Wednesday , May 31 2023
Home / ବିଶେଷ / ପ୍ରହସନ ପାଲଟିଛି ହାତୀ ଘଉଡ଼ା କାର୍ଯ୍ୟ : ସରକାରଙ୍କ କୋଟି କୋଟି ଟଙ୍କା ଖର୍ଚ୍ଚ

ପ୍ରହସନ ପାଲଟିଛି ହାତୀ ଘଉଡ଼ା କାର୍ଯ୍ୟ : ସରକାରଙ୍କ କୋଟି କୋଟି ଟଙ୍କା ଖର୍ଚ୍ଚ

  ଖଜୁରୀପଡ଼ା ଜଙ୍ଗଲରେ ୧୬ ହାତୀ

ନିରାକାରପୁର, ୧୧/୧୧/୨୦୨୨(ଓଡ଼ିଶା ସମାଚାର)- ଦୀର୍ଘ ବର୍ଷ ଧରି ଚନ୍ଦକା ଛାଡ଼ି ଆସିଥିବା ହାତୀ ଏବେ ନିଜର ବଂଶ ବୃଦ୍ଧି କରି ଖୋର୍ଦ୍ଧା ବନଖଣ୍ଡ ଅଧୀନସ୍ଥ ଟାଙ୍ଗୀ ବନାଂଚଳର ବିଭିନ୍ନ ଅଂଚଳରେ ରହୁଥିବାବେଳେ ଆଉ ଚନ୍ଦକା ଫେରିବାକୁ ମନ କରୁନାହାଁନ୍ତି । ଆଉ ଏମାନଙ୍କୁ ଘଉଡ଼ାଇବା ଓ ମଣିଷ ,ହାତୀଙ୍କ  ସୁରକ୍ଷା କାର୍ଯ୍ୟରେ ସରକାର କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରୁଥିଲେ ବି ତାର କିଛି ସୁଫଳ ମିଳୁନି । କାରଣ ହାତୀ ଏହି ଅଂଚଳରୁ ଚନ୍ଦକା ହାତୀ ଅଭୟାରଣ୍ୟକୁ ଆଉ ଫେରୁନାହାଁନ୍ତି । କେବଳ ଟାଙ୍ଗୀ ବନାଂଚଳରେ ଏ ଗାଁ ଜଙ୍ଗଲରୁ ସେ ଗାଁ ଜଙ୍ଗଲକୁ ହାତୀପଲ ଯିବା ଆସିବା କରି ଧନଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବାବେଳେ ବିଗତ ଦିନରେ ବହୁ ହାତୀ ଆଉ ମଣିଷର ଜୀବନ ଯାଇଛି । ଅନ୍ୟବେଳେ ଏହି ହାତୀପଲ ଜଙ୍ଗଲରେ ପାଖାପାଖି ଜଙ୍ଗଲରେ ରହି ଧାନଚାଉଳ ଖାଇବା ପାଇଁ ଗାଁ ମୁହାଁ ହେଉଛନ୍ତି । କିନ୍ତୁ ମୁଖ୍ୟତଃ ଧାନ ପାଚିବା ସମୟରେ ଏହି ହାତୀପଲଙ୍କ ପ୍ରାଦୁର୍ଭାବରେ ମଣିଷ ନୟାନ୍ତ ହେଉଛି । ଏହି ହାତୀମାନେ ଯାହା ତ ପାଚିଲା ଧାନ ଖାଉଛନ୍ତି ଅଧିକ ଦଳି ଚକଟି ନଷ୍ଟ କରୁଥିବାରୁ ଚାଷୀକୂଳ ମୁଣ୍ଡରେ ଚଡ଼କ ପଡ଼ୁଛି । କିଛି ବନ ବିଭାଗ ଅଧିକାରୀ କହିବା କଥା ଆଉ ହାତୀ ରହିବା ଭଳି ପରିସ୍ଥିତ ଚନ୍ଦକା ହାତୀ ଅଭ୍ୟାରଣ୍ୟରେ ନାହିଁ । ଆସ୍ତେ ଆସ୍ତେ ଜନବସତିର ଦୃତ ଅଭିବୃଦ୍ଧି ଯୋଗୁ  ଖାଦ୍ୟ ସହ ରହିବାର ସୁବିଧା ନ ପାଇ ଏହି ହାତୀମାନେ ଅନ୍ୟ ଅଂଚଳକୁ ପଳାଇ ଆସିବାକୁ ବାଧ୍ୟ ହେଉଛନ୍ତି । ଯାହା ଦ୍ୱାରା କେବଳ ଘଉଡ଼ା ଘଉଡ଼ିରେ ସରକାରଙ୍କ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଏହି ହାତୀମାନଙ୍କୁ ଆଉ ନିର୍ଦ୍ଧିଷ୍ଟଭାବେ କେଉଁ ଅଭୟାରଣ୍ୟକୁ ଛାଡ଼ିବାର ବନ୍ଦୋବସ୍ତ ବନ ବିଭାଗ ପାଖରେ ମଧ୍ୟ ନ ଥିବା ଭଳି ଲାଗୁଛି । ତେଣୁ ଟାଙ୍ଗୀ ବନାଂଚଳ ସେମାନଙ୍କ ପାଇଁ ଅତି ପ୍ରକୋଷ୍ଠ ସ୍ଥାନ ପାଲଟିଛି । ଭୁଷଣ୍ଡପୁର ଫରେଷ୍ଟ ଅଂଚଳର ବୃନ୍ଦାବନପୁରରେ ୧୬ଟିକିଆ ହାତୀପଲ ଗତ ୩ ଧରି ରହି ଆସୁଥିବାବେଳେ ଆଜି ଉକ୍ତ ହାତୀପଲ ରାମେଶ୍ୱର ପଂଚାୟତ ଖଜୁରୀପଡ଼ା ଜଙ୍ଗଲରେ ରହିଛନ୍ତି । ଏହି ହାତୀପଲଙ୍କୁ ବନ କର୍ମଚାରୀମାନେ ଜଗି ରହିଛନ୍ତି । ଯଦି ଏହି ହାତୀପଲ ରେଳଧାରଣା ଅତିକ୍ରମ କରି ନିରାକାରପୁର ତଳ ଅର୍ଥାତ କଣାସ ଅଂଚଳକୁ ଯାଆନ୍ତି ଧନଜୀବନ ପ୍ରତି ବିପଦ ସୃଷ୍ଟି ହେବ । ଯଦି ଏହି ହାତୀପଲ ରାମେଶ୍ୱର ପଟକୁ ଯାଆନ୍ତି ତେବେ ସେମାନେ ଆଜି ଧାନ ଫସଲ ଦଳି ଚକଟି ନଷ୍ଟ କରିବେ । ଏ ଭଳି ପରିସ୍ଥିତରେ ଏହି ଅଂଚଳର ଲୋକେ ହାତୀମାନଙ୍କ ଗତବିଧିକୁ ଲକ୍ଷ୍ୟ କରି ନିଜକୁ ସୁରକ୍ଷିତ ରଖିବା ସହ ଫସଲକୁ ବନ କର୍ମଚାରୀ ମାନଙ୍କ ସହଯୋଗରେ ରକ୍ଷା କରିବା ଛଡ଼ା ଆଉ ଅନ୍ୟ ଉପାୟ ନଥିବା ଭଳି ମନେ ହେଉଛି । ଗତକାଲି ଅଚ୍ୟୁତପୁରରେ ଥିବା ଦୁଇଟି ହାତୀ ରଣପୁର ବନାଂଚଳ ଅଭିମୁଖେ ଥିବା ଜଣାପଡ଼ିଥିବାବେଳେ ଭୁବନେଶ୍ୱରରୁ ଧରା ପଡିଥିବା ଯେଉଁ ହାତୀ ଚନ୍ଦକାରେ ଛଡ଼ା ଯାଇଥିଲା ସେ ବର୍ତମାନ ଓଳସିଂହ ପଂଚାୟତ ଡ଼ମଣଭୂମି ଜଙ୍ଗଲରେ ରହିଥିବା ବନ କର୍ମଚାରୀମାନେ ଅନୁମାନ କରୁଛନ୍ତି ।

Leave a Reply

Your email address will not be published.