ଜଗତସିଂହପୁର ୩୧/୧୦/୨୦୨୨(ଓଡ଼ିଶା ସମାଚାର)- ପ୍ରଶାସନକୁ ସ୍ୱଛ,ନିର୍ମଳ ଓ ଉତରଦାୟୀ କରିବା ନିମନ୍ତେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଚଳିତ ବର୍ଷ ୩୧ ଅକ୍ଟୋବର ରୁ ୬ ନଭେମ୍ବର ପର୍ଯ୍ୟନ୍ତ ପାଳନ କରାଯାଉଛି । ଏହି ଅବସରରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓସୱାନ ଭି.ସି. ମାଧ୍ୟମରେ ନାଗରୀକ,ସ୍ୱୟଂ ସହାୟକ ଗୋଷ୍ଠୀ,ଛାତ୍ରଛାତ୍ରୀ ଓ ସରକାରୀ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଶପଥ ପାଠ କରାଇଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଓସୱାନ କକ୍ଷରେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ୍ ପଟାଓରୀ ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଶପଥପାଠ କରିଥିଲେ । ସେହିପରି ଜିଲ୍ଲାର ସମସ୍ତ ବ୍ଲକ ଓ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ଶପଥପାଠ କରିଥିଲେ । ପରେ ପରେ ଜିଲ୍ଲାପାଳ ସଦଭାବନା ସଭାଗୃହ ଠାରେ ଜିଲ୍ଲା କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଦୁର୍ନୀତି ନିବାରଣ ଶପଥପାଠ କରାଇଥିଲେ । ଆମ ଦେଶର ଅର୍ଥନୈତିକ,ରାଜନୈିତିକ ତଥା ସାମାଜିକ ବିକାଶରେ ଦୁର୍ନୀତି ଏକ ପ୍ରମୁଖ ବାଧକ । ଦୁର୍ନୀତିର ମୂଳୋତ୍ପାଟନ ନିମନ୍ତେ ସମସ୍ତ ସଂପୃକ୍ତ ଅଂଶୀଦାର ଯଥା-ସରକାର,ପ୍ରତ୍ୟେକ ନାଗରୀକ ଏବଂ ଘରୋଇ କ୍ଷେତ୍ର ଐକ୍ୟବଦ୍ଧ ଭାବେ ଉଦ୍ୟମ କରିବାର ଆବଶ୍ୟକତା ରହିଛି । ପ୍ରତ୍ୟେକ ନାଗରିକ ସର୍ବଦା ସତର୍କତା ଅବଲମ୍ବନ କରିବା ସହ ସାଧୁତା ଓ ସଚ୍ଚୋଟତାର ସର୍ବୋଚ୍ଚ ମାନକକୁ ଅନୁସରଣ କରି ଦୁର୍ନୀତି ବିରୋଦ୍ଧରେ ସଂଗ୍ରାମକୁ ସମର୍ଥନ କରିବା ଉଚିତ୍ ।
ଜୀବନର ସବୁ କ୍ଷେତ୍ରରେ ସାଧୁତା ଏବଂ ଆଇନ୍କୁ ଅନୁସରଣ କରିବା,ଲାଂଚ ନେବା ନାହିଁ କି ଦେବା ନାହିଁ । ସମସ୍ତ କାର୍ଯ୍ୟ ସାଧୁତା ଏବଂ ସ୍ୱଛତାର ସହ ସଂପାଦନ କରିବା, ଜନହିତରେ କାର୍ଯ୍ୟ କରିବା, ବ୍ୟକ୍ତିଗତ ବ୍ୟବହାରରେ ସାଧୁତା ପ୍ରଦର୍ଶନ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବା,ଯେ କୈାଣସି ଦୁର୍ନୀତି ସଂପର୍କରେ ଉପଯୁକ୍ତ କର୍ତୃପକ୍ଷଙ୍କୁ ଅବଗତ କରାଇବା ପାଇଁ ଜିଲ୍ଲାପାଳ ସମସ୍ତଙ୍କୁ ଶପଥପାଠ କରାଇଥିଲେ । ଏହି ଶପଥ ପାଠ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଚିନ୍ମୟୀ ବିଶ୍ୱାଳ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ,ଜିଲ୍ଲା ମୁଖ୍ୟ ଚିକିସôା ଓ ଜନସ୍ୱାସ୍ଥ୍ୟ ଅଧିକାରୀ,ଜିଲ୍ଲା ସଂସ୍କୃତି ଅଧିକାରୀ,ଜିଲ୍ଲା କ୍ରୀଡା ଅଧିକାରିଣୀ,ଜିଲ୍ଲାପାଳଙ୍କ ଓ.ଏସ୍.ଡି, ସହକାରୀ ଜିଲ୍ଲାପାଳ,ଜିଲ୍ଲା ଯୋଗାଣ ଅଧିକାରୀ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ,ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସେକସନ୍ ଅଫିସର,ବରିଷ୍ଠ ଓ କନିଷ୍ଠ ସହାୟକ,ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନେ ଉପସ୍ଥିତ ରହି ଶପଥ ପାଠ କରିଥିଲେ ।
ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ କାମିନୀ ରଂଜନ ପଟ୍ଟନାୟକ ଶପଥ ପାଠ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଜିଲ୍ଲାରେ ସମସ୍ତ କାର୍ଯ୍ୟାଳୟରେ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।