କେନ୍ଦ୍ରାପଡ଼ା, ୩୧/୧୦/୨୦୨୨(ଓଡ଼ିଶା ସମାଚାର)-ପ୍ରଶାସନକୁ ସ୍ୱଛ, ନିର୍ମଳ ଓ ଉତରଦାୟୀ କରିବା ଉପଲକ୍ଷେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଛି । ଓଡିଶା ସରକାରଙ୍କ ନିର୍ଦେଶ ଅନୁଯାୟୀ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅକ୍ଟୋବରମାସ ୩୧ତାରିଖ ଠାରୁ ନଭେମ୍ବରମାସ ୬ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଅଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଓସ୍ୱାନ ସଭାଗୃହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଜିଲ୍ଲା କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଦୁର୍ନୀତି ନିବାରଣ ଶପଥ ପାଠ କରାଇଥିଲେ । ଏହି ଶପଥ ପାଠ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପିତାମ୍ବର ସାମଲ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଦୁର୍ଗା ପ୍ରସାଦ ମହାରଣା, ଦୁର୍ନୀତି ନିବାରଣ ବିଭାଗର ଡିଏସପି ଭାଗ୍ୟଲକ୍ଷ୍ମୀ ପୁହାଣ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ଦେଶର ଆର୍ଥିକ, ରାଜନୈତିକ ଏବଂ ସାମାଜିକ ପ୍ରଗତି ପଥରେ ଦୁର୍ନୀତି ହିଁ ସବୁଠୁ ବଡ ପ୍ରତିବନ୍ଧକ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ ।
ଶପଥ ଅନୁଯାୟୀ ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ସେମାନଙ୍କ କର୍ତବ୍ୟ ଓ କାର୍ଯ୍ୟଧାରାରେ ସାଧୁତା ଓ ସ୍ୱଛତା ବଜାୟ ରଖିବା ପାଇଁ ଅବିରତ ଉଦ୍ୟମ ଜାରି ରଖିବେ । ସରକାରୀ ଅନୁଷ୍ଠାନର ଅଭିବୃଦ୍ଧି ଓ ସୁଖ୍ୟାତି ନିମନ୍ତେ ସର୍ବଦା ସତର୍କତା ଅବଲମ୍ବନ କରିବେ ଓ ଲୋକମାନଙ୍କୁ ମୂଲ୍ୟବୋଧ ଭିତିକ ସେବା ଯୋଗାଇଦେବେ । ବିବେକାନୁମୋଦିତ ଭାବେ କର୍ତବ୍ୟ ସମ୍ପାଦନ କରିବା ସହ ବିନା ଭୟ ଓ ଅନୁଗ୍ରହ ପ୍ରଦର୍ଶନ ପୂର୍ବକ କାର୍ଯ୍ୟ କରିବା ପାଇଁ ଜିଲ୍ଲାପାଳ ଅଧିକାରୀ ଓ କର୍ମଚାରୀମାନଙ୍କୁ ଆହ୍ୱାନ ଦେଇଥିଲେ । ଜନସାଧାରଣ ସରକାରୀ କର୍ମଚାରୀ, ବେସରକାରୀ ସଂସ୍ଥା ସମସ୍ତେ ଏକ ମନ, ଏକପ୍ରାଣ ହୋଇ ଦୁର୍ନୀତି ହଟାଇବାକୁ ସପଥ ନେବାକୁ ପରାମର୍ଶ ଦେଇଥିଲେ । କର୍ମଚାରୀମାନେ ଶପଥ ପାଠରେ ଆଇନ ମୁତାବକ ଜନସାଧାରଣଙ୍କ ହିତ ପାଇଁ ସୁସ୍ଥ ନିରପେକ୍ଷ ଭାବେ କାର୍ଯ୍ୟ କରିବେ ଓ ଲାଂଚ ଗ୍ରହଣ କରିବେ ନାହିଁ ବୋଲି ଶପଥ ନେଇଥିଲେ ।