Thursday , June 1 2023
Breaking News
Home / ବିଶେଷ / ଓଡିଶା ବିପର୍ଯ୍ୟୟ  ପ୍ରସ୍ତୁତି ଓ ଜାତୀୟ ବିପର୍ଯ୍ୟୟ  ପ୍ରଶମନ ଦିବସ ପାଳନ

ଓଡିଶା ବିପର୍ଯ୍ୟୟ  ପ୍ରସ୍ତୁତି ଓ ଜାତୀୟ ବିପର୍ଯ୍ୟୟ  ପ୍ରଶମନ ଦିବସ ପାଳନ

  ଜଗତସିଂହପୁର ୨୯/୧୦/୨୦୨୨(ଓଡ଼ିଶା ସମାଚାର)- ଆଜି  ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡିଶା ବିପର୍ଯ୍ୟୟ  ପ୍ରସ୍ତୁତି  ଓ ଜାତୀୟ ବିପର୍ଯ୍ୟୟ  ପ୍ରଶମନ ଦିବସ ଆଦିକବି ସାରଳା ଦାସ ସଂସ୍କୃତି ଭବନ ପରିସରରେ ପାଳିତ ହୋଇଯାଇଅଛି ।  ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସରକାରୀ ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି କହିଲେ ୧୯୯୯ ମସିହାର ମହାବାତ୍ୟା କେବଳ ଜଗତସିଂହପୁର ଜିଲ୍ଲା ନୁହେଁ ସାରା ପୃଥିବୀରେ ଏକ ସ୍ମରଣୀୟ  ଦିବସ ହୋଇ ରହିଗଲା । ଯେଉଁଦିନ ହଜାର ସଂଖ୍ୟାରେ ଜୀବନହାନୀ ଘଟିଥିଲା ପ୍ରାକୃତିକ ବିପର୍ଯ୍ୟୟ ଏଭଳି କରାଳ ରୂପ ନିଏ ଏକଥା ପ୍ରଥମ ମଣିଷ ସମାଜ ଦେଖିଥିଲା । ଆଜି ସେହିଦିନକୁ ସ୍ମରଣ କରୁଛୁ ଏବଂ ସେଦିନ ଯେଉଁ ଦିବଂଗତ ଆତ୍ମାମାନେ ଚାଲିଗଲେ । ସେମାନଙ୍କ ଉଦ୍ଧେଶ୍ୟରେ ଶ୍ରଦ୍ଧାଂଜଳୀ ଅର୍ପଣ କରୁଛୁ । ଆଜି ଓଡିଶା ଏକ ମଡେଲ ରାଜ୍ୟରେ ପରିଣତ ହୋଇଛି । ସେ ଦିନର ଶିକ୍ଷାକୁ ନେଇ ପ୍ରାକୃତିକ ଦୃର୍ବିପାକର ପ୍ରସ୍ତୁତି କିପରି କରାଯାଏ,ଜଗତସିଂହପୁର ଜିଲ୍ଲା ମଧ୍ୟ ପ୍ରଶାସନିକ ସ୍ତରରେ ଏବଂ ସାଧାରଣ ଜନତା ମଧ୍ୟ ବହୁ ସଚେତନ ହୋଇଛନ୍ତି । ଆଗାମୀ ଦିନରେ ଯଦି ପ୍ରାକୃତିକ ବିପର୍ଯ୍ୟୟ ଆସେ ତାକୁ କେମିତି ମୁକାବିଲା କରାଯିବ,ଜିରୋ କାଜୁଆଲିଟି ହେବ । କେମିତି ଲୋକମାନେ ଅସୁବିଧାରେ ପଡିବେ ନାହିଁ । ସେଥିପାଇଁ ଜିଲ୍ଲାବାସୀ ସଚେତନ ହୋଇଛନ୍ତି । ଜିଲ୍ଲା ପରିଷଦ ସଭାପତି ଶ୍ରୀ ମନୋଜ କୁମାର ଭୋଇ ସମ୍ମାନୀତ ଅତିଥି ଭାବେ ଯୋଗଦେଇ କହିଲେ ୧୯୯୯ ସୁପର ସାଇକ୍ଲୋନ୍ ରେ ଜଗତସିଂହପୁର ଜିଲ୍ଲା ଧ୍ୱସ୍ତ ବିଧ୍ୱସ୍ତ ହୋଇଥିଲା ।  ୧୦ ହଜାରରୁ ଅଧିକ ଲୋକ ମୃତାହତ ହୋଇଥିଲେ । ମହାବାତ୍ୟା ଆମକୁ ଶିକ୍ଷା ଦେଇ ଯାଇଛି । ଆମେ ଏବେ ହୁଡ୍ ହୁଡ୍, ଫାଇଲିନ୍ ଭଳି ବାତ୍ୟାକୁ ସଫଳ ମୁକାବିଲା କରିପାରିଛୁ । ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଜିରୋ କାଜୁଆଲିଟି ପାଇଁ ସମସ୍ତେ ସଜାଗ ରହୁଛନ୍ତି । ଆମେ ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ବେଳେ ଏକଜୁଟ୍ ହେବା ଏବଂ ଜିଲ୍ଲା ପ୍ରଶାସନର ସହଯୋଗରେ ଏହାର ସଫଳ ମୁକାବିଲା କରିପାରିବା । ଏହି ଦିବସରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାଓରୀ କହିଲେ ଆଜି ଜଗତସିଂହପୁର ଠାରେ ଓଡିଶା ବିପର୍ଯ୍ୟୟ  ପ୍ରସ୍ତୁତି ଓ ଜାତୀୟ ବିପର୍ଯ୍ୟୟ  ପ୍ରଶମନ ଦିବସ ପାଳନ ଅବସରରେ ପିଲାମାନଙ୍କୁ ଏବଂ ଜନସାଧାରଣଙ୍କୁ ସଚେତନ କରିବା ପାଇଁ  ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ପ୍ରାକୃତିକ ଦୁର୍ବିପାକ ସମୟରେ କିଭଳି ପ୍ରସ୍ତୁତ ରହିବା ପରସ୍ପରକୁ କିଭଳି ସାହାଯ୍ୟ ସହଯୋଗ କରି ଏହାର ସଫଳ ମୁକାବିଲା କରିପାରିବା । ୧୯୯୯ ମହାବାତ୍ୟାରେ ଜିଲ୍ଲାରେ ଅନେକ କ୍ଷତି ହୋଇଥିଲା । ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତିରେ ଓଡିଶା ଆନ୍ତର୍ଜାତୀୟ ସ୍ତରରେ ସୁନାମ ଆଣିଛି । ଆମ ରାଜ୍ୟରୁ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ଟିମ୍ ଅନ୍ୟ ରାଜ୍ୟକୁ ପଠାଯାଉଛି । ଜଗତସିଂହପୁର ଜିଲ୍ଲାରେ  ସର୍ବଦା ବାତ୍ୟାର ସମ୍ବାବନା ରହୁଛି । ଏଥିପାଇଁ ଜିଲ୍ଲା ପ୍ରଶାସନ  ସର୍ବଦା ସଜାଗ ରହିଛି । ଜନସାଧାରଣଙ୍କ ସହଯୋଗ ରହିଲେ ଦୁର୍ବିପାକର ସଫଳ ମୁକାବିଲା କରାଯାଇପାରିବ ।  ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଚିନ୍ମୟୀ ବିଶ୍ୱାଳ ସ୍ୱାଗତ ସୂଚନା ଓ ବିପର୍ଯ୍ୟୟ ପ୍ରସ୍ତୁତି ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳନର ଉଦ୍ଧେଶ୍ୟ ସଂପର୍କରେ ମତବ୍ୟକ୍ତ କରିଥିଲେ । ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ ବିପର୍ଯ୍ୟୟ ପ୍ରସ୍ତୁତି ସଂପର୍କରେ ମତବ୍ୟକ୍ତ କରିଥିଲେ । ମହାବାତ୍ୟାରେ ମୃତୁ୍ୟବରଣ କରିଥିବା ଦିବଂଗତ ଆତ୍ମାର ସଦ୍ଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା  । ବିଦ୍ୟାଳୟ ସ୍ତରୀୟ ପ୍ରବନ୍ଧ ଓ ବକ୍ତୃତା  ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା । ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ଦିବସ ଅବସରରେ ଏକ ଗଣ ଶୋଭାଯାତ୍ରା ଗାନ୍ଧୀଛକ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ମହାବାତ୍ୟାରେ ପ୍ରାଣ  ହରାଇଥିବା  ଦିବଂଗତ ଆତ୍ମାଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଡିଆରେ  ସମୁହ ଦୀପଦାନ କାର୍ଯ୍ୟକ୍ରମ ରହିଛି । ଜିଲ୍ଲା ଜରୁରୀ ଅଧିକାରୀ ଶ୍ରୀ ଦେବୀ ପ୍ରସାଦ ମହାନ୍ତି  ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ମାର୍କଣ୍ଡପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ  ଶ୍ରୀ ସୁଭାଷ କୁମାର ରାଉତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।  ଛାତ୍ରଛାତ୍ରୀ,ଶିକ୍ଷକ,ଶିକ୍ଷୟିତ୍ରୀ,ବିଭାଗୀୟ ଅଧିକାରୀ,ଜନସାଧାରଣ,ବୁଦ୍ଧିଜୀବି ଓ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published.