Thursday , June 8 2023
Breaking News
Home / ବିଶେଷ / ଜଗତସିଂହପୁର ମୁନିସିପାଲିଟିରେ ବୁଲାକୁକୁରଙ୍କ ଜନ୍ମ ନିୟନ୍ତ୍ରଣ କାର୍ଯ୍ୟକ୍ରମର ଶୁଭାରମ୍ଭ

ଜଗତସିଂହପୁର ମୁନିସିପାଲିଟିରେ ବୁଲାକୁକୁରଙ୍କ ଜନ୍ମ ନିୟନ୍ତ୍ରଣ କାର୍ଯ୍ୟକ୍ରମର ଶୁଭାରମ୍ଭ

ଜଗତସିଂହପୁର ୩୧/୧୦/୨୦୨୨(ଓଡ଼ିଶା ସମାଚାର)-ଆଜି ଜିଲ୍ଲା ପ୍ରାଣୀ ଚିକିତ୍ସା ଡାକ୍ତରଖାନା ପରିସର ମଧ୍ୟରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଓ ମୁନିସିପାଲିଟିର ମିଳିତ ଆନୁକୁଲ୍ୟରେ ବୁଲାକୁକୁରଙ୍କ ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର କାର୍ଯ୍ୟକ୍ରମ (ଏବିସି) ଶ୍ରୀମତୀ ପାରୁଲ ପଟାୱରୀ,ଜିଲ୍ଲାପାଳ, ଜଗତସିଂହପୁରଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ସମ୍ମାନନୀୟ ଅତିଥି ଭାବେ ଜଗତସିଂହପୁର ମୁନିସିପାଲିଟିର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂ ଯୋଗଦେଇ କହିଲେ ଯେ- ଜଗତସିଂହପୁର ସହରରେ ଦିନକୁ ଦିନ ବୁଲାକୁକୁରଙ୍କ ସଂଖ୍ୟା ଅହେତୁକ ଭାବରେ ବୃଦ୍ଧି ପାଇବା ଯୋଗୁ ଅନେକ ଦୁର୍ଘଟଣା ଘଟିବା ସହିତ ଯାତାୟତ ରେ ବାଧା ସୃଷ୍ଟି ହେଉଛି। ତେଣୁ ବୁଲାକୁକୁରଙ୍କ ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର  ମାଧ୍ୟମରେ ସେମାନଙ୍କ ସଂଖ୍ୟା ପାଇପାରିବ।

ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡକ୍ଟର ବୀର କିଶୋର ପରିଡ଼ା କହିଲେ ଯେ – କେବଳ ବୁଲାକୁକୁର କାମୁଡିବା ଯୋଗୁ ୯୯ ପ୍ରତିଶତ ଜଳାନ୍ତକ ରୋଗ ମନୁଷ୍ୟକୁ ହୋଇଥାଏ। ତେଣୁ ବୁଲା କୁକୁରଙ୍କ ବନ୍ଧ୍ୟାକରଣ ଦ୍ଵାରା  ୨୦୨୫ ସୁଦ୍ଧା ଏହି ରୋଗକୁ ନିୟନ୍ତ୍ରଣ କରାଯିବା ସହିତ ୨୦୩୦ ସୁଦ୍ଧା ଏହି ରୋଗକୁ ସମ୍ପୂର୍ଣ୍ଣ ଦମନ ବା ନିରାକରଣ କରାଯାଇ ପାରିବ। ଏଥି ସହିତ ଏହି ବୁଲାକୁକୁରଙ୍କ ସଂଖା ହ୍ରାସ ଦ୍ଵାରା ଅନେକ ଦୁର୍ଘଟଣା ଓ ଜୀବନହାନିକୁ ରୋକାଯାଇପାରିବ ଏବଂ ସେମାନଙ୍କ ପ୍ରତି ହେଉଥିବା ନିଷ୍ଠୁରତା ପ୍ରଦର୍ଶନକୁ ମଧ୍ୟ ରୋକାଯାଇ ପାରିବ। ସେଥିପାଇଁ ପ୍ରତି ସପ୍ତାହରେ ୧୦ ଟି କରି ମାସକୁ ୪୦ ରୁ ୫୦ ଟି ବୁଲା କୁକୁରଙ୍କ ଏହି ଜନ୍ମ ନିୟନ୍ତ୍ରଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି କାର୍ଯ୍ୟକ୍ରମରେ ଜଣେ ସର୍ଜରୀ ଡାକ୍ତର , ଜଣେ ଏବିସି ଆସିଷ୍ଟାଣ୍ଟ ସହିତ ୪ ରୁ ୫ ଜଣ କୁକୁର ଧରାଳି ଓ ଜଣେ ଗାଡି ଚାଳକ ନିୟୋଜିତ କରାଯାଇଛି। ତେଣୁ ସହର ବାସୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିବାକୁ ପରାମର୍ଶ ଦେଇଛନ୍ତି।

ସେହିପରି ମୁନିସିପାଲିଟିର ଉପାଧ୍ୟକ୍ଷ ରାଜେନ୍ଦ୍ର କୁମାର ବିଶୋଇ ଏଵଂ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର କର୍ଣ୍ଣ ଏହି କାର୍ଯ୍ୟକ୍ରମର  ଉପକାରିତା, ସୁପରିଚାଳନା ଓ ସଫଳତା ଉପରେ ଗୁରୁତ୍ୱାରୋପ କରିଥିଲେ।

ଏଥିରେ ସର୍ଜରୀ ବିଶେଷଜ୍ଞ ଡାକ୍ତର ନିରଞ୍ଜନ ବେହେରା  ପ୍ରଥମ ପର୍ଯ୍ୟାୟରେ ୭ ଟି ଅଣ୍ଡିରା ବୁଲାକୁକୁରଙ୍କ ଅସ୍ତ୍ରୋପଚାର କରିଥିଲେ। ଶୀତଦିନେ ଅଧିକାଂଶ ବୁଲା କୁକୁର ଗର୍ଭଥିବା ହେତୁ ଏସବୁ ମାଈ କୁକୁର କୁ ପରବର୍ତ୍ତୀ ପର୍ଯ୍ୟାୟରେ କରାଯିବ ବୋଲି ଡାକ୍ତର ସାହୁ ପ୍ରକାଶ କରିଥିଲେ। ଏହି ଶୁଭ ଅବସରରେ ପ୍ରାଣୀ ଚିକିତ୍ସାଲୟ ପରିସର ମଧ୍ୟରେ ଅତିଥି ମାନଙ୍କ ଦ୍ଵାରା ବୃକ୍ଷ ରୋପଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ଆଗେଇ ନେଇଥିଲେ ଏ. ଡି. ଭି. ଓ. ( ପ୍ରାଣୀ ମଙ୍ଗଳ) ଡାକ୍ତର ଯଦୁନାଥ ପରିଡ଼ା ଏବଂ ପିପୁଲ୍ ଫର୍ ଅନିମଲର ସେଚ୍ଛାସେବୀ ଅମୂଲ୍ୟ କୁମାର ନାୟକ। ଏଥିରେ ଡାକ୍ତର ପ୍ରେମାନନ୍ଦ ରାଉତ,ଡାକ୍ତର ବିଭୂରଞ୍ଜନ ଦାସ, ଡାକ୍ତର ବିଶ୍ୱଜିତ୍ ପଣ୍ଡା , ଡାକ୍ତର ଶଶାଙ୍କ ଶେଖର ନାୟକ,  ଡାକ୍ତର ବିକ୍ରମ ଆଚାର୍ଯ୍ୟଙ୍କ ସମେତ ବିଭାଗୀୟ  ଅଧିକାରୀ , ଅନିମଲ୍ ହେଲ୍ପ ଲାଇନର କର୍ମକର୍ତ୍ତା ଏବଂ ମୁନିସିପାଲିଟିର ବହୁ କର୍ମକର୍ତ୍ତାମାନେ ଯୋଗଦାନ କରିଥିଲେ। ସର୍ବୋପରି ମାରୁତି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ର ଶ୍ରୀମତୀ ଚିନ୍ମୟୀ ଚୌଧୁରୀ ଓ ଏହାର ସଭ୍ୟା ମାନେ କୁକୁରଙ୍କ ଖାଦ୍ୟ ଓ ବୁଲା କୁକୁରଙ୍କ ବନ୍ଧ୍ୟାକରଣ ନିମନ୍ତେ ସମସ୍ତ ସହଯୋଗ କରୁଥିଲେ।

Leave a Reply

Your email address will not be published.