ଗରଦପୁର, ୦୮/୧୧/୨୦୨୨(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ବ୍ରଜଗଦାଧର ମହାପୁରୁଷ ପର୍ଯ୍ୟଟନସ୍ଥଳୀ ପରିସରରେ ବୋଇତ ବନ୍ଦାଣ ମହୋତ୍ସବ ଉଦଘାଟିତ ହୋଇ ଯାଇଛି । ଏହି ପିଠ ସଂଲଗ୍ନ ଚିତ୍ରୋତ୍ପଳା ନଦୀରେ ସର୍ବ ପ୍ରଥମେ ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଥିଲା । ଏହି ବୋଇତ ବନ୍ଦାଣ ଉତ୍ସବରେ ୭ ଜଣ ସାଧବ ପୁଅ ମାନଙ୍କୁ ୭ ଜଣ ସାଧବାଣୀମାନେ ବନ୍ଦାପନା କରିଥିଲେ । ସଂକୀର୍ତନ ଘଂଟ ଘଂଟା ନାଦ ଓ ହରିବୋଲ ହୁଳ ହୁଳି ମଧ୍ୟରେ ଏକ ସୁଶୋଭିତ ବୋଇତରେ ସାଧବ ପୁଅ ମାନେ ନଦୀ ପରିକ୍ରମା କରିଥିଲେ । ଏକ ଆଧ୍ୟାତ୍ମିକ ପରିବେଶ ମଧରେ ବୋଇତ ବନ୍ଦାଣ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ପରେ ପରେ ପର୍ଯ୍ୟଟନ କ୍ଷେତ୍ର ପରିସରରେ ଆୟୋଜିତ ଉତ୍ସବରେ ଆବାହକ ପ୍ରାକ୍ତନ ଜିଲା ପରିଷଦ ସଦସ୍ୟ ସନ୍ତୋଷ ଜେନା ଅଧ୍ୟକ୍ଷତା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗର ପ୍ରାକ୍ତନ ସଭାପତି ତେଜେଶ୍ୱର ପରିଡ଼ା ଯୋଗଦେଇ ଓଡ଼ିଶା ର ମହାନ ନୌବାଣିଜ୍ୟ ଓ ସାଧବ ମାନଙ୍କ ବାଣିଜ୍ୟ ବ୍ୟବସାୟ ର ଐତିହାସିକ , ସାଂସ୍କୃତିକ ଓ ଅର୍ଥନୈତିକ ଗାଥା ସମ୍ପର୍କରେ ଆଲୋକପାତ କରିଥିଲେ । ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ଗାୟକ ଭୁଷଣ ଗୋପବନ୍ଧୁ ନାଥ ଯୋଗଦେଇ କବିତା ମାଧ୍ୟମରେ ସେଦିନର ସାଧବ ପୁଅ ମାନଙ୍କର ଗାଥା ବର୍ଣ୍ଣନା କରିଥିଲେ ।
ଏଥିରେ ସମ୍ମାନୀତ ଅତିଥି ଭାବେ ସରପଂଚ ପ୍ରଭାତ ନଳିନୀ ଜେନା, ପୂର୍ବତନ ସରପଂଚ ଅଶୋକ କୁମାର ଜେନା , ଅବସରପ୍ରାପ୍ତ ସେନା ଅଧିକାରୀ ନୟନ ବଲଭ ନାୟକ , ବଟକୃଷ୍ଣ ମହାନ୍ତି , ପ୍ରତାପ ପରିଡ଼ା , ସନ୍ତୋଷ କୁମାର ରାଉତରାୟ, ସୁଧାଂଶୁ ମହାନ୍ତି, ଲେଖନ ଭୁବନ ମୋହନ ଜେନା ପ୍ରମୁଖ ଯୋଗଦେଇ ଉତ୍କଳୀୟ ନୌବାଣିଜ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଗଦାଧର ଉନ୍ନୟନ ପରିଷଦ ଓ ପାଟକୁରା ପ୍ରଗତି ମଂଚ ର ମିଳିତ ସହଯୋଗରେ ବୋଇତ ବନ୍ଦାଣ ମହୋତ୍ସବ ଆୟୋଜିତ ହୋଇଥିଲା । କମିଟିର ସମ୍ପାଦକ ସନାତନ ଦାସ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ।