ମୋବାଇଲ ସାଜିଛି ମାଧ୍ୟମ,ଲାଭରେ ଚୋରା ବେପାରୀ, କ୍ଷତିରେ ସରକାରୀ ଦେଶୀ ମଦ ଲାଇସେନ୍ସଧାରୀ
ଚଢାଉ ଯେତିକି ହେଉଛି , ମାଲ୍ ସେତିକି ବାହାରୁଛି —
ଭୁବନ ୦୩/୧୧/୨୦୨୨(ଓଡ଼ିଶା ସମାଚାର)- ମଦ ଓ ଗେଞ୍ଜଇ ଏବେ ଭୁବନରେ କାୟା ବିସ୍ତାର କରିଛି । ସବୁ ସ୍ଥାନରେ ଏବେ ଖୁଲମଖୁଲା ବିକି୍ର ଚାଲିଛି । ଏହାକୁ ଖାଇବା ପାଇଁ ଯୁବକମାନେ ମଧ୍ୟ ପାଗଳ । ସମ୍ପ୍ରତି ବହୁ ଦୋକାନରେ ଏହା ଏବେ ଉପଲବ୍ଧ ହେଲାଣି । ଭୁବନ ଏନଏସିରେ ୩ଟି ଠିପିଖୋଲା ବାର୍ ସହିତ ଗୋଟିଏ ଠିପିବନ୍ଦ ବିଦେଶୀ ମଦ ଦୋକାନ ଓ ଗୋଟିଏ ସରକାରୀ ଦେଶୀ ମଦ ଭାଟି ରହିଥିବା ବେଳେ ଭୁବନ ବ୍ଲକର ଦୟଣାବିଲି ଓ ନୂଆହାଟରେ ଗୋଟିଏ ଲେଖାଁଏ ବିଦେଶୀ ଠିପିବନ୍ଦ ମଦ ଦୋକାନ ରହିଛି । ଚନ୍ଦାର ଓ ନୟାନୀଳକଣ୍ଠପୁରରେ ଗୋଟିଏ ଲେଖାଏ ଦେଶୀ ମଦଭାଟି ମଧ୍ୟ ଖୋଲିଛି । ଭୁବନ ଏନଏସିର ନିର୍ଦ୍ଧିଷ୍ଟ ଗୋଟିଏ ୱାର୍ଡ ସମେତ ବ୍ଲକର ମଧ୍ୟ ନିର୍ଦ୍ଧିଷ୍ଟ ଭାବେ ୩/୪ ଟି ଗ୍ରାମରେ ରନ୍ଧା ଦେଶୀ ମଦ ବିପୁଳ ପରିମାଣରେ ପ୍ରସ୍ତୁତି ହୋଇ ସ୍ଥାନୀୟ ଅଂଚଳରେ ବିକ୍ରି ହେବା ସହିତ ଆଖପାଖ ବିଭିନ୍ନ ଅଂଚଳକୁ ଚାଲାଣ ହେଉଛି । ଅଧିକ ଦାମ ଯୋଗୁ କେତେକ ଲୋକ ବିଦେଶୀ ମଦ ପରିବର୍ତେ ଶସ୍ତାରେ ମିଳୁଥିବା ରନ୍ଧା ଦେଶୀ ମଦ ଉପରେ ନିର୍ଭର କରୁଛନ୍ତି । ଗାଁ ଗାଁ ରେ ଚୋରା ମଦ ବେପାରୀ ଓ ମୋବାଇଲ ବେପାରୀ ସକ୍ରିୟ ରହି ଫୋନ ପାଇବା ମାତ୍ରେ ସେଙ୍ଗସେଙ୍ଗ ମାଲ୍ ହାଜର କରିଦେଉଛନ୍ତି । ନକଲି ତଥା ଚୋରା ମଦ ବେପାରୀଙ୍କ ପ୍ରତି ରୀତିମତ ଚଢାଉ/ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ସତ୍ୱେ ନକଲି ତଥା ଅତ୍ୟଧିକ ନିଶାଯୁକ୍ତ ମଦ ପିଇ ମଦୁଆ ରାସ୍ତାରେ ଗଡୁଥିବା ଦେଖିବାକୁ ମିଳୁଛି । ଯେତିକି ଚଢାଉ ହେଉଛି , ସେତିକି ମାଲ୍ ବାହାରୁଛି । ବିଭିନ୍ନ ପାନ ଦୋକାନରେ ଦେଶୀ,ବିଦେଶୀ ମଦ ର ଅବାଧ କାରବାର ଚାଲିଥିବା ସହ କୋର୍ଡ ୱାର୍ଡ (ରାଜା) ନାମରେ ଗେଞ୍ଜଇ ସିଗାରେଟ ପ୍ରବଳ ମାତ୍ରାରେ ବିକ୍ରି ହେଉଛି । ଗୋଟିଏ ପ୍ୟାକେଟ ଗେଞ୍ଜଇ ସିଗାରେଟ (ରାଜା) ର ଦାମ ପ୍ରାୟ ୧୦୦ ଟଙ୍କାରୁ ଆରମ୍ଭ କରି ରୁ ୧୫୦ /୨୦୦ ଶହ ଟଙ୍କାରେ ବିକ୍ରି ହେଉଛି । ଆଗରୁ ବିଭିନ୍ନ ଅଂଚଳରେ ଲୁଚା ଚୋରାରେ ମିଳୁଥିବା ବେଳେ ଏବେ କିନ୍ତୁ ଗଳିକନ୍ଦି ସବୁ ଜାଗାରେ ମିଳୁଛି । ପୂର୍ବରୁ ଗେଞ୍ଜଇ ନାଁ ଶୁଣିଲେ ଲୋକେ ଯେଉଁପରି ପ୍ରତିକି୍ରୟା ପ୍ରକାଶ କରୁଥିଲେ ଏବେ କିନ୍ତୁ ଏହା କ୍ରମଶଃ ସାଧାରଣ କଥାରେ ପରିଣତ ହୋଇଗଲାଣି । ବହୁ ଯୁବକ ସମ୍ପ୍ରତି କୁପଥର ପଥିକ ହୋଇ ବିପଦଗାମୀ ମଧ୍ୟ ହୋଇଗଲେଣି । ଏଥିପାଇଁ ଚୋରି ଡକାୟତି ମାଡପିଟ ଆଦି ଘଟଣା ଦେଖିବାକୁ ମିଳୁଛି । ମଦ,ଗେଞ୍ଜଇ ସିଗାରେଟ କିଣିବା ପାଇଁ ଅର୍ଥର ଆବଶ୍ୟକତା ପଡୁଛି । ଏଥିପାଇଁ ଆବଶ୍ୟକ ହେଲେ ବେଆଇନ କାର୍ଯ୍ୟ କରିବାକୁ ଯୁବକମାନେ ପଛାଉନାହାଁନ୍ତି । ଗେଞ୍ଜଇ ସିଗାରେଟରେ ଡ୍ରଗ୍ସ ମିଶାଇ ଯୁବକଙ୍କୁ ଅଧିକ ଦାମରେ ବିକି୍ର କରାଯାଉଥିବା ଶୁଣିବାକୁ ମିଳୁଛି । ଗାଁ ଗହଳିରେ ନକଲି ତଥା ଚୋରା ଦେଶୀ , ବିଦେଶୀ ଓ ପାଉଚ ମଦର ବନ୍ୟା ଯୋଗୁ ସରକାରୀ ଲାଇସେନ୍ସ ପ୍ରାପ୍ତ ଦୋକାନ ଘାଟାରେ ଚାଲିଛି । ଅନେକ ସ୍ଥାନରେ ବେଆଇନ ଭାବେ ମଦ ରନ୍ଧାଯାଇ ଚୋରାରେ ମଦ ଅଣାଯାଇ ବିଭିନ୍ନ ଲୋକଙ୍କୁ ଖୁଚୁରା ବିକ୍ରୟ ପାଇଁ ଦିଆଯାଉଛି । ସରକାର ମଦରୁ ବିପୁଳ ରାଜସ୍ୱ ପାଉଥିବା ଯୋଗୁ ମଦ ବିକ୍ରିକୁ ପ୍ରୋତ୍ସାହନ ଦେଉଥିବା ବେେଳେ ଚୋରା କାରବାର ଯୋଗୁ ଲାଇସେନ୍ସଧାରୀ ମାନେ ସରକାରଙ୍କୁ ଟିକସ ଦେଇନପାରୀ ହତାଶ ହୋଇ ପଡୁଛନ୍ତି । ଲକଡାଉନ,ସଟଡାଉନ ସମୟରେ କିଛିଦିନ ମଦ ବେପାର ବନ୍ଦ ହେବା ପରେ ସରକାର ଅନଲାଇନରେ ମଦବିକ୍ରିକୁ ଅନୁମତି ଦେବା ସହିତ ୫୦ ପ୍ରତିଶତ କୋଭିଡ ଟାକ୍ସ ନେଇଥିଲେ କିନ୍ତୁ ସରକାରୀ ଦେଶୀ ମଦ ଭାଟି ଆଦୌ ଖୋଲିନଥିଲା କି ବେପାର ହୋଇନଥିଲା । କୋଭିଡ କଟକଣା ପରେ ବିଦେଶୀ ମଦ ଦୋକାନୀ ମାନେ ମଦ୍ୟପ ଙ୍କ ଠାରୁ ଅଧିକ ଦର ଆଦାୟ କରି ପ୍ରଚୁର ଲାଭବାନ ହେଉଥିବା ବେଳେ ସରକାରୀ ଦେଶୀ ମଦ ଭାଟି ଗୁଡିକ ଟାକ୍ସ ପଇଠ କରିନପାରି ବେପାର ବନ୍ଦ କରିବାକୁ ବସିଛନ୍ତି । କରୋନା ଯୋଗୁ ବିପୁଳ ଆର୍ଥôକ କ୍ଷତି ସହିଥିବା ଦେଶୀ ମଦ ଭାଟି ଗୁଡିକୁ ସରକାର ପ୍ରୋତ୍ସାହନ ନଦେଇ ପ୍ରତିମାସ ପହିଲାରେ ଟିକସ ପଇଠ କରିବାକୁ ତାଗିଦ କରିଥିବାରୁ ଏନେଇ ସେମାନେ ଚିନ୍ତାଗ୍ରସ୍ତ ହୋଇପଡିଛନ୍ତି । ଭୁବନ ବାଉଁଶକଣ ଶିଳ୍ପାଂଚଳରେ ଥିବା ଦେଶି ମଦ ଭାଟି ଏହି ବ୍ଲକ ଅନ୍ତର୍ଗତ ନୟାନୀଳକଣ୍ଠପୁର ,ଚନ୍ଦାର , ଓଡିଶ ଗ୍ରାମରେ ସବବ୍ରାଂଚ କାଉଂଟର ଖୋଲିଥରବା ବେଳେ ସମସ୍ତ କାଉଣ୍ଟରରେ ମାସକୁ ହାରାହାରି ମାତ୍ର ୩୫୦୦୦ ଟଙ୍କାର ମଦ ବିକ୍ରି ହେଉଛି । ଏପରିସ୍ଥଳେ ସରକାର ମାସକୁ ୧୩ ଲକ୍ଷ ୫୦ ହଜାର ଟଙ୍କା ଲାଇସେନ୍ସ ଫି/ଟିକସ ପଇଠ କରିବାକୁ ତାଗିଦ କରୁଥିବାରୁ ଆଉ ଅଧିକ କ୍ଷତି ସହିବା ପୂର୍ବରୁ ବ୍ୟବସାୟ ବନ୍ଦ କରିଦେବାକୁ ସଂପୃକ୍ତ ଭାଟି ମାଲିକ ନିଷ୍ପତି ନେଇଛନ୍ତି ଓ ଏଥିପ୍ରତି ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ନିବେଦନ କରିଛନ୍ତି ।