କେନ୍ଦ୍ରାପଡ଼ା, ୨୯/୧୦/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ଅଧ୍ୟକ୍ଷତାରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ ହୋଇଯାଇଛି । ବାତ୍ୟା, ବନ୍ୟା, ସୁନାମୀ ଭଳି ପ୍ରାକୃତିକ ବିପର୍ଯ୍ୟୟର ଭୟାବହତା, ତୀବ୍ରତା ତଥା କ୍ଷୟକ୍ଷତିକୁ ଜନସାଧାରଣ ତଥା ସର୍ବୋପରି ସ୍ୱେଛାସେବୀମାନଙ୍କ ମଧ୍ୟରେ ଉତମ ଯୋଗାଯୋଗ ଓ ସୁପରିଚାଳନା କରିପାରିଲେ ଆମେ ଏହାର ସଫଳ ମୁକାବିଲା କରିପାରିବା ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ । ପ୍ରାକୃତିକ ବିପର୍ଯ୍ୟୟର ସୂଚନା ପାଇବା ପରେ ଜିଲ୍ଲା ପ୍ରଶାସନ ବିପର୍ଯ୍ୟୟର ୪୮ଘଂଟା ପୂର୍ବରୁ ଶୁଖିଲା ଖାଦ୍ୟ, ଔଷଧ, ପାଣି ପାଉଚ ଓ ଆବଶ୍ୟକୀୟ ଉପକରଣକୁ ମହଜୁଦ ରଖିବା ସହ ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମକୁ ସଜାଗ ରହିବାକୁ ନିର୍ଦେଶ ଦିଆଯାଇଥାଏ । ଫଳରେ ଫନି, ହୁଡୁହୁଡୁ ଓ ତିତିଲି ଭଳି ପ୍ରାକୃତିକ ବିପର୍ଯ୍ୟୟକୁ ଆମେ ସଫଳ ମୁକାବିଲା କରିବାରେ ସକ୍ଷମ ହୋଇଥାଉ । ଗତ ଅଗଷ୍ଟ ମାସରେ ହୋଇଥିବା ବନ୍ୟାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରୀକରଣ କରିବା ସହ ପ୍ରଥମଥର ପାଇଁ ମହିଳାଙ୍କୁ ସାନିଟାରୀ ନାପକିନ ପ୍ରଦାନ କରାଯାଇଥିଲା । ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ଶୂନ୍ୟ ମୃତୁ୍ୟହାରକୁ ଗୁରୁତ୍ୱ ଦିଆଯାଇଥିଲା । ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପିତାମ୍ବର ସାମଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ବୈଠକରେ ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳି ସେଠୀ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଦୁର୍ଗା ପ୍ରସାଦ ମହାରଣା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ପଣ୍ଡା, ଉପଜିଲ୍ଲାପାଳ ନିରଞ୍ଜନ ବେହେରା ପ୍ରମୁଖ ମଂଚାସୀନ ଥିବା ବେଳେ ଜିଲ୍ଲା ସ୍ତରୀୟ ଅଧିକାରୀ, ନେଚର୍ସ କ୍ଲବର ସଭାପତି ବିରଜା ପ୍ରସାଦ ପତି, ସ୍ୱେଛାସେବୀ ସଂଗଠନର ସଭାପତି ନିରଞ୍ଜନ ସାହୁ, ଭାରତ ଚାଇଲଡ ଲାଇନର କର୍ମକର୍ତା, ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ ଓ ବୁଦ୍ଧିଜିବିମାନେ ଉପସ୍ଥିତ ଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାମଲ ୧୯୯୯ ମସିହା ମହାବାତ୍ୟାର ଭୟାବହତା ଓ କ୍ଷୟକ୍ଷତି ସମ୍ପର୍କରେ ସୂଚନା ପ୍ରଦାନ ସହ ଦେଶରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବାକୁ ସ୍ୱତନ୍ତ୍ର ଭାବେ ଆଇନ ପ୍ରଣୟନ କରାଯିବା ସହ ସଫଳ ମୁକାବିଲା ପାଇଁ ସଚେତନତା ଉଦେଶ୍ୟରେ ପ୍ରତିବର୍ଷ ଏହି ଦିବସ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତି ଗ୍ରହଣ କରିଥିବା ପ୍ରକାଶ କରିଥିଲେ ।
ରାଜ୍ୟ ସ୍ତରରେ ଏହାର ସଫଳ ମୁକାବିଲା ପାଇଁ ପ୍ରଭାବିତ ଅଂଚଳକୁ ଚିହ୍ନଟ କରାଯାଇ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ସ୍ଥାପନକରାଯିବା ସହ ଯୋଗାଯୋଗ, ସଡକ ପରିବହନ, ସ୍ୱାସ୍ଥ୍ୟ, ଗୋଷ୍ଠି ସଚେତନତା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାରଣା ମତବ୍ୟକ୍ତ କରିଥିଲେ । ସହଭାଗୀତା, ସଚେତନତା ଓ ଗଣମାଧ୍ୟମର ପ୍ରଚାର ପ୍ରସାର ଫଳରେ ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ଆମ ଜିଲ୍ଲା ସାରା ରାଜ୍ୟରେ ପ୍ରଶଂସାଭାଜନ ହୋଇପାରିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ସେଠୀ ବିପର୍ଯ୍ୟୟ ପରିଚାଳନା ଓ ପ୍ରଶମନ କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ସଫଳ ହୋଇଥିବାରୁ ବିଭାଗୀୟ ଅଧିକାରୀ ଓ ଜନପ୍ରତିନିଧିମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଦିବସ ପାଳନ ଉପଲକ୍ଷେ ଆୟୋଜିତ ପ୍ରତିଯୋଗୀତାରେ ୧୦ଜଣ କୃତି ପ୍ରତିଯୋଗୀଙ୍କୁ ଟ୍ରଫି ଓ ପ୍ରମାଣପତ୍ର ଅତିଥିମାନେ ପ୍ରଦାନ କରିଥିଲେ । ସକାଳ ୮ଟାରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରୁ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଓ ସ୍ୱେଛାସେବୀମାନଙ୍କ ଦ୍ୱାରା କରାଯାଇଥିବା ସଚେତନତା ଶୋଭାଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାମଲ ପତାକା ହଲାଇ ଶୁଭ ଉଦଘାଟନ କରିଥିଲେ । ଡେପୁଟୀ କଲେକ୍ଟର ଅନନ୍ୟା ତ୍ରିପାଠୀ ସମସ୍ତେ ନିଜ ନିଜର ଶକ୍ତି ଓ ସାମର୍ଥ୍ୟ ଅନୁସାରେ କାର୍ଯ୍ୟ କରିବା ସହ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ କାର୍ଯ୍ୟରତ କର୍ମଚାରୀ, ବ୍ୟକ୍ତି ବିଶେଷ, ଅନୁଷ୍ଠାନ ଓ ସହଯୋଗୀ ଦଳମାନଙ୍କୁ ସାହାଯ୍ୟ କରିବେ ବୋଲି ଶପଥ ପାଠ କରାଇବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ଅଗ୍ନିଶମ ବିଭାଗର କର୍ମଚାରୀ, ନେଚର୍ସ କ୍ଲବ ଓ ଭାରତ ଚାଇଲଡ୍ସ ଫଣ୍ଡର ସ୍ୱେଛାସେବୀମାନେ ମକଡ୍ରିଲ କରିଥିଲେ ।