Saturday , June 10 2023
Breaking News
Home / ଶିକ୍ଷା / କେନ୍ଦ୍ରାପଡା ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ

କେନ୍ଦ୍ରାପଡା ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ

କେନ୍ଦ୍ରାପଡ଼ା,୦୩/୧୧/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୨ ଭରତପୁର ଗ୍ରାମପଂଚାୟତର ମେହେନ୍ଦିପୁରସ୍ଥିତ ଲାଲ ବାହାଦୂର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ମଣ୍ଡଳ ଶିକ୍ଷା ଅଧିକାରୀ ପାବନି କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ କେନ୍ଦ୍ରାପଡା ପଂଚାୟତ ସମିତି ଅଧ୍ୟକ୍ଷା ରଶ୍ମୀତା ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ମହୋତ୍ସବକୁ ଉଦଘାଟନ କରିଥିଲେ ।  ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନେ ସେମାନଙ୍କ ଦକ୍ଷତାକୁ ପ୍ରତିପାଦନ କରିବାକୁ ସେ ପରାମର୍ଶ ଦେଇଥିଲେ । ବିଦ୍ୟାଳୟ ଗୁଡିକର ବିକାଶ ପାଇଁ ଅଧ୍ୟକ୍ଷା ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ । ମୁଖ୍ୟବକ୍ତା ଭାବେ ପଣ୍ଡିତ ହୃଷିକେଶ ରଥ ଯୋଗଦେଇ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କ ନାମରେ ନାମିତ ଏହି ବିଦ୍ୟାଳୟରେ ଶିଶୁ ମହୋତ୍ସବର ଆୟୋଜନ କରାଯାଇଥିବାରୁ କାର୍ଯ୍ୟକ୍ରମର ସଫଳତା କାମନା କରିଥିଲେ । ଏହି ଅବସରରେ ଶ୍ରୀ ରଥ ଗୁରୁ ଶିଷ୍ୟର ପରମ୍ପରାକୁ ନେଇ ଋଷି ସନ୍ଦିପନୀ ଓ ଶ୍ରୀକୃଷ୍ଣଙ୍କ ଉପାଖ୍ୟାନକୁ ଅବତାରଣା କରିଥିଲେ । ଉଦାମ ସିଂଙ୍କ ଭଳି ଶିଶୁ ଆମ ଦେଶ ପାଇଁ ବଳିଦାନ ଦେଇଥିବାରୁ ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହୋଇ ସମସ୍ତ ଛାତ୍ରଛାତ୍ରୀମାନେ ନିଜ ଭିତରେ ଥିବା ପ୍ରତିଭା ଓ ଦକ୍ଷତାର ବିକାଶ ସହ ଏକ ସୁନ୍ଦର ଭବିଷ୍ୟତ ଗଠନରେ ବ୍ରତୀ ହେବାକୁ  ଆହ୍ୱାନ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ସହ ମଣ୍ଡଳ ଶିକ୍ଷା ଅଧିକାରୀ ବନ୍ଦନା ସ୍ୱାଇଁ ଓ କୁମୁଦିନି ଦେଇ, ମୋ ସ୍କୁଲ ଅଭିଯାନ ସଭାପତି ଶାରଦା ପ୍ରସନ୍ନ ରାଉତ, ସି.ଆର.ସି.ସି. ଶୈଳେନ କୁମାର ପରିଡା, ବିଦ୍ୟାଳୟ ପରିଚାଳନା ସମିତି ସଭାପତି ଶାରଦା ପ୍ରସାଦ ରାଉତ, ସମିତି ସଭ୍ୟା ପ୍ରଣତୀ ବେହେରା ପ୍ରମୁଖ ଯୋଗଦେଇ ମହୋତ୍ସବର ସଫଳତା କାମନା କରିଥିଲେ । ପଣ୍ଡିତ ପ୍ରତାପ କୁମାର ପତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଲାଲ ବାହାଦୂର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ସହ ମଣ୍ଡଳ ଶିକ୍ଷା ଅଧିକାରୀ ପ୍ରଫୁଲ୍ଲ କୁମାର ସ୍ୱାଇଁ ମହୋତ୍ସବର ଉଦେଶ୍ୟ ଜ୍ଞାପନ କରିଥିଲେ । ଏହି ଶିଶୁ ମହୋତ୍ସବରେ କେନ୍ଦ୍ରାପଡା ବ୍ଲକ ଓ ପୌରାଂଚଳର ୨୫୦ରୁ ଉଦ୍ଧ୍ୱର୍ ବିଦ୍ୟାଳୟର ୪୦୮ଜଣ ପ୍ରତିଯୋଗୀ ଛାତ୍ରଛାତ୍ରୀ ତର୍କ, ବକ୍ତୃତା, ଚିତ୍ରାଙ୍କନ, ଓଡିଆ ହସ୍ତାକ୍ଷର, ସଂଗୀତ, ଅଭିନୟ ଓ ଚିତ୍ରକଳା ଭଳି ପ୍ରତିଯୋଗୀତାରେ ଅଂଶଗ୍ର୍ରହଣ କରିଥିଲେ । ଶିକ୍ଷକ ପ୍ରକାଶ କୁମାର ବେହେରା, ଜୟଶ୍ରୀ ମମତା ଦାସ, ସଶ୍ମିତା ନାୟକ, ନାରାୟଣ ଜେନା, ସଦାଶିବ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଅପରାହ୍ନରେ ଅନୁଷ୍ଠିତ ଉତ୍ସବରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନେ ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବେ ।

Leave a Reply

Your email address will not be published.