Friday , December 9 2022
Breaking News
Home / କୃଷି / କୃଷକ ଆୟ ଦ୍ବିଗୁଣ ଲାଗି ‘ଇୱାଇ’ ପ୍ରସ୍ତୁତ କରିବ ଖସଡ଼ା -ସବୁ ଜିଲାପାଳଙ୍କୁ ପତ୍ର

କୃଷକ ଆୟ ଦ୍ବିଗୁଣ ଲାଗି ‘ଇୱାଇ’ ପ୍ରସ୍ତୁତ କରିବ ଖସଡ଼ା -ସବୁ ଜିଲାପାଳଙ୍କୁ ପତ୍ର

ଭୁବନେଶ୍ୱର, ୧୪ /୧୧/୨୦୨୨ (ଓଡ଼ିଶା ସମାଚାର)-କୃଷକ ହେଲେ ଅନ୍ନଦାତା। ସେମାନଙ୍କୁ  କିଭଳି ସଶକ୍ତ କରାଯାଇ ପାରିବ ଏବଂ ସେମାନଙ୍କର ଆୟ ଦ୍ବିଗୁଣ ହେବ ସେ ନେଇ ବହୁବିଧ ଯୋଜନା ପ୍ରସ୍ତୁତ କରାଯାଉଛି। ଏହାସତ୍ତ୍ବେ ଚାଷୀଙ୍କ ଆୟ ଦ୍ବିଗୁଣ ହୋଇପାରୁନାହିଁ। ବିଭିନ୍ନ ବେଉସାରୁ ଚାଷୀଙ୍କ ଆୟ ବଢ଼ୁଥିଲେ ହେଁ କୃଷିକ୍ଷେତ୍ର କିନ୍ତୁ  ସାଥ୍ ଦେଉ ନ ଥିବା କେନ୍ଦ୍ର ସରକାରଙ୍କ କୃଷି ଗବେଷଣା ପରିଷଦ (ଆଇସିଏଆର) ତଥ୍ୟରୁ ଜଣାଯାଇଛି। ଏହାକୁ ନେଇ ରାଜ୍ୟ ସରକାର ଅକଳରେ ପଡିଥିବାବେଳେ କୃଷି ବିଭାଗ ତ୍ବରିତ ପଦକ୍ଷେପ ଲାଗି ବିକଳ୍ପ ଚିନ୍ତା କରିଛି। କୃଷି ବିଭାଗ ପ୍ରମୁଖ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଚଳିତ ମାସ ୯ ତାରିଖରେ ସବୁ ଜିଲାପାଳଙ୍କୁ  ପତ୍ର ଲେଖି ଏନେଇ ହସ୍ତକ୍ଷେପ ଲୋଡ଼ିଛନ୍ତି।

ଶ୍ରୀପାଢ଼ୀ ପତ୍ରରେ ଦର୍ଶାଇଛନ୍ତି ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀଙ୍କ ଆୟ ବୃଦ୍ଧି ଲାଗି କୃଷି ଓ ଆନୁଷଙ୍ଗିକ କୃଷିକ୍ଷେତ୍ରକୁ ସୁଦୃଢ଼ କରାଯିବା ସହିତ ବିଭିନ୍ନ ପ୍ରକାର ସହାୟତା ଯୋଗାଇ ଦିଆଯାଉଛି। ଆଗାମୀ ଦିନରେ ଶସ୍ୟ ଉତ୍ପାଦନ ବଢ଼ିବା ସହିତ ଜଳସେଚନ ବ୍ୟବସ୍ଥା ତ୍ବରାନ୍ବିତ ଓ ଖାଦ୍ୟ ସୁରକ୍ଷା ନିଶ୍ଚିତ କରିବାକୁ ଲକ୍ଷ୍ୟ ରହିଛି। ଏହି ପରିପ୍ରେକ୍ଷୀରେ ବିଭାଗ ପକ୍ଷରୁ ‘ଏର୍ନେଷ୍ଟ ଆଣ୍ଡ ୟଙ୍ଗ’ ନାମକ ଏକ ଅନୁସନ୍ଧାନକାରୀ ବିଶେଷଜ୍ଞ ଦଳ ନିୟୋଜିତ କରାଯାଇଛି। ଉକ୍ତ ଦଳ କୃଷି ଏବଂ ଆନୁଷଙ୍ଗିକ କୃଷି କ୍ଷେତ୍ରରେ କେଉଁ ଜିଲାରେ କି ପ୍ରକାର ଚାଷର ଗୁରୁତ୍ବ ରହିଛି ତାକୁ ନେଇ ଏକ ଦୂରଦୃଷ୍ଟି  ସମ୍ପନ୍ନ ଦସ୍ତାବିଜ୍ ପ୍ରସ୍ତୁତ କରିବେ। ଏଥିଲାଗି ବିଭାଗ ପକ୍ଷରୁ ଅଂଶୀଦାରମାନଙ୍କୁ ନେଇ ଅନୁଗୋଳ, ଗଞ୍ଜାମ ଓ ମୟୂରଭଞ୍ଜରେ କର୍ମଶାଳା କରାଯିବ। ପ୍ରତ୍ୟେକ କର୍ମଶାଳାରେ ୧୦ଟି ଲେଖାଏଁ ଜିଲା ସାମିଲ ହେବ। ଉକ୍ତ ଦଳ କ୍ଷେତ୍ର ପରିଦର୍ଶନ କରିବା ସହିତ କୃଷି ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ଯୋଗାଇବାକୁ କ’ଣ ସବୁ ଆବଶ୍ୟକ ପଡ଼ିବ ତା’ ଉପରେ ଆଗାମୀ ୫ବର୍ଷ ଲାଗି ଏକ ବିସ୍ତୃତ ବିବରଣୀ ପ୍ରଦାନ କରିବେ। ଏହି କାର୍ଯ୍ୟରେ ସହଯୋଗ କରିବାକୁ ଶ୍ରୀ ପାଢ଼ୀ ଜିଲାପାଳମାନଙ୍କୁ ଦର୍ଶାଇଛନ୍ତି। ତେବେ ‘ଦଳେଇ ଆଇଲେ ମୂଳରୁ ଗା…’ ନୀତିରେ ଏବେ ସଂପୃକ୍ତ ‘ଇୱାଇ’ ସଂସ୍ଥା ଚାଷୀଙ୍କୁ ନେଇ କ୍ଷେତ୍ର ପରିଦର୍ଶନ କରିବ ଏବଂ ରିପୋର୍ଟ ଦେବ। କେବେ ଏହାର ଫଳ ଚାଷୀଙ୍କୁ ମିଳିବ ଏବଂ ସେତେବେଳେ ଏହି ଅଧିକାରୀ ଥିବେ ତ, ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି  ହୋଇଛି। ପୂର୍ବରୁ ବିଭାଗ ଆଳୁ, ପିଆଜ ଓ ପଣସ ମିଶନ ଭଳି ବହୁ ଭଲ ପଦକ୍ଷେପ ନେଇଥିଲା। ହେଲେ ଅଧିକାରୀଙ୍କ ଆନ୍ତରିକତା ଅଭାବ ଯୋଗୁଁ ସବୁ ଫସର ଫାଟି ଯାଇଛି।

Leave a Reply

Your email address will not be published.