Wednesday , May 31 2023
Home / ବିଶେଷ / ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

କେନ୍ଦ୍ରାପଡ଼ା, ୦୨/୧୧/୨୦୨୨(ଓଡ଼ିଶା ସମାଚାର)- ପ୍ରଶାସନକୁ ସ୍ୱଛ, ନିର୍ମଳ ଓ ଉତରଦାୟୀ କରିବା ଉପଲକ୍ଷେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଛି । ଓଡିଶା ସରକାରଙ୍କ ନିର୍ଦେଶ ଅନୁଯାୟୀ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅକ୍ଟୋବର ୩୧ରୁ ଆରମ୍ଭ ହୋଇ ନଭେମ୍ବର ୬ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ । ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପିତାମ୍ବର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ସଭାରେ ସମ୍ମାନୀତ ଅତିଥି ଭାବେ କେନ୍ଦ୍ରାପଡା ଦୁର୍ନୀତି ନିବାରଣ ବିଭାଗ ଡିଏସପି ଭାଗ୍ୟଲକ୍ଷ୍ମୀ ପୁହାଣ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ, ମୁଖ୍ୟବକ୍ତା ଭାବରେ ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା ଯୋଗଦେଇଥିଲେ । ଦେଶର ଆର୍ଥିକ,  ରାଜନୈତିକ ଓ ସାମାଜିକ ପ୍ରଗତି ପଥରେ ଦୁର୍ନୀତି ହିଁ ସବୁଠୁ ବଡ ପ୍ରତିବନ୍ଧକ ବୋଲି ଶ୍ରୀ ସାମଲ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ସମସ୍ତ କର୍ମଚାରୀ ଓ ଅଧିକାରୀଗଣ ସେମାନଙ୍କ କର୍ତବ୍ୟ ଓ କାର୍ଯ୍ୟଧାରାରେ ସାଧୁତା ଓ ସ୍ୱଛତା ବଜାୟ ରଖିବା ସହ ଆତ୍ମ ସମୀକ୍ଷା କରିବା ନେଇ ଶ୍ରୀ ସାମଲ ପରାମର୍ଶ ଦେଇଥିଲେ । ସରକାରୀ ଅନୁଷ୍ଠାନର ଅଭିବୃଦ୍ଧି ଓ ସୁଖ୍ୟାତି  ନିମନ୍ତେ ସର୍ବଦା ସତର୍କତା ଅବଲମ୍ବନ କରିବେ ଏବଂ ଲୋକମାନଙ୍କୁ ମୂଲ୍ୟବୋଧ ଭିତିିକ ସେବା ଯୋଗାଇଦେବେ । ବିବେକାନୁମୋଦିତ ଭାବେ କର୍ତବ୍ୟ ସମ୍ପାଦନ କରିବା ସହ ବିନା ଭୟ ଓ ବିନା ଅନୁଗ୍ରହ ପ୍ରଦର୍ଶନ ପୂର୍ବକ କାର୍ଯ୍ୟ କରିବା ପାଇଁ ଶ୍ରୀ ସାମଲ ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଆହ୍ୱାନ ଦେଇଥିଲେ । ଦୁର୍ନୀତି ପାଇଁ ରାଜ୍ୟ ସରକାର ୧୬୮ଜଣ ଅଧିକାରୀ ଓ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଶ୍ରୀ ସାମଲ ପ୍ରକାଶ କରିଥିଲେ । ଦୁର୍ନୀତି ନିବାରଣ ବିଭାଗ ଡିଏସପି ଶ୍ରୀମତୀ ପୁହାଣ ଦୁର୍ନୀତି ନିବାରଣ ସପ୍ତାହ ପାଳନର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଦୁର୍ନୀତି ସବୁ କ୍ଷେତ୍ରକୁ ପରିବ୍ୟାପ୍ତ ହୋଇଥିବା ନେଇ ଗଭୀର ଉଦବେଗ ପ୍ରକାଶ କରିବା ସହ ଏହାକୁ ରୋକିବା ଦିଗରେ ସମାଜର ପ୍ରତ୍ୟେକ ବର୍ଗର ଲୋକ ସଚେତନ ହୋଇ ଏହାକୁ ବିରୋଧ କରିବା ପାଇଁ ମୁଖ୍ୟବକ୍ତା ପ୍ରାଧ୍ୟାପକ ଶ୍ରୀ ପରିଡା ପରାମର୍ଶ ଦେଇଥିଲେ । ବୈଠକରେ ଉପସ୍ଥିତ ପ୍ରଦୀପ ଦାସ, ଆଶିଷ ସେନାପତି, ପିତାମ୍ବର ଦାସ, ପରୀକ୍ଷିତ ପାତ୍ର, ହେମନ୍ତ ଜେନା, ଭବାନୀ ପ୍ରସାଦ ଓଝା, କୃତି ପ୍ରତିଯୋଗୀ ମନସ୍ୱୀ ଦାସ, ଅନୂସୟା ତରାଇ, ଉପାସନା ନାୟକ ପ୍ରମୁଖ ଦୁର୍ନୀତି ନିବାରଣ ସପ୍ତାହ ପାଳନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଡିଏସପି ଶ୍ରୀମତୀ ପୁହାଣ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ଓଡିଆ ବକ୍ତୃତା ଓ ଇଂରାଜୀ ପ୍ରବନ୍ଧ ପ୍ରତିଯୋଗୀତାରେ କୃତକାର୍ଯ୍ୟ ହୋଇଥିବା ୧୮ଜଣ କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ସକାଳ ସାଢେ ୭ଟାରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଏନ.ସି.ସି. ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ଦୁର୍ନୀତି ନିବାରଣ ସଚେତନତା  ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ପୁରୁଣା ବସଷ୍ଟାଣ୍ଡ, ଫରଜନ ଛକ, ସାନ୍ତସାହି, ନସଡିପୁର ହୋଇ ଜିଲ୍ଲା କାର୍ଯ୍ୟାଳୟରେ ପହଂଚିଥିଲା ।

Leave a Reply

Your email address will not be published.