Wednesday , May 31 2023
Breaking News
Home / ବିଶେଷ / ଗରଦପୁର ପଂଚାୟତ ସମିତିର ୨ୟ ସାଧାରଣ ବୈଠକ ଅନୁଷ୍ଠିତ

ଗରଦପୁର ପଂଚାୟତ ସମିତିର ୨ୟ ସାଧାରଣ ବୈଠକ ଅନୁଷ୍ଠିତ

ଗରଦପୁର, ୦୯/୧୧/୨୦୨୨(ଓଡ଼ିଶା ସମାଚାର)- ଗରଦପୁର ପଂଚାୟତ ସମିତି ର ୨ୟ ସାଧାରଣ ଅଧିବେଶନ ଆଜି ବ୍ଲକ୍ ସମ୍ମକିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ଆୟୋଜିତ ବୈଠକରେ ଅଧ୍ୟକ୍ଷ ଅଭୟ କୁମାର ମହାରାଜ ପୌରୋହିତ୍ୟ କରିଥିଲେ । ବୈଠକରେ ବିଡ଼ିଓ ଧର୍ମ ରଂଜନ ପଣ୍ଡା , ବିଧାୟିକାଙ୍କ ପ୍ରତିନିଧି ସଂଜୟ କୁମାର ଅଗ୍ରୱାଲା, ଜିଲା ପରିଷଦ ସଦସ୍ୟ ସତ୍ୟାନନ୍ଦ ରାଉତ, ଏଲିଜା ସ୍ୱାଇଁ , ଡ଼ଲି ଶତପଥି , ସାଂସଦ ପ୍ରତିନିଧି ଜୟପ୍ରକାଶ ବାରିକ ଙ୍କ ସମେତ ପାଟକୁରା ସ୍ୱାସ୍ଥ୍ୟ କେନ୍ଦ୍ର ବିଶେଷଜ୍ଞ ଡ଼ ହିମାଂଶୁ ଭୁଷଣ ସଢ଼ଙ୍ଗି, ବ୍ଲକ୍ ସହକାରୀ ନିର୍ବାହୀ ଯନ୍ତ୍ରୀ ସରୋଜ କୁମାର ସାହୁ, ଏବିଡ଼ିଓ ପ୍ରଶାନ୍ତ କୁମାର ଜେନା , ଜିପିଇଓ ମୃଣ୍ମୟ ରାଉତ ପ୍ରମୁଖ ମଂଚାସୀନ ଥିଲେ । ବୈଠକ ପ୍ରାରମ୍ଭରେ ବିଡ଼ିଓ ଶ୍ରୀ ପଣ୍ଡା ଗୃହରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟଙ୍କୁ ବୈଠକକୁ ସ୍ୱାଗତ କରିବା ସହିତ ବ୍ଲକ୍ ରେ କାର୍ଯ୍ୟକାରୀ ହେଉଥିବା ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ଗୁଡ଼ିକର ସଫଳ ରୂପାୟନ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଜିପିଇଓ ଶ୍ରୀ ରାଉତ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ । ତେବେ ନଡ଼ିଆବରାଇ ପଂଚାୟତରେ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଖୋଲାଯିବା ପାଇଁ ପୂର୍ବ ବୈଠକର ବିବରଣୀରେ ସ୍ଥାନ ପାଇନଥିବାରୁ ନଡ଼ିଆବରାଇ ସରପଂଚ ସନ୍ତୋଷ ମାହାଳି ପ୍ରତିବାଦ କରିଥିଲେ । ନଡ଼ିଆବରାଇ ପଂଚାୟତରୁ ଅଲଗା ହୋଇ ତିକନପୁର ଓ ରାମଚନ୍ଦ୍ରପୁର ଦୁଇଟି ପଂଚାୟତ ସୃଷ୍ଟି ହୋଇ ସେଠାରେ ସ୍ୱାସ୍ଥ୍ୟ ଉପକେନ୍ଦ୍ର ନିର୍ମାଣ ହୋଇଥିବାବେଳେ ନଡ଼ିଆବରାଇ ରେ ସ୍ୱାସ୍ଥ୍ୟ ଉପକେନ୍ଦ୍ର ହୋଇନାହିଁ । ଅପର ପକ୍ଷରେ ପ୍ରତି ପଂଚାୟତରେ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଖୋଲା ଯିବାକୁ ସରକାରୀ ନିର୍ଦ୍ଧେଶନାମା ଆସିଥିବାରୁ ନଡ଼ିଆବରାଇ ପଂଚାୟତରେ ଏକ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଖୋଲିବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ଚିଠି ଲେଖାଯାଇଥିବା ପାଟକୁରା ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ବ୍ଲକ୍ ଡ଼ାଟା ମ୍ୟାନେଜର ଅନିଲ କୁମାର ଧଳ ସୂଚନା ଦେଇଥିଲେ । ଅଧିକନ୍ତୁ ପ୍ରାୟତ ଗରଦପୁର ବ୍ଲକ୍ ର ୧୮ ଗୋଟି ପଂଚାୟତରେ ଥିବା ଶତାଧିକ ଗ୍ରାମରେ ଷ୍ଟ୍ରିଟ ଲାଇଟ ବ୍ୟବସ୍ଥା ହୋଇଛି । ଗ୍ରାମ ଗୁଡ଼ିକୁ ଆଲୋକିକରଣ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଅଧିକାଂଶ ସ୍ଥାନରେ ବିଦ୍ୟୁତ ଆଲୁଅ ଜଳୁନାହିଁ । ଏହା ସତ୍ୱେ ସେ ବାବଦରୁ ପ୍ରତି ପଂଚାୟତକୁ ଅତ୍ୟଧିକ ବିଦ୍ୟୁତ ଶୁଳ୍କ ବିଲ ହୋଇ ପଂଚାୟତ ଗୁଡ଼ିକୁ ଆସୁଛି । ବିଦ୍ୟୁତ ବିଭାଗ ପଂଚାୟତ ଓ ଗ୍ରାମ ୱାରି ଆଲୋକିକରଣ ବ୍ୟବସ୍ଥା ନିରୀକ୍ଷଣ ନକରି ଅହେତୁକ ବିଦ୍ୟୁତ ବିଲ ପଂଚାୟତକୁ ପଠାଉଥିବାରୁ ବୈଠକରେ କ୍ଷୋଭ ପ୍ରକାଶ ପାଇଥିଲା । ତଳକୁସୁମା ପଂଚାୟତରେ ଆଦୌ ଷ୍ଟ୍ରିଟ ଲାଇଟ୍ ଜଳୁନଥିବାବେଳେ ତାର ବିଲ ଲକ୍ଷାଧିକ ଟଙ୍କାର ବିଲ ଆସୁଥିବାରୁ ସରପଂଚ ନଳିନୀ ପ୍ରଭା ଜେନା ଉଦବେଗ ପ୍ରକାଶ କରିଥିଲେ । ଯେଉଁ ପରିମାଣରେ ବିଦ୍ୟୁତ ବିଲ ଆସୁଛି, ବିଦ୍ୟୁତ ବିଭାଗ ବାସ୍ତବ ରେ ବିଦ୍ୟୁତ ଲୋଡ଼ ଅନୁଯାୟୀ ଓ ବିଦ୍ୟୁତ ବିଲ କୁ ସଠିକ ନିରୀକ୍ଷଣ ନକଲେ ଗାଁ ଗାଁ ରେ ଆଉ ବିଦ୍ୟୁତ ଷ୍ଟି୍ରଟ ଆଲୁଅ ଜଳି ପାରିବ ନାହିଁ ବୋଲି କ୍ଷୋଭର ସହ ୧୦ ନମ୍ବର ଜୋନ୍ ଜିଲା ପରିଷଦ ସଦସ୍ୟ ଶ୍ରୀ ରାଉତ ପ୍ରକାଶ କରିଥିଲେ । ଷ୍ଟ୍ରିଟ ଲାଇଟ ଉପରେ ବାସ୍ତବତା କୁ ନଯାଇ ବିଦ୍ୟୁତ ବିଭାଗ ପଂଚାୟତ ଉପରେ ଅହେତୁକ ବିଦ୍ୟୁତ ବିଲ ଲଦି ଦେଉଥିବା ଅଧ୍ୟକ୍ଷ ଶ୍ରୀ ମହାରାଜ କହିବା ସହିତ ଏଥିପାଇଁ ପଂଚାୟତରେ ଅନ୍ୟ ବିକାଶ ମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ କରିଥିଲେ । ଏସମ୍ପର୍କରେ ବିଦ୍ୟୁତ ବିଭାଗ ଏସଡ଼ିଓ ସୁରେଶ ଚନ୍ଦ୍ର ପାଣି ଯାହା ଉତର ରଖିଥିଲେ ସେଥିରେ କେହି ସନ୍ତୋଷ ପ୍ରକାଶ କରିନଥିଲେ । ଗୃହରେଏକ ଘଂଟା ଧରି ଏ ସମ୍ପର୍କରେ ଘମାଘୋଟ ଆଲୋଚନା ହେବା ପରେ ଆସନ୍ତା ୬ ମାସ ପର୍ଯ୍ୟନ୍ତ ପ୍ରତି ପଂଚାୟତ ର ଷ୍ଟ୍ରିଟ ଲାଇଟ୍ ର ଯୁଗ୍ମ ନିରୀକ୍ଷଣ କରାଯାଇ ବିଦ୍ୟୁତ ଦେୟ ଠିକ କରାଯିବ ବୋଲି ଏସଡ଼ିଓ ଶ୍ରୀ ପାଣି ପ୍ରତିଶୃତି ଦେଇଥିଲେ । ଏତଦ ବ୍ୟତିତ ପାଟକୁରା ପଂଚାୟତର ଅଙ୍ଗନୱାଡ଼ି କେନ୍ଦ୍ରରେ ବିଦ୍ୟୁତ ସଂଯୋଗ ଦିଆଯାଇନଥିବା , ତେଣ୍ଡାକୁଡ଼ା ପଂଚାୟତର ଶଙ୍କରଭୋଳ ରେ ବିଦ୍ୟୁତ ଲୋ ଭୋଲଟେଜ ସମସ୍ୟା, ତିକନପୁର ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ବିଦ୍ୟୁତ ସଂଯୋଗ ନଥିବା, ବେଡ଼ାରୀ ରେ ଏକ ବିଦ୍ୟୁତ ସବ ଷ୍ଟେସନ୍ ବିପଦପୂର୍ଣ୍ଣ ଭାବରେ ଥିବା , କଳାବୁଦା ପଂଚାୟତ ମିଶନ ଶକ୍ତି ଘର ଉପରେ ୧୧ କେଭି ବିଦ୍ୟୁତ ତାର ବିପଦକୁ ଆମନ୍ତ୍ରଣ କରୁଥିବା ଆଦି ବିଭିନ୍ନ ସମସ୍ୟା ଉଠାଇ ଏସବୁ ସମସ୍ୟାର ତୁରନ୍ତ ପ୍ରତିକାର ପାଇଁ ସମିତି ସଭ୍ୟ ଶ୍ରୀ ଦିଲିପ ସାହୁ , ସମିତି ସଭ୍ୟ ରାକେଶ ମହାପାତ୍ର , ସମିତି ସଭ୍ୟ ବାସୁଦେବ ବେହେରା, ସରପଂଚ ତିକନପୁର ଅମିୟରଂଜନ ନାୟକ , ସରପଂଚ ପାଟକୁରା ଗୀତାଂଜଳି ମହାନ୍ତି , ସମିତି ସଭ୍ୟା କବିତା ଦେବତା , ସରପଂଚ କଳାବୁଦା ପ୍ରଜ୍ଞାପ୍ରିୟଦର୍ଶିନୀ ଦାଶ ପ୍ରମୁଖ ଦୃଢ଼ ଦାବି କରିଥିଲେ । ବେଡ଼ାରୀ, ପାଖଡ଼, ଗରଦପୁର,ପାଟକୁରା, ରାମଚନ୍ଦ୍ରପୁର ଓ ପଦ୍ମପୁର ପଂଚାୟତରେ ପ୍ରତିବର୍ଷ ଚିନାବାଦାମ ଚାଷ କରାଯାଉଥିବାରୁ କୃଷି ବିଭାଗ ତୁରନ୍ତ ଚିନାବାଦମ ମଂଜି ସୁଲଭ ମୂଲ୍ୟରେ ଚାଷୀ ମାନଙ୍କୁ ଯୋଗାଇ ଦେବାକୁ ସଦସ୍ୟମାନେ ଦାବି କରିଥିଲେ । ଚିନାବାଦାମ ବିହନ ଓ ସୂର୍ଯ୍ୟମୁଖୀ ବିହନ ଚାଷୀଙ୍କୁ ଶୀଘ୍ର ଯୋଗାଇ ଦେବା ପାଇଁ କୃଷି ଅଧିକାରୀ ପ୍ରଦୀପ୍ତ ଘୋଷ ପ୍ରତିଶୃତି ଦେଇଥିଲେ । ଏଥି ସହିତ ନଭେମ୍ବର ୨ ରୁ ଡ଼ିସେମ୍ବର ୨ ପର୍ଯ୍ୟନ୍ତ କାଳିଆ ଯୋଜନାର ଗ୍ରୀଭାନ୍ସ ପୋଟାଲ ଖୋଲିଛି । ଭୂମୀ ହିନ ନାମ ମାତ୍ର ଚାଷୀ ସେମାନଙ୍କର ଅଭିଯୋଗ ଏଥିରେ ପଂଜିକରଣ କରିବା ପାଇଁ ସେ କହିଥିଲେ । ଆଳୁ ବିହନ ଚାଷୀଙ୍କୁ ଶୀଘ୍ର ଯୋଗାଇ ଦେବା ଓ ଉଦ୍ୟାନ ସାଥିମାନେ କାମ କରୁନଥିବା ବଙ୍ଗାଳପୁର ସରପଂଚ ଅମିୟରଂଜନ ଜେନା ଉଦ୍ୟାନ ବିଭାଗ ବାବଦରେ ଅଭିଯୋଗ କରିଥିଲେ । ଅସହାୟ ଲୋକଙ୍କ ନିକଟରେ ଡ଼ିଲର ରାସନ ସାମଗ୍ରୀ ପହଂଚାଉନଥିବା ଭଗବାନପୁର ସରଂଚ ରାଜେନ୍ଦ୍ର ମଲିକ ଅଭିଯୋଗ କରିଥିଲେ । ବଙ୍ଗାଳପୁର ପଂଚାୟତର ୯ ଟି ଅଙ୍ଗନୱାଡ଼ି କେନ୍ଦ୍ରରେ ବିଦ୍ୟୁତ ସଂଯୋଗ ଦିଆଯାଇନଥିବାରୁ ଏଥିପ୍ରତି ତୁରନ୍ତ ଧ୍ୟାନ ଦେବାକୁ ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଆନ୍ନା ଭାଲୁରିଆ ଖୁଜୁରୁ ଙ୍କର ବଙ୍ଗାଳପୁର ସରପଂଚ ଦୃଷ୍ଟି ଆକର୍ଷଣ କରିଥିଲେ । ଗ୍ରାମ ପଂଚାୟତ ସ୍ତରୀୟ ମହିଳା ଫେଡ଼େରେସନ୍ ଠିକ୍ ସେ ଚାଉନାହିଁ ବୋଲି ପାଟକୁରା ସରପଂଚ ବ୍ଲକ ମିଶନ ଶକ୍ତି ଅଧିକାରୀ ଅଖିଳ ଆଚାର୍ଯ୍ୟ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଯେଉଁମାନେ ଟଙ୍କା ଫେରାଇଛନ୍ତି , କେତେଜଣଙ୍କର ନାମ , କେବେ ଆସିଥିବା , ଆବାସ ଯୋଜନା ସର୍ଟ ଲିଷ୍ଟ ରେ ସେମାନଙ୍କର ନାମ ନଥିବା ନଡ଼ିଆବରାଇ ଓ ବଙ୍ଗାଳପୁର ସରପଂଚ ଅଭିଯୋଗ କରିଥିଲେ । କେଉଁ ଆଧାରରେ ଆବାସ ସର୍ଟ ଲିଷ୍ଟ ପ୍ରକାଶ ପାଇଛି , ତାହା ଜାଣିବା ପାଇଁ ସଦସ୍ୟମାନେ ଆବାସ ଦାୟିତ୍ୱ ରେ ଥିବା ଅନୀତା ମହାପାତ୍ରଙ୍କୁ ପ୍ରଶ୍ନ କରିଥିଲେ । ତେବେ ଯେଉଁ ଗରିବ ଲୋକମାନେ ପୂର୍ବରୁ ପାଇଥିବା ଇନ୍ଦିରା ଆବାସ ଟଙ୍କାରେ ଘର ସମ୍ପୂର୍ଣ୍ଣ କରିନପାରି ନୀୟମ ମୁତାବକ ସରକାରଙ୍କୁ ଟଙ୍କା ଫେରାଇଦେଇଛନ୍ତି, ସେମାନଙ୍କୁ ଅଗ୍ରାଧିକାର ଭିତିରେ ଆବାସ ଗୃହ ଯୋଗାଇ ଦେବାକୁ ଜିଲା ପରିଷଦ ସଦସ୍ୟ ଶ୍ରୀ ରାଉତ ଗୃହର ଦୃଷ୍ଟି ଆକର୍ଷଣ କରିଥିଲେ । ଏତଦବ୍ୟତିତ ଗତ ଆର୍ଥିକ ବର୍ଷରେ ବ୍ଲକ୍ ର ଯେଉଁ ୮୬ ଜଣ ହିତାଧିକାରୀ ନିର୍ମାଣ କରୁଥିବା ନିଜ ଆବାସ ଗୃହନିର୍ମାଣ ଶେଷ କରିନାହାନ୍ତି ସେମାନେ ତୁରନ୍ତ ତାହା ଶେଷ କରିବାକୁ ସେମାନଙ୍କୁ ପ୍ରବର୍ତାଇବାକୁ ବିଡ଼ିଓ ଶ୍ରୀ ପଣ୍ଡା ସମସ୍ତ ସରପଂଚ ଓ ସଭ୍ୟମାନଙ୍କୁ ଅନୁରୋଧ କରିଥିଲେ । ପଂଚାୟତରେ ସରପଂଚ ଓ ସମିତି ସଭ୍ୟ ୫୦ ପ୍ରତିଶତ ଲେଖା ମହାତ୍ମାଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ପ୍ରକଳ୍ପ କରି ପାରିବେ ବୋଲି ବୈଠକରେ ସହମତି ପ୍ରକାଶ ପାଇଥିଲା । ସମିତିସଭ୍ୟ ମାନଙ୍କ ମାର୍ଫତରେ ହୋଇଥିବା ମନରେଗା ପ୍ରକଳ୍ପ ଗୁଡ଼ିକର ପଂଚାୟତ ସମିତି ଡ଼ଙ୍ଗଲରେ ପେମେଂଟ ହେବ ବୋଲି ଅଧ୍ୟକ୍ଷ ଶ୍ରୀ ମହାରାଜ ସୂଚନା ଦେଇଥିଲେ । ପ୍ରଥମ ପର୍ଯ୍ୟାୟରେ ରୂପାନ୍ତରିତ ହୋଇଥିବା ୫ଟି ସ୍ମୁଲ ଗୁଡ଼ିକର କାର୍ଯ୍ୟ ନିମ୍ନ ମାନର ହୋଇଥିବା ସମିତି ସଭ୍ୟ ଦିଲିପ ସାହୁ ଅଭିଯୋଗ କରିଥିଲେ । ତେବେ ପ୍ରଥମ ପର୍ଯ୍ୟାୟରେ ୪, ୨ୟ ପର୍ଯ୍ୟାୟରେ ୭ ୫ଟି ସ୍କୁଲ ରୂପାନ୍ତରଣ କାର୍ଯ୍ୟ ଶେଷ ହୋଇ ସ୍କୁଲ କୁ ହସ୍ତାନ୍ତର ହୋଇଥିବାବେଳେ ଏବେ ୩ୟ ପର୍ଯ୍ୟାୟରେ ବ୍ଲକ୍ ର ୧୦ ଟି ସ୍କୁଲ ର ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହେବ ବୋଲି ବିଡ଼ିଓ ଶ୍ରୀ ପଣ୍ଡା କହିଥିଲେ । ଅନ୍ୟାନ୍ୟ ଏଜେଣ୍ଡା ରେ ଆଲୋଚନା କରି ଗରଦପୁର ଗାଁ ରେ ଏକମାସ ହେଲାଣି ପାଣି ପାଇପ୍ ଫାଟିଯାଇଛି । ପାଣିର ଅପଚୟ ହେବା ସହିତ ପାଇପ୍ ଭିତରେ ମଇଳା ଓ ସାପ ବେଙ୍ଗ ପସି ପିଇବା ପାଣିକୁ ବିଷାକ୍ତ କରିବାର ସମ୍ଭାବନା ସୃଷ୍ଟି ହୋଇଛି । ସେ ସମ୍ପର୍କରେ ମାସେ ହେଲା ଅଭିଯୋଗ କରିଥିଲେ ମଧ୍ୟ ତାର ପତିକାର ହୋଇ ନଥିବାରୁ ସମିତି ସଭ୍ୟ ଦିଲିପ କୁମାର ପଣ୍ଡା କ୍ଷୋଭ ପ୍ରକାଶ କରିଥିଲେ । ପାଟକୁରା ବଜାରରେ ଥିବା ଡ଼୍ରେନେଜ ସମସ୍ୟା , ବ୍ଲକ୍ ର ବିଭିନ୍ନ ପଂଚାତରେ ଅସମ୍ପୂର୍ଣ୍ଣ ପାର୍କ ନିର୍ମାଣ ସମସ୍ୟା ଓ ବୃଦ୍ଧ ବୃଦ୍ଧାଙ୍କୁ ଘରେ ଭତା ଟଙ୍କା ପହଂଚାଇବା ପାଇଁ ଓଡ଼ିଶା ଜୀବୀକା ମିଶନ ପକ୍ଷରୁ ବ୍ୟାଙ୍କ ମିତ୍ର ନିଯୁକ୍ତି ଆଦି ସମ୍ପର୍କରେ ଆଲୋଚନା କରାଯାଇଥିଲା । ବିଭିନ୍ନ ଲାଇନ୍ ଡ଼ିପାର୍ଟମେଂଟର ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ ।

Leave a Reply

Your email address will not be published.