କଟକ, ୦୨/୧୧/୨୦୨୨(ଓଡ଼ିଶା ସମାଚାର)- ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜ୍ଜନ କରିଥିବା ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କଟକ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଡ଼ଃ ଭବାନୀ ଶଙ୍କର ଚୟନୀଙ୍କ ଅନୁରୋଧ କ୍ରମେ ତଳ ବାଲିଯାତ୍ରା ପଡିଆ ପରିଦର୍ଶନ କରିଥିଲେ। ବାଲୁକାକଳା ପ୍ରଦର୍ଶନ ନିମନ୍ତେ ଉପଯୁକ୍ତ ସ୍ଥାନ ନିରୂପଣ ମଧ୍ୟ କରାଯାଇଛି।ଚଳିତବର୍ଷ ବାଲିଯାତ୍ରା ଅଭିନବ ରୂପରେ ସଂଗଠିତ ହେଉଥିବାରୁ ବାଲୁକା କଳା ଏକ ସ୍ୱତନ୍ତ୍ର ଆକର୍ଷଣର କେନ୍ଦ୍ରବିନ୍ଦୁ ହେବବୋଲି ଜିଲ୍ଲାପାଳ ଡ଼ଃ ଚୟନୀ ପ୍ରକାଶ କରିଛନ୍ତି।
ପ୍ରକାଶ ଥାଉକି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସଂଗଠିତ ହେଉଥିବା ପ୍ରତିଷ୍ଠିତ ଉତ୍ସବ ଗୁଡିକରେ ବାଲୁକକଳାକୁ ପ୍ରଦର୍ଶନ କରାଯାଉଛି।ବାଲିଯାତ୍ରାର ବିଷୟବସ୍ତୁକୁ ଆଧାରକରି ଶ୍ରୀ ପଟ୍ଟନାୟକ ଜନସାଧାରଣଙ୍କୁ ଅଭିଭୂତ କଲାଭଳି ବାଲୁକାଶିଳ୍ପ ପ୍ରଦର୍ଶନ କରିବାର ଦକ୍ଷତା ରହିଛି ବୋଲି ଜିଲ୍ଲାପାଳ ଡ଼ଃ ଚୟନୀ ମତବ୍ୟକ୍ତ କରିଛନ୍ତି।ବାଲୁକାଶିଳ୍ପୀ ଶ୍ରୀ ପଟ୍ଟନାୟକ ରାଜ୍ୟ ଓ ଦେଶ ପାଇଁ ଅଜସ୍ର ସୁନାମ ଅର୍ଜ୍ଜନ କରିଥିବାବେଳେ ବାଲୁକା କଳାର ପ୍ରସାର ପାଇଁ ଅହରହ ଉଦ୍ୟମ କରିଆସୁଛନ୍ତି ବୋଲି ସେ ପ୍ରକାଶ କରିଥିଲେ। ବାଲୁକା କଳାର ପ୍ରଦର୍ଶନକୁ ଆକର୍ଷଣୀୟ କରିବା ପାଇଁ ଉଜ୍ଜଳ ଆଲୋକ ବ୍ୟବସ୍ଥା ସହ ଆନୁସଙ୍ଗିକ ଭିତ୍ତିଭୂମି ପ୍ରସ୍ତୁତ କରାଯିବ ବୋଲି ସେ ସୂଚନା ଦେଇଥିଲେ।