ଭୁବନେଶ୍ୱର /ପୁରୀ ୦୯/୧୧/୨୦୨୨(ଓଡ଼ିଶା ସମାଚାର)- ଆସନ୍ତା କାଲି ଗୁରୁବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଗୁରୁବାର ସକାଳ ୧୦ଟା ୫୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ପରେ ବାୟୁସେନାର ସ୍ୱତନ୍ତ୍ର ହେଲିକେପଟର ରେ ପୁରୀ ଯିବେ ଓ ଶ୍ରୀମନ୍ଦିର ଯାଇଁ ମହାପ୍ରଭୁ ଜଗନ୍ନାଥଙ୍କୁ ଙ୍କୁ ଦର୍ଶନ କରିବେ । ରାଷ୍ଟ୍ରପତି ଭାବେ ଏହା ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ଓଡ଼ିଶା ଗସ୍ତ ହୋଇଥିବାରୁ ସ୍ଥାନୀୟ ପ୍ରଶାସନର ସହଯୋଗରେ ରାଜ୍ୟ ସରକାର ବ୍ୟାପକ ବ୍ୟବସ୍ଥା କରିଛନ୍ତି। ମହାମହିମ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପୁରୀରେ କାରକେଡ଼ ରିହର୍ସଲ କରାଯାଇଛି । ତାଳବଣିଆ ହେଲିପ୍ୟାଡ଼ ଠାରୁ ଶ୍ରୀମନ୍ଦିର ସିଂହଦ୍ୱାର ପର୍ୟ୍ୟନ୍ତ ରିହର୍ସଲ ହୋଇଥିଲା । ରିହର୍ସଲରେ ପୋଲିସ, ଜିଲ୍ଲାପ୍ରଶାସନର ଅଧିକାରୀ ସାମିଲ ଥିଲେ । ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୨୪ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହେବେ । ଗଜପତି ମହାରାଜା ଦିବ୍ୟସିଂହ ଦେବ ଓ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସିଂହଦ୍ୱାର ସମ୍ମୁଖରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବେ । ଏହାପରେ ସେ ଭୁବନେଶ୍ବରରେ ପହଞ୍ଚିବେ ଏବଂ ସେଠାରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଓ ନେତୃବର୍ଗଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ସେହି ସନ୍ଧ୍ୟାରେ, ରାଷ୍ଟ୍ରପତି ଭୁବନେଶ୍ବର ରାଜଭବନ ପରିସରରେ ତାଙ୍କ ସମ୍ମାନରେ ଆୟୋଜିତ ନାଗରିକ ସମ୍ବର୍ଦ୍ଧନା କାର୍ୟ୍ୟକ୍ରମରେ ଯୋଗଦେବେ।
ଗସ୍ତର ଦ୍ବିତୀୟ ଦିନ ଅର୍ଥାତ ନଭେମ୍ବର ୧୧ ତାରିଖରେ ରାଷ୍ଟ୍ରପତି ଭୁବନେଶ୍ବର ଖଣ୍ଡଗିରିରେ ଥିବା ତପୋବନ ଉଚ୍ଚ ବିଦ୍ୟାଳୟ, ୟୁନିଟ-୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ୟୁନିଟ-୨ସ୍ଥିତ କୁନ୍ତଳା କୁମାର ସାବତ ଆଦିବାସୀ ବାଳିକା ଛାତ୍ରାବାସ ପରିଦର୍ଶନ କରିବେ ଏବଂ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସହିତ ମତବିନିମୟ କରିବେ। ସେହିଦିନ ସେ ଭୁବନେଶ୍ବରସ୍ଥିତ ଜୟଦେବ ଭବନଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବେ।
ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଆସନ୍ତା କାଲି ଗୁରୁବାର ଦିନ ଗୋଟାଏ ପରେ ରାଜଧାନୀରେ ଦିନ୧ଟା ପରେ ସ୍କୁଲ, କଲେଜ ଓ ସରକାରୀ ଅଫିସ ବନ୍ଦ ରହିବ ।