Saturday , June 10 2023
Breaking News
Home / ବିଶେଷ / ଧର୍ମଶାଳା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ବିଶିଷ୍ଟ ବୌଦ୍ଧ ଗବେଷକ ଡକ୍ଟର ନୃସିଂହ ଚରଣ ସାହୁଙ୍କ ପରଲୋକ

ଧର୍ମଶାଳା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ବିଶିଷ୍ଟ ବୌଦ୍ଧ ଗବେଷକ ଡକ୍ଟର ନୃସିଂହ ଚରଣ ସାହୁଙ୍କ ପରଲୋକ

ଯାଜପୁର,୩୧/୧୦/୨୦୨୨(ଓଡ଼ିଶା ସମାଚାର /ସୁରେଶ କୁମାର କର)-ଧର୍ମଶାଳା ମହାବିଦ୍ୟାଳୟ ର ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ବିଶିଷ୍ଟ ବୌଦ୍ଧ ଗବେଷକ ଡକ୍ଟର ନୃସିଂହ ଚରଣ ସାହୁଙ୍କ ଗତ ରବିବାର ସନ୍ଧ୍ୟାରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା। ଗତ କିଛି ମାସ ଧରି ସେ ରୋଗରେ ପୀଡିତ ଥିଲେ। ଅସୁସ୍ଥ ଅବସ୍ଥାରେ ତାଙ୍କୁ ଧର୍ମଶାଳା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେ ଧର୍ମଶାଳା ମହାବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ ଭାବରେ ଚାକିରୀ ଜୀବନ ଆରମ୍ଭ କରିଥିଲେ। ଏହା ପରେ ବିଭିନ୍ନ କଲେଜରେ ଅଧ୍ୟାପନା କରିଥିଲେ। ଖାଲି ଯେ ଅଧ୍ୟକ୍ଷ ଭାବେ ତାଙ୍କର ପରିଚୟ ନଥିଲା, ରାଜ୍ୟର ଜଣେ ପ୍ରତିଷ୍ଠିତ ବୌଦ୍ଧ ଗବେଷକ ଭାବରେ ସେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ। ନିଜେ ପ୍ରତିଷ୍ଠା କରିଥିବା ଗଜରାଜ ସଂଗ୍ରାହଳୟରେ ବହୁ ଐତିହାସିକ କିମ୍ବଦନ୍ତୀ ରହିଛି। ଏହାକୁ ଦେଖିବା ପାଇଁ ଦେଶ ବିଦେଶର ପର୍ୟ୍ୟଟକ ମାନଙ୍କ ଧାଡ଼ି ଲାଗେ। ତାଙ୍କର ଏହି କୃତି ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଅତୀତରେ ଅନେକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଧର୍ମଶାଳାର ବୌଦ୍ଧ ଇତିହାସକୁ ଲୋକଲୋଚନକୁ ଆଣିବାରେ ସେ ଥିଲେ ପ୍ରଥମ ବ୍ୟକ୍ତି। ତାଙ୍କ ମୃତ୍ୟୁ ରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ପୂର୍ବତନ ବିଧାୟକ ରବି ଲାବଣ୍ୟ ଓ ଗୁରୁଚରଣ ଟିକାୟତ, ଯାଜପୁର ପୂର୍ବତନ ସାଂସଦ ରୀତା ତରାଇ, ବ୍ଲକ ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟ, ପୂର୍ବତନ ଅଧ୍ୟକ୍ଷ କିଶନ ପଣ୍ଡା, ମହାବିଦ୍ୟାଳୟ ଅଧ୍ୟକ୍ଷ ତପନ ମିଶ୍ର ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି। ତାଙ୍କ ମୃତ୍ୟୁ ରେ ସମଗ୍ର ଜିଲ୍ଲାରେ ଶୋକ ର ଛାୟା ଯାଇଛି। କଲେଜର ବର୍ତ୍ତମାନ ଓ ପୂର୍ବତନ ଅଧ୍ୟାପକ, ଅଧ୍ୟାପିକା,କର୍ମଚାରୀ, ଛାତ୍ର ଛାତ୍ରୀ, ପୁରାତନ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାରେ କାଏମା ବାସଭବନ ଲୋକାରଣ୍ୟ ହୋଇପଡିଥିଲା।

Leave a Reply

Your email address will not be published.