କେନ୍ଦ୍ରାପଡା, ୦୫/୧୧/୨୦୨୨(ଓଡ଼ିଶା ସମାଚାର)- ବହୁ ଚର୍ଚ୍ଚିତ ପଟ୍ଟାମୁଣ୍ଡାଇ ସରକାରୀ ଜମି ଜାଲିଆତି ଅଭିଯୋଗର ଶୁଣାଣୀ ଉପଜିଲ୍ଲାପାଳ ନିରଞ୍ଜନ ବେହେରାଙ୍କ ଦ୍ୱାରା ଶନିବାର କରାଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ ୧୮ତାରିଖ ପୂର୍ବାହ୍ନ ୧୧ଟାରେ କେନ୍ଦ୍ରାପଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେହି ଅଭିଯୋଗର ଶୁଣାଣୀ କରାଯିବ ବୋଲି ପଟ୍ଟାମୁଣ୍ଡାଇ ତହସିଲଦାରଙ୍କ ଦ୍ୱାରା ଅଭିଯୋଗକାରୀ ଦୁଷ୍ମନ୍ତ ନାରାୟଣ ଆଚାର୍ଯ୍ୟକୁ ନୋଟିସ ପ୍ରଦାନ କରାଯାଇଥିଲା । କିନ୍ତୁ ଅଭିଯୋଗକାରୀ ଶ୍ରୀ ଆଚାର୍ଯ୍ୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପୂର୍ବାହ୍ନ ୧୧ଘଟିକାରେ ପହଂଚି ହାଜିରା ପ୍ରଦାନ କରିଥିଲେବି ଉପଜିଲ୍ଲାପାଳ ନିରଞ୍ଜନ ବେହେରା ତାଙ୍କ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିବା ନେଇ ଏବଂ ପ୍ରଶାସନର ଏଭଳି କାର୍ଯ୍ୟ ଦ୍ୱାରା ସେ ହତୋତ୍ସାହିତ ହୋଇଥିବା ସମ୍ପର୍କରେ ଶ୍ରୀ ଆଚାର୍ଯ୍ୟ ଅଭିଯୋଗ କରିଥିଲେ । ଆଜି ଉଭୟ ପକ୍ଷ ଏବଂ ପଟ୍ଟାମୁଣ୍ଡାଇ ତହସିଲଦାରଙ୍କ ଉପସ୍ଥିତିରେ ସେହି ଅଭିଯୋଗର ଶୁଣାଣୀ କରିଥିଲେ ଉପଜିଲ୍ଲାପାଳ । ଘଟଣା ଅନୁଯାୟୀ ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ସରକାରୀ ଜମି ସରକାରଙ୍କ ଖାତାକୁ ଫେରାଇ ଆଣାଯିବା ସହିତ ସେହି ଜାଲିଆତି ଘଟଣାରେ ସାମିଲ ଥିବା ପଟ୍ଟାମୁଣ୍ଡାଇ ତହସିଲର ପ୍ରାକ୍ତନ ତହସିଲଦାର, ପେସ୍କାର, ଅମିନ ଓ ଅନ୍ୟ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ଶ୍ରୀ ଆଚାର୍ଯ୍ୟ ତାଙ୍କର ଦିବାନିଶି ଧାରଣା ଗରାପୁର ଡାକବଙ୍ଗଳା ଛକସ୍ଥିତ ଗାନ୍ଧୀଜୀଙ୍କ ପ୍ରତିମୂର୍ତି ପାଖରେ ଗତ ୩୧ଅଗଷ୍ଟରେ ଆରମ୍ଭ କରିଥିଲେ । ଧାରଣା ଷଷ୍ଠ ଦିବସରେ ପହଂଚିଥିବା ବେଳେ ପଟ୍ଟାମୁଣ୍ଡାଇ ତହସିଲଦାର ଦିଲ୍ଲିପ କୁମାର ସେଠୀ ଏବଂ କେନ୍ଦ୍ରାପଡା ଉପଜିଲ୍ଲାପାଳ ନିରଞ୍ଜନ ବେହେରା ସେଠାରେ ପହଂଚି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ପ୍ରଦାନ କରିବାରେ ଶ୍ରୀ ଆଚାର୍ଯ୍ୟ ଧାରଣାକୁ ପ୍ରତ୍ୟାହୃତ କରିନେଇଥିଲେ । ଦାବି ମୁତାବକ ପ୍ରାୟ ୨ ଏକର ଜମି ଜାଲିଆତି ଘଟଣାରେ ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ତେରୋହି ଗ୍ରାମର କାଶୀନାଥ ଭୋଳ ସଂପୃକ୍ତ ଥାଇ ସେହି ସରକାରୀ ଜମିକୁ ହାତେଇ ନେଇଥିବା ଦୁଷ୍ମନ୍ତ ଅଭିଯୋଗ କରିଥିଲେ । ସୂଚନା ଅଧିକାର ଅଭିଯାନ ସଦସ୍ୟ ଦୁଷ୍ମନ୍ତ ତଥ୍ୟ ପ୍ରମାଣ ଆଧାରରେ ଏହି ଜାଲିଆତି ଘଟଣା ସମ୍ପର୍କରେ ଦୁଇମାସ ତଳେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସହ ପ୍ରାୟ ଦେଢମାସ ତଳେ ପଟ୍ଟାମୁଣ୍ଡାଇ ଥାନାରେ ମଧ୍ୟ ଏ ନେଇ ଲିଖିତ ଭାବେ ଅଭିଯୋଗ କରିଥିଲେ । କିନ୍ତୁ ପ୍ରଶାସନ ସେହି ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ କୌଣସି ପଦକ୍ଷେପ ଗ୍ରହଣ କରିନଥିବାରୁ ଗତ ୧ତାରିଖରେ ଓଡିଶା ସୂଚନା ଅଧିକାର ଅଭିଯାନର ସଦସ୍ୟ ଶ୍ରୀ ଆଚାର୍ଯ୍ୟ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଏବଂ ଉପଜିଲ୍ଲାପାଳ ଶ୍ରୀ ବେହେରାଙ୍କୁ ଭେଟି ଜମି ଜାଲିଆତି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ସେ ପୁନର୍ବାର ଧାରଣା ଦେବେ ବୋଲି ପ୍ରଶାସନକୁ ଲିଖିତ ଭାବରେ ଚେତାବନୀ ଦେଇଥିଲେ । ତେଣୁ ପ୍ରଶାସନ ପକ୍ଷରୁ ପଟ୍ଟାମୁଣ୍ଡାଇ ତହସିଲଦାର ଶ୍ରୀ ଆଚାର୍ଯ୍ୟଙ୍କୁ ସେହି ତହସିଲର ଆର.ପି.କେଶ ନମ୍ବର ୪୭୪/୨୦୦୭ ଏବଂ ମିସ କେଶ ନମ୍ବର ୧୭/୨୦୧୧ ଉପରେ ସେ କରିଥିବା ଅଭିଯୋଗର ଶୁଣାଣୀ ୧୮ତାରିଖ ପୂର୍ବାହ୍ନ ୧୧ଘଟିକା ସମୟରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କରାଯିବ ଓ ଶ୍ରୀ ଆଚାର୍ଯ୍ୟ ଆବଶ୍ୟକ କାଗଜାଦ ସହ ଉପସ୍ଥିତ ରହିବାକୁ ପଟ୍ଟାମୁଣ୍ଡାଇ ତହସିଲଦାର ତାଙ୍କୁ ନୋଟିସ ଜାରି କରିଥିଲେ । କିନ୍ତୁ ଶ୍ରୀ ଆଚାର୍ଯ୍ୟ ନୋଟିସ ଅନୁଯାୟୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ହୋଇଥିଲେବି ଉପଜିଲ୍ଲାପାଳ ତାଙ୍କ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିବା ଅଭିଯୋଗ କରିଥିଲେ । ପରବର୍ତୀ ସମୟରେ ଅଭିଯୋଗକାରୀ ଶ୍ରୀ ଆଚାର୍ଯ୍ୟଙ୍କୁ ପୁନର୍ବାର ଶୁକ୍ରବାର ନୋଟିସ ପ୍ରଦାନ କରାଯାଇ ଆଜିକୁ ଶୁଣାଣୀ ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା । ଶ୍ରୀ ଆଚାର୍ଯ୍ୟ ଅଭିଯୋଗ ସମ୍ପର୍କିତ ସମସ୍ତ ତଥ୍ୟ ପ୍ରମାଣର କାଗଜାଦ ଉପଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିବା ସହ ଅଭିଯୋଗ ଶୁଣାଣୀ ସମୟରେ ଉପସ୍ଥିତ ଥିଲେ । ଉଭୟ ପକ୍ଷଙ୍କ ଠାରୁ ସମସ୍ତ ଘଟଣା ଶୁଣିବା ପରେ ତୁରନ୍ତ ଅଭିଯୋଗର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ପଟ୍ଟାମୁଣ୍ଡାଇ ତହସିଲଦାର ଦିଲ୍ଲିପ କୁମାର ସେଠୀଙ୍କୁ ଉପଜିଲ୍ଲାପାଳ ଶ୍ରୀ ବେହେରା ନିର୍ଦେଶ ଦେଇଥିବା ବେଳେ ଆସନ୍ତା ୩ମାସ ମଧ୍ୟରେ ଉପଜିଲ୍ଲାପାଳ ସେହି ଅଭିଯୋଗର ଚୂଡାନ୍ତ ଫଇସଲା କରିବେ ବୋଲି ପ୍ରତିଶୃତି ଦେଇଥିବା ଅଭିଯୋଗକାରୀ ଶ୍ରୀ ଆଚାର୍ଯ୍ୟ କହିଛନ୍ତି । ପ୍ରଶାସନ ଦ୍ୱାରା ଏଭଳି ବାରମ୍ବାର ସମୟ ଗଡାଇବାକୁ ନେଇ ଅଭିଯୋଗକାରୀ ଶ୍ରୀ ଆଚାର୍ଯ୍ୟଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିବାରୁ ଯଦି ୩ମାସ ମଧ୍ୟରେ ଉପଜିଲ୍ଲାପାଳ ସଂପୃକ୍ତ ଅଭିଯୋଗର ଚୂଡାନ୍ତ ଫଇସଲା ନକରନ୍ତି ତେବେ ନ୍ୟାୟ ପାଇଁ ସେ ପୁନର୍ବାର ଧାରଣାରେ ବସିବେ ବୋଲି ପ୍ରଶାସନକୁ ଶ୍ରୀ ଆଚାର୍ଯ୍ୟ ଚେତାବନୀ ଦେଇଛନ୍ତି ।