ଲୋକଙ୍କ ବିରୋଧ ଯୋଗୁ ହଟହଟା ବନ ବିଭାଗ: ବନ ବିଭାଗ କାର୍ଯ୍ୟକଳାପକୁ ନେଇ ସନ୍ଦେହରେ ଅଂଚଳବାସୀ
ନିରାକାରପୁର, ୦୨/୧୧/୨୦୨୨(ଓଡ଼ିଶା ସମାଚାର)- ବର୍ଷ ବର୍ଷ ଧରି ଖୋର୍ଦ୍ଧା ବନଖଣ୍ଡ ଅଧୀନସ୍ଥ ଟାଙ୍ଗୀ ରେଞ୍ଜ ଅଂଚଳ ହାତୀମାନେ ଡ଼େରା ପକାଇ ଧାନ ଫସଲଠାରୁ ଆରମ୍ଭ କରି ଜନଜୀବନ ପ୍ରତି ବିପଦ ଆଣୁ ଥିବାବେଳେ ଆଜି ଏକ ଅଭାବନୀୟ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଓ ହତବାକ କରିଛି । କୋଟିଏ ଦନ୍ତା ହାତୀକୁ ବନ ବିଭାଗ ଭୁବନେଶ୍ୱରରୁ ଟ୍ରାଙ୍କୁଲାଇଜ କରି ଚନ୍ଦକା ଜଙ୍ଗଲରେ ଛାଡ଼ିବା ପରିବର୍ତେ କେଉଁ କାରଣରୁ ଟାଙ୍ଗୀ ରେଞ୍ଜରେ ଛାଡ଼ିବାକୁ ମସୁଧା ଜଣାଇଥିବା କିଛି ବୁଝାର ପଡ଼ୁନାହିଁ । ସୂଚନାଯୋଗ୍ୟ କି ଗୋଟିଏ ଦନ୍ତା ହାତୀ ପିପିଲକୁ ଯାଇ ସେଠାର ଉତ୍ପାତ ମଚାଇଥିବାବେଳେ ଗତକାଲି ରାତିରେରାଛକ ପଟୁ ଭୁବନେଶ୍ୱର ସହର ଅଂଚଳକୁ ରାତିରେ ବୁଲୁଥିବାର ଲୋକ ଦେଖି ଭୟଭୀତ ହୋଇପଡ଼ିଥିଲେ । ପରେ ବହୁ କଷ୍ଟରେ ପାତ୍ରପଡ଼ା ନିକଟରୁ ବନ ବିଭାଗ ଟ୍ରାଙ୍କୁଲାଇଜ କରି ଧରିଥିବାବେଳେ ତାକୁ ଏକ ହାଇୱାରେ ଚଡ଼ାଇ ସେଠାରୁ ଆଣି ଟାଙ୍ଗୀ ରେଞ୍ଜ ପଟିଆ ଜଙ୍ଗଲରେ ଛାଡ଼ିବାକୁ ଚେଷ୍ଟା କରିଥିଲେ । ଏହାକୁ ଦେଖି ଅର୍ଜୁନପୁରଠାରେ ଲୋକମାନେ ରାସ୍ତା ଅବରୋଧ କରି ହାତୀକୁ ନ ଛାଡ଼ିବାକୁ ବାରଣ କରିଥିଲେ । ଫଳରେ ବନ ବିଭାଗ ହାତୀଟିକୁ ପୁନର୍ବାର ବଡ଼ପୋଖରୀଆ କମାଗୁରୁ ରାସ୍ତା ନିକଟସ୍ଥ ନାଲସିଂହ ଜଙ୍ଗଲରେ ଛାଡ଼ିବାକୁ ଉଦ୍ୟମ କରୁଥିବାବେଳେ ସେଠାରେ ମଧ୍ୟ ଗ୍ରାମବାସୀ ବିରୋଧ କରିଥିଲେ । ଫଳରେ ବନ ବିଭାଗ ହାତୀକୁ ଧରି ଖୋର୍ଦ୍ଧା ନିକଟସ୍ଥ କେତକକୀଝରୀରେ ଥିବା ବନ ବିଭାଗର ପ୍ରାଣୀ ଆଶ୍ରୟ ସ୍ଥଳୀରେ ରଖିଥିବାବେଳେ କେଉଁଠି ଛାଡ଼ିବେ ସେଥିନେଇ ବିଚାର ବିମର୍ଶ ଚାଲିଥିବା ଶୁଣିବାକୁ ମିଳିଛି ।
କିନ୍ତୁ ପୁନର୍ବାର ହାତୀକୁ ଟାଙ୍ଗୀ ରେଞ୍ଜର କୌଣସି ସ୍ଥାନରେ ବିଳମ୍ବିତ ରାତିରେ ବନ ବିଭାଗ ଛାଡ଼ିବାର ଲୋକେ ସନ୍ଦେହ କରୁଛନ୍ତି । ଏ ସବୁକୁ ବିଚାର କଲେ ସାଧାରଣ ଲୋକଙ୍କ ଧନଜୀବନ ଓ ଫସଲ ପ୍ରତି ବନ ବିଭାଗ ଆଖି ବୁଜି ଦେଇ ନିଜର ସୁବିଧାବାଦୀ ଚିନ୍ତାଧାରକୁ ଏଠାରେ ପ୍ରଦର୍ଶନ କରୁଥିବାର ଦେଖାଯାଉଛି । ଧାନ ଫସଲ ପାଚିବାର ସମୟ ଆସିଲାଣି ଓ ହାତୀ ଏହି ଅଂଚଳରେ ଅନେକ ପ୍ରାଣହାନୀ ଘଟାଇଥିଲେ ବି କିପରି ବନ ବିଭାଗ ଏହାକୁ ହାତୀଙ୍କ ଅଭ୍ୟାୟରଣ୍ୟଭାବି ହାତୀକୁ ଚନ୍ଦକାରେ ନ ଛାଡ଼ି ଟାଙ୍ଗୀ ରେଞ୍ଜକୁ ଆଣୁଛନ୍ତି ଏହାକୁ ନେଇ ସାଧାରଣ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଥିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି ।