସ୍ନାମୟୀ ଭୋଇ ଜଣେ ଭିନ୍ନକ୍ଷମ ମହିଳା । ଆଜି ପର୍ଯ୍ୟନ୍ତ ତାଙ୍କର ଭିନ୍ନକ୍ଷମ ଭତା ହୋଇନାହିଁ । ତାଙ୍କ ଭତା ଏବଂ ତାଙ୍କ ଦୂରାରୋଗ୍ୟ ଚିକିତ୍ସା ପାଇଁ ତାଙ୍କ ସ୍ୱାମୀ ଆପତି କରିଥିବାବେଳେ ଜିଲାପାଳ ତାଙ୍କୁ ତୁରନ୍ତ ୫ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଏତଦବ୍ୟତୀତ କୋସିଦା ଗ୍ରାମର ୫୦ ଡ଼ିସିମିଲ ଗୋଚର ଜମି ଦୀର୍ଘ ବର୍ଷ ହେଲା ବନ୍ତଳା ଗ୍ରାମର ଜଣେ ବ୍ୟକ୍ତିଙ୍କ ନାମରେ ପଟ୍ଟା ମିଳିଛି । ଏହି ଜମିକୁ ତୁରନ୍ତ ତଦନ୍ତ କରାଯାଇ ସାରକାରୀ ଖାତାକୁ ଫେରାଇ ଆଣିବାକୁ କୋସିଦା ଗ୍ରାମର ଦେବେନ୍ଦ୍ର ମହାନ୍ତି ଦାବି କରିଛନ୍ତି । ଦୀର୍ଘ ୪ ମାସ ହେଲା କଳାକାର ଭତା ମିଳିନଥିବାରୁ କଳାକାରମାନେ ଦୁର୍ଦିନରେ ଚଳୁଥିବାରୁ ଶୀଘ୍ର ଭତା ଟଙ୍କା ମିଳିବାକୁ ଶ୍ରୀ ଜଗନ୍ନାଇ ସଂକୀର୍ତନ ମହାସଂଘ ଓ ପାଖଡ଼ ଗ୍ରାମର କଳାକାର କ୍ଷୀରୋଦ ପ୍ରସାଦ କର ଜିଲାପାଳଙ୍କୁ ନିବେଦନ କରିଥିଲେ । ତିକନପୁର ୩୦୦ ଘର ବିଶିଷ୍ଟ ଏକ ବଡ଼ ରାଜସ୍ୱ ଗ୍ରାମ ହୋଇଥିବାବେଳେ ଏଠାରେ ଗୋଟିଏ ମାତ୍ର ଅଙ୍ଗନୱାଡ଼ି କେନ୍ଦ୍ର କାର୍ଯ୍ୟ କରୁଛି । ୨ୟ ଅଙ୍ଗନୱାଡ଼ି କେନ୍ଦ୍ର ଏହି ଗ୍ରାମ ପାଇଁ ମଂଜୁରୀ କରିବାକୁ ଜିଲାପାଳଙ୍କ ନିକଟରେ ତି୍ରିଲୋଚନ ବିଶ୍ୱାଳ, ଦେବେନ୍ଦ୍ର ନାୟକ ଙ୍କ ସମେତ ଗ୍ରାମବାସୀମାନେ ଦାବି କରିଥିଲେ । ତାରଡ଼ ଗ୍ରାମର ଲିଜାରାଣୀ ଷଣ୍ଢ ସାପ କାମୁଡ଼ାରେ ଗତ ୩ ବର୍ଷ ହେଲାଣି ମୃତ୍ୟୁ ବରଣ କରିଛନ୍ତି । ହେଲେ ଆଜି ସୁଦ୍ଧା ତହସିଲ ରୁ ଅନୁକମ୍ପା ସାହାଯ୍ୟ ତାଙ୍କ ଉତରାଧିକାରୀଙ୍କୁ ମିଳିନାହିଁ । ଏ ବାବଦରେ ୩ ଥର ହେଲାଣି ଜିଲାପାଳଙ୍କ ଶିବିରରେ ଆପତି କରୁଥିଲେ ସୁଦ୍ଧା କିଛି ଫଳ ମିଳିନାହିଁ ବୋଲି କ୍ଷୋଭର ସହ ତାଙ୍କ ସ୍ୱାମୀ ନବଘନ ଷଣ୍ଢ ଜିଲାପାଳଙ୍କୁ ଗୁହାରୀ କରିଥିଲେ । ପନ୍ଦିଆ ଗ୍ରାମର ଗୁରୁଚରଣ ସାହୁ କିଡ଼ିନୀ ରୋଗରେ ପିଡ଼ିତ ଥିବାରୁ ଆର୍ଥିକ ସହାୟତା ପାଇଁ ଆପତି କରିଥିଲେ । ଏହାଛଡ଼ା ବଡ଼ ନୟନପୁର ଗ୍ରାମର ଦଳିତ ଯୁବତୀ ଯଶୋଦା ଗୋଛାୟତ ସେହି ଗ୍ରାମର ଯୁବକ କୈଳାଶ ବାରିକଙ୍କୁ କୋର୍ଟରେ ପ୍ରେମ ବିବାହ କରିଥିଲେ ମଧ୍ୟ ଏବେ ତାଙ୍କୁ ପ୍ରତାରଣା ଦେଇ ସାଙ୍ଗରେ ନେଉନଥିବା ଯୁବତୀ ଯଶୋଦା ପୋଲିସ ଅଧିକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ । ପାଖଡ଼ ସରକାରୀ ହାଇସ୍କୁଲ ରେ ଥିବା ଖେଳ ଶିକ୍ଷକଙ୍କୁ ଅନ୍ୟ ଜିଲାକୁ ଡ଼େପୁଟେସନ୍ ରେ ବଦଳି କରିନିଆଯାଇଥିବାରୁ ପାଖଡ଼ ହାଇସ୍କୁଲକୁ ଜଣେ ଖେଳ ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ ପୂର୍ବତନ ପ୍ରଧାନ ଶିକ୍ଷକ ଦ୍ୱାରିକାନାଥ ସେନାପତି ଅଭିଯୋଗ କରିଥିଲେ । ପଳସୁଧା ଷ୍ଟେଟବ୍ୟାଙ୍କ ମ୍ୟାନେଜର ଋଣ ନଶୁଝିବା କାରଣରୁ କେତେକ ଆକାଉଂଟକୁ ହୋଲ୍ଡ କରି ରଖିଛନ୍ତି । ଫଳରେ ସେହି ଆକାଉଂଟରେ ଗରୀବ ହିତାଧିକାରୀଙ୍କ ଆସୁଥିବା ବିଭିନ୍ନ ସରକାରୀ ସହାୟତା ଯଥା: ବାର୍ଦ୍ଧକ୍ୟ/ ବିଧବା ଭତା, କାଳିଆ ଯୋଜନା/ ପ୍ରଧାନମନ୍ତ୍ରୀ କୃଷକ ଯୋଜନା , ମନରେଗା , ଗ୍ୟାସ ସବସିଡ଼ି , ନିର୍ମାଣ ଶ୍ରମିକ ସହାୟତା ଆଦିର ପଇସା ହିିତାଧିକାରୀମାନେ ଉଠାଇନପାରି ହନ୍ତସନ୍ତ ହେଉଥିବା କଥା ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲ । ସର୍ବୋପରି ବହୁ ଜନସାଧାରଣ ଆବାସ ଗୃହ ଓ ବିଜୁ ପକା ଗୃହ ପାଇବା ପାଇଁ ଅଭିଯୋଗ କରିଥିଲେ । ସେହିପରି ରାସନ କାର୍ଡ଼ରେ ନାମ ଯୋଡ଼ିବା ପାଇଁ ମଧ୍ୟ ଅଭିଯୋଗ ହୋଇଥିଲା । ଏହି ଅବସରରେ ୪ ଟି ବିଦ୍ୟାଳୟକୁ ଶିବିରରେ ଜମି ପଟ୍ଟା ପ୍ରଦାନ କରାଯାଇଥିଲା । ଶିବିରରେ ୬ ଜଣ ଭିନ୍ନକ୍ଷମଙ୍କୁ ଟ୍ରାଇ ସାଇକେଲ ଓ ହୁଇଲ ଚେୟାର ଯୋଗାଇ ଦିଆଯାଇଥିଲା । ବ୍ଲକ୍ ପରିସରରେ ଥିବା ମିଶନ ଶକ୍ତି ଗୃହକୁ ଉଦଘାଟନ କରାଯାଇଥିଲା । ଏହି ଶିବିରରେ ଏସପି ସମ୍ବିତ ସମ୍ପଦ ମଧଗର , ଉପଜିଲାପାଳ ନୀରଂଜନ ବେହେରା, ପ୍ରକଳ୍ପ ନିର୍ଦ୍ଧେଶକ ରାଜେନ୍ଦ୍ର ପଣ୍ଡା, ବିଡ଼ିଓ ଧର୍ମ ରଂଜନ ପଣ୍ଡା, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ , ବ୍ଲକ୍ ଅଧ୍ୟକ୍ଷ ଅଭୟ କୁମାର ମହାରାଜ ଙ୍କ ସମେତ ବିଭିନ୍ନ ଲାଇନ୍ ଡ଼ିପାର୍ଟମେଂଟ ର ଅଧିକାରୀ ଉପସ୍ଥିତ ଥିଲେ । ଶିବିର ପରିଚାଳନାରେ ଜିପିଇଓ ମୃଣ୍ମୟ ରାଉତ, ଏସିଓ ଖଗେଶ୍ୱର ସେଠୀ , ଏମଆଇ ସ୍ୱରୂପ ଦାସ, ଉନ୍ନୟନ ବିଭାଗ ସହକାରୀ ଚୈତନ୍ୟ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ ।