ଭୁବନେଶ୍ୱର,୧୨/୧୧/୨୦୨୨ (ଓଡ଼ିଶା ସମାଚାର)- ଆଜି ଓଡ଼ିଶା ପଛୁଆବର୍ଗ ବିକାଶ ମଂଚର କାର୍ଯ୍ୟକାରୀ ସଭାପତି ଶ୍ରୀ ଧୂଳେଶ୍ୱର ମାଣିଆ ଏକ ପ୍ରେସ୍ ଇସ୍ତାହାରରେ କହିଛନ୍ତି ଯେ, ନିକଟ ଅତୀତରେ ଅଣସଂରକ୍ଷିତ ଗରିବ ବର୍ଗଙ୍କ ନିମନ୍ତେ କେନ୍ଦ୍ର ସରକାର ଦେଇଥିବା ୧୦ ପ୍ରତିଶତ ସଂରକ୍ଷଣ ସପକ୍ଷରେ ସର୍ବୋଚ୍ଚ ନ୍ୟାୟାଳୟ ସମ୍ମତି ପ୍ରଦାନ କରିଛନ୍ତି । ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଜାତି ଭିତିକ ଜନଗଣନା ସପକ୍ଷରେ ନଥିବାରୁ ଅଦ୍ୟାବଧି ରାଜ୍ୟ ସରକାର କେନ୍ଦ୍ର ସରକାର ଓ ସର୍ବୋଚ୍ଚ କୋର୍ଟଙ୍କୁ ଏକ ଉପଯୁକ୍ତ ପ୍ରସ୍ତାବ ଦେଇପାରୁନାହାଁନ୍ତି । ମଣ୍ଡଳ କମିଶନ ରିପୋର୍ଟ ଅନୁସାରେ ଦେଶରେ ଓବିସି ଜନସଂଖ୍ୟା ୫୨ ପ୍ରତିଶତ ରହିଅଛି । ଏହି ଜନସଂଖ୍ୟା ହାରକୁ ଓଡ଼ିଶା କ୍ଷେତ୍ରରେ ଗ୍ରହଣ କରିବା ନିମନ୍ତେ ଓଡ଼ିଶା ସରକାର କେନ୍ଦ୍ର ସରକାର ମାଧ୍ୟମରେ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଅବଗତ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଅନୁରୋଧ ଚିଠି ଦେଇଛନ୍ତି । ପରିବର୍ତିତ ପରିସ୍ଥିତିରେ ୯୦ ଦଶକରେ ଖଣ୍ଡାୟତ ବର୍ଗଙ୍କୁ ରାଜ୍ୟ ଓବିସି ତାଲିକାଭୁକ୍ତ କରିଥିବାରୁ ଓବିସି ଜନସଂଖ୍ୟା ୭୨ ପ୍ରତିଶତରୁ ଅଧିକ ହେବ । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ଓବିସିମାନେ ବହୁତ କିଛି ହରାଇଛନ୍ତି । ମିଳିଥିବା ୧୧.୨୫ ପ୍ରତିଶତ ସଂରକ୍ଷଣ ଠିକ୍ ଭାବେ କାର୍ଯ୍ୟକାରୀ କରାଯାଇପାରୁନାହିଁ । ରାଜ୍ୟରେ ନୂତନ ନିଯୁକ୍ତିର ସ୍ରୋତ ଚାଲିଅଛି । ସହିବାର ଗୋଟିଏ ସୀମା ଅଛି । ବାସ୍ତବତାକୁ ବିଚାରକୁ ନେଇ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଜଣାଇବେ ବୋଲି ଶ୍ରୀ ମାଣିଆ ଆଶାବାଦୀ ଅଛନ୍ତି ।