Thursday , June 8 2023
Breaking News
Home / କ୍ରୀଡ଼ା / ଚିଲିକାରେ ‘ଜଳପରୀ’ ଜିୟା- ୨୧ କିମି ସନ୍ତରଣ କରି ରେକର୍ଡ

ଚିଲିକାରେ ‘ଜଳପରୀ’ ଜିୟା- ୨୧ କିମି ସନ୍ତରଣ କରି ରେକର୍ଡ

ଦିବ୍ୟାଙ୍ଗ ବାଳିକା ର ଦୃଢ଼ ମନୋବଳ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ

ବାଲୁଗାଁ/ ଭୁବନେଶ୍ୱର,୧୪/୧୧/୨୦୨୨(ଓଡ଼ିଶା ସମାଚାର)-ଚିଲିକାରେ ଓଡ଼ିଶା ଭେଟେରାନ୍ସ କ୍ଲବ୍ ପକ୍ଷରୁ ରବିବାର ଆୟୋଜିତ ସନ୍ତରଣ କାର୍ଯ୍ୟକ୍ରମରେ ପୁରୀ ଜିଲା କୃଷ୍ଣପ୍ରସାଦ ଗଡ଼ରୁ ବାଲୁଗାଁ ପର୍ଯ୍ୟନ୍ତ ଜଳପଥରେ ଦୀର୍ଘ ୨୧ କିଲୋମିଟର ମାତ୍ର ୪ଘଣ୍ଟା ୫୭ମିନିଟ୍ ରେ ଅତିକ୍ରମ କରି ଜଳପରୀ ଜିୟା ରାୟ ରେକର୍ଡ ସୃଷ୍ଟି କରିଛନ୍ତି।

ଭାରତୀୟ ସେନାବାହିନୀର ଅବସରପ୍ରାପ୍ତ କର୍ମଚାରୀଙ୍କୁ ନେଇ ଗଠିତ ଭେଟେରାନ୍ସ କ୍ଲବ୍, ଓଡ଼ିଶା ଆନୁକୁଲ୍ୟରେ ଏହି ସନ୍ତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଚିଲିକାର ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ, ପକ୍ଷୀଙ୍କ ସୁରକ୍ଷା ତଥା ଏକକ କାର୍ଯ୍ୟକ୍ରମ ମାଧ୍ୟମରେ ବିବିଧତାର ବାର୍ତ୍ତା ପହଞ୍ଚାଇବା ଏହି କ୍ଲବର ମୂଳ ଲକ୍ଷ୍ୟ। ରବିବାର ଭୋର୍ ୫ଟା ୩୦ମିନିଟ୍ ରେ ଭାରତୀୟ ନୌସେନା ପ୍ରଶିକ୍ଷଣ କେନ୍ଦ୍ର ଚିଲିକା ଶାଖା କମାଣ୍ଡିଂ ଅଫିସର କମୋଡ଼ର ଏନ୍.ପ୍ରଦୀପ ପତାକା ଦେଖାଇ ସନ୍ତରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ମୁଖ୍ୟ ଅତିଥି ରାଜ୍ୟ କ୍ରୀଡ଼ା ଯୁବବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ସମ୍ମାନନୀୟ ଅତିଥି କମୋଡର ଏନ୍ ପ୍ରଦୀପ ଯୋଗଦେଇ ଜିୟାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ ସହ ଜଣେ ଦିବ୍ୟାଙ୍ଗ ବାଳିକାର ଦୃଢ଼ ମନୋବଳ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ବୋଲି କହିଥିଲେ। ଭେଟେରାନ୍ସ କ୍ଲବ, ଓଡ଼ିଶା ସଭାପତି ବିଦ୍ୟାଧର ନାୟକ ମଞ୍ଚ ପରିଚାଳନା କରିଥିଲେ। ଜୀୟାଙ୍କୁ ଉତ୍ସାହିତ କରିବାକୁ ବିଭିନ୍ନ ମହାବିଦ୍ୟାଳୟରୁ ୮ଶହରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ, ନୌସେନା କର୍ମଚାରୀ ଏବଂ ଭେଟେରାନ୍ସ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ପ୍ରକାଶଥାଉ କି, ଜିୟା ଗତ ୩ବର୍ଷ ମଧ୍ୟରେ ବିଭିନ୍ନ ସନ୍ତରଣ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସ୍ୱର୍ଣ୍ଣ, ରୌପ୍ୟ ପଦକ ହାସଲ କରିବା ସହ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପ୍ରାପ୍ତ କରିଛନ୍ତି। ଏଥିସହ ବିଶ୍ୱସ୍ତରରେ ଶ୍ରୀଲଙ୍କାଠାରୁ ଭାରତର ତାମିଲନାଡୁ ପର୍ଯ୍ୟନ୍ତ ଦୀର୍ଘ ୨୯ କି.ମି ଜଳପଥରେ ସନ୍ତରଣ କରି ରେକର୍ଡ଼ ସୃଷ୍ଟି କରିଥିଲେ।

Leave a Reply

Your email address will not be published.