Saturday , June 10 2023
Breaking News
Home / କୃଷି / କେନାଲରେ ପାଣି ଯାଉନଥିବାରୁ ଗଣ୍ଡାଖିଆ-କେନ୍ଦ୍ରାପଡା ରାସ୍ତାରୋକ

କେନାଲରେ ପାଣି ଯାଉନଥିବାରୁ ଗଣ୍ଡାଖିଆ-କେନ୍ଦ୍ରାପଡା ରାସ୍ତାରୋକ

କେନ୍ଦ୍ରାପଡ଼ା, ୦୩/୧୧/୨୦୨୨(ଓଡ଼ିଶା ସମାଚାର)-  ଗଣ୍ଡାଖିଆ କେନାଲର କଂସାର ପଂଚାୟତର ଶେଷମୁଣ୍ଡ କାଙ୍କଦିଆଠାରେ ଥିବା ଜଳସେଚନ ବିଭାଗର ଆନିକଟକୁ ବନ୍ଦ କରିଦେଇ କେତେକ ଅସାମାଜିକଲୋକ ମାଛମାରୁଥିବାରୁ ପୁରୁଷୋତମପୁର ଓ ଆୟବା ପଂଚାୟତର ଦଶଟି ଗ୍ରାମର ଚାଷୀମାନଙ୍କ ଚାଷଜମିକୁ ପାଣି ପହଂଚି ପାରୁନାହି । ଯାହା ଫଳରେକି ସେହି ଦୁଇଟି ପଂଚାୟତର ଶହଶହ ଏକର ଧାନ ଫସଲ ସମ୍ପୂର୍ଣ୍ଣଭାବେ ମରିଯିବା ଅବସ୍ଥାକୁ ଆସିଗଲାଣି । ମାଛମାରୁଥିବା ଲୋକମାନଙ୍କୁ ଯେତେ ବୁଝାଇଲେବି ସେମାନେ ପାଣି ଛାଡୁନଥିବା ବେଳେ ଜଳସେଚନ ବିଭାଗ କନିଷ୍ଠ ଯନ୍ତ୍ରୀ ଏହି ଘଟଣାର ଉଦାସୀନ ରହୁଥିବାରୁ ଚାଷୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏସମ୍ପର୍କରେ ଜଳସେଚନ ବିଭାଗର ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ବି କୌଣସି ସୁଫଳ ମିଳିନାହିଁ । ତେଣୁ ଚାଷୀମାନେ ବାଧ୍ୟହୋଇ ଜିଲ୍ଲାପାଳଙ୍କୁ ଭେଟି ଆନିକଟକୁ୨୪ଘଂଟା ମଧ୍ୟରେ ଅବରୋଧ ମୁକ୍ତ କରାନଗଲେ  ସେହି ଦୁଇଟି ପଂଚାୟତର ଚାଷୀମାନେ ଗଣ୍ଡାଖିଆ-ସାନ୍ତସାହି ମୁଖ୍ୟରାସ୍ତାକୁ ଅବରୋଧ କରିବେ ବୋଲି ଏକ ଦାବିପତ୍ର ପ୍ରଦାନ କରି  ଚେତାବନୀ ଦେଇଥିଲେ । କିନ୍ତୁ ସେହି ଚେତାବନୀ ପ୍ରତି ଜିଲ୍ଲା ପ୍ରଶାସନ କିମ୍ବା ଜଳସେଚନ ବିଭାଗ ଗୁରୁତ୍ୱ ନଦେବାରୁ ଗୁରୁବାର ସକାଳେ ସେହି ଦୁଇଟି ପଂଚାୟତର ଶହଶହ ଚାଷୀ ଗଣ୍ଡାଖିଆ-ସାନ୍ତସାହି ମୁଖ୍ୟରାସ୍ତାକୁ ଆୟବା ଠାରେ ଅବରୋଧ କରିଥିଲେ । ଏସମ୍ପର୍କରେ ଖବରପାଇ ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଇଂ ଉମେଶ ସେଠୀ ଘଟଣାସ୍ଥଳକୁ ଯାଇ ଆନ୍ଦୋଳନକାରୀ ଚାଷୀମାନଙ୍କୁ ବୁଝାସୁଝା କରିବା ସହିତ କାଙ୍କଦିଆ ଆନିକଟକୁ ଅବରୋଧ ମୁକ୍ତ କରିଥିଲେ । ଏହାଦ୍ୱାରା ପୁରୁଷୋତମପୁର ଓ ଆୟବା ପଂଚାୟତର ଦଶଟି ଗ୍ରାମର ଚାଷଜମିକୁ ଜଳଯୋଗାଣ ସ୍ୱାଭାବିକ ହୋଇପାରିଛି । କାଙ୍କଦିଆ ଆନିକଟ ଅବରୋଧମୁକ୍ତ ହେବାପରେ ଆନ୍ଦୋଳନକାରୀ ଚାଷୀମାନେ ରାସ୍ତା ଅବରୋଧ ଆନ୍ଦୋଳନକୁ  ପ୍ରତ୍ୟାହାର କରି ନେଇଛନ୍ତି ।

Leave a Reply

Your email address will not be published.