Wednesday , May 31 2023
Home / ବିଶେଷ / ନିଜ ବନ୍ଧୁକରୁ ଗୁଳି ଫୁଟି ଯୁବକଙ୍କ ହାତ ପାପୁଲି ଛିଣ୍ଡି ଗଲା

ନିଜ ବନ୍ଧୁକରୁ ଗୁଳି ଫୁଟି ଯୁବକଙ୍କ ହାତ ପାପୁଲି ଛିଣ୍ଡି ଗଲା

କନ୍ଧମାଳ, ୦୭/୧୧/୨୦୨୨(ଓଡ଼ିଶା ସମାଚାର)- କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଦାରିଙ୍ଗବାଡ଼ି ବଜାର ନିକଟରେ ନିଜ ବନ୍ଧୁକରୁ ଗୁଳି ଫୁଟି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିବା ସହ ବନ୍ଧୁକ ଜବତ କରିଛି।

ସୂଚନାନୁଯାୟୀ, କୋଟଗଡ଼ ଥାନା ଅନ୍ତର୍ଗତ ରଡ଼ା ଗ୍ରାମର ଏଲିଅ ପ୍ରଧାନ ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ପେତରବାଡ଼ି ଗ୍ରାମକୁ କୌଣସି କାମରେ ଯାଇଥିଲେ।ସାଙ୍ଗରେ ଗୁଳି ଭର୍ତ୍ତି ହୋଇଥିବା ଏକ ଦେଶୀ ବନ୍ଧୁକ ଧରି ଯାଉଥିଲେ। ହେଲେ ବଜାରଠାରୁ ୫୦ ମିଟର ଦୂରରେ ଯୁବକଙ୍କ ହାତରେ ଗୁଳି ଫୁଟି ଯାଇଥିଲା। ଫଳରେ ଯୁବକଙ୍କ ହାତ ପାପୁଲି ଛିଣ୍ଡି ଯାଇଥିଲା। ଏହାପରେ ଯୁବକ ଜଣଙ୍କ ବନ୍ଧୁକକୁ ଫୋପାଡ଼ି ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ଦାରିଙ୍ଗବାଡ଼ି ଥାନା ପୁଲିସ ପହଞ୍ଚି ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ସହ ବନ୍ଧୁକ ଜବତ କରି ତଦନ୍ତ ଆରମ୍ଭ କରିଛି। ଯୁବକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି।ତେବେ କେଉଁ କାରଣ ପାଇଁ ସେ ଏଭଳି ଗୁଳି ଭର୍ତି ବନ୍ଧୁକ ଧରି କେଉଁଠାକୁ ଯାଉଥିଲେ ତାହା ବର୍ତମାନ ଜଣାପଡ଼ିନାହିଁ । ତଦନ୍ତ ପରେ ସବୁକଥା ଜଣାପଡ଼ିବ ।

Leave a Reply

Your email address will not be published.