କଟକ, ୦୩ /୧୧/୨୦୨୨ (ଓଡ଼ିଶା ସମାଚାର/ ଦେବାଶିଷ ରଥ)- ବାଜା ବାଣରେ ଦୁଲୁକିଲା ସାରା ପରିବେଶ। ତା ସାଙ୍ଗକୁ ଘଣ୍ଟ ଘଣ୍ଟା ପାରମ୍ପରିକ ବାଦ୍ୟଯନ୍ତ୍ର ରେ ପ୍ରକମ୍ପିତ ହେଲା ସାରା ଅଞ୍ଚଳ। ସମସ୍ତଙ୍କ ତୁଣ୍ଡରେ ଜୟ ମା କାଳୀ ଶୁଣିବାକୁ ମିଳିଥିଲା।ଏ ହେଉଛି କଟକ ପୁର୍ବାଞ୍ଚଳର ପ୍ରସିଦ୍ଧ ବିଦ୍ୟାଧରପୁର କାଳୀ ଭଷାଣୀର ଦୃଶ୍ୟ। ସାତ ଦିନ ରହିବା ପରେ ସମସ୍ତଙ୍କ ଗହଣରୁ ବିଦାୟ ନେଇଛନ୍ତି ଦୁଇ ଭଉଣୀ ମା ବଡକାଳୀ ଓ ସାନକାଳୀ। ମା ଙ୍କ ଏହି ଅପୂର୍ବ ଭଷାଣି କୁ ଦେଖିବା ଲାଗି ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। କେହି କେହି ମା ଙ୍କ ଯିବା ରାସ୍ତାରେ ନୂଆ ଶାଢି ପକାଇଥିଲେ। ମା ଙ୍କ ଭଷାଣି ଯାତ୍ରା ଥିବାରୁ ମଣ୍ଡପରେ ସ୍ୱତନ୍ତ୍ର ବିଧିରେ ପୂଜା କରାଯାଇ କାଳିଘାଟ ଅଭିମୂଖେ ଯତ୍ରା କରିଥିଲେ ଦୂଇ ଭଉଣୀ। ସମସ୍ତ ସାହି ଦେଇ ଶେଷରେ ବିଦାୟ ନେଇଛନ୍ତି ମା। ତେବେ ଭକ୍ତମାନେ ଦୂଇ ମା ଙ୍କୁ କାନ୍ଧରେ ନେଇ ଵିସର୍ଜନ କରିଥିଲେ।
ତେବେ ଏତେବଡ ମେଳା ବା କାଳୀ ଭଷାଣି କୁ ସ୍ୱତନ୍ତ୍ର ଉତ୍ସବର ମାନ୍ୟତା ଦେବାକୁ ପ୍ରୟାସ କରିବେ ବୋଲି କହିଛନ୍ତି ବିଧାୟକ ସୈଭିକ୍ ବିଶ୍ୱାଳ। ବିଦ୍ୟାଧରପୁରର ଏହି ଭଷାଣ ପାଇଁ ଗତକାଲି ମେଳଣ ହୋଇଥିଲା । ମା କାଳୀଙ୍କ ସହ ୨୮ ଗୋଟି ସାହିର ବିଭିନ୍ନ ଦେବଦେବୀଙ୍କ ମେଢ଼ ଶୋଭାଯାତ୍ରାରେ ସାହି ପରିକ୍ରମା କରିବା ପରେ ମେଳଣ ପଡିଆରେ ଏକତ୍ରିତ ହୋଇଥିଲେ । ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ବାବା ଆର୍ତ୍ତାତ୍ରାଣ,ମେୟର ସୁବାଷ ସିଂହ,ଡ଼େପୁଟି ମେୟର ଦମୟନ୍ତି ମାଝି, ଡିସିପି ପିନାକ ମିଶ୍ର, ବିଧାୟକ ସୌଭିକ୍ ବିଶ୍ୱାଳ, କଟକ ଶାନ୍ତି କମିଟି ସଭାପତି, ସମ୍ପାଦକ,ପୂର୍ବାଞ୍ଚଳ ଶାନ୍ତି କମିଟି ସମ୍ପାଦକ, ବିଦ୍ୟାଧରପୁର ପୂଜା କମିଟି କର୍ମକର୍ତା ପ୍ରମୁଖ ଯୋଗ ଦେଇ ସମସ୍ତ ମେଢ଼ ର ସଭାପତି, ସମ୍ପାଦକ ଏବଂ ଗଣମାଧ୍ୟମ ପ୍ରତିନିଧି ଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ ।
କୋଭିଡ଼ ପାଇଁ ଦୁଇ ବର୍ଷ ହେବ ପାଇଁ ଉତ୍ସବ ବନ୍ଦ ରହିଥିଲା । ଚଳିତ ବର୍ଷ ମହା ଆଡମ୍ବର ସହକାରେ ଉତ୍ସବରେ ସାମିଲ ହୋଇଥିଲେ ସ୍ଥାନୀୟ ବାସିନ୍ଦା । ବିଦ୍ୟାଧପୁରର ଏହି ମେଳଣରେ ମିନା ବଜାରର ଆୟୋଜନ କରାଯାଇଥିଲା । ପିଲାଙ୍କ ପାଇଁ ବିଭିନ୍ନ ଦୋଳି,ଘରକରଣା ସାମଗ୍ରୀ ଆଦି ଷ୍ଟଲ ଲାଗିଥିଲା । ଲୋକମାନେ ମହା ଆନନ୍ଦରେ ଭରପୁର ଉପଭୋଗ କରିଛନ୍ତି । ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ୨୦ ପ୍ଲାଟନ୍ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଅନେକ କିମ୍ବଦନ୍ତୀ ଏବଂ ଇତିହାସ ଥିବା ଏହି ମେଳେଣ କୁ ସରକାର ଜାତୀୟ ସ୍ତରୀୟ ମାନ୍ୟତା ଦେବାକୁ ଅନେକ ମତ ଦେଇଛନ୍ତି । ଓଡ଼ିଶା ସମାଚାର