କେନ୍ଦ୍ରାପଡ଼ା, ୨୯/୧୦/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଗତ ୧୯ତାରିଖରେ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ ଏବଂ ମିଳିତ ଶ୍ରମିକ ୟୁନିଅନର ସଦସ୍ୟମାନଙ୍କ ମଧ୍ୟରେ ଆକ୍ରମଣ ଓ ପ୍ରତି ଆକ୍ରମଣ ପରେ ଜିଲ୍ଲାପାଳଙ୍କ ଆକ୍ରୋଶ ମୂଳକ ମନୋଭାବ ଯୋଗୁଁ ୟୁନିଅନ ଗୁଡିକ ପକ୍ଷରୁ ୬ଜଣ ଗିରଫ ହୋଇ କାରାବରଣ କରିଥିବା ବେଳେ ଅନ୍ୟ ତିନି ଜଣ ସହର ବାହାରେ ରହୁଥିବାରୁ ଗିରଫ ହୋଇନାହାନ୍ତି । ଅଦ୍ୟାବଧି ସେମାନେ ଅଦାଲତରୁ ଜାମିନ ପାଇନାହାନ୍ତି । ସେହିପରି ୟୁନିଅନର ନେତ୍ରୀ କାଂଚନବାଳା ସ୍ୱାଇଁଙ୍କ ପକ୍ଷରୁ ଜିଲ୍ଲା ଶ୍ରମ ଅଧିକାରୀ ଓ କର୍ମଚାରୀମାନଙ୍କ ନାମରେ କେନ୍ଦ୍ରାପଡା ସଦର ଥାନାରେ ଦିଆଯାଇଥିବା ଏତଲାକୁ ଭିିକରି ଆଇ.ପି.ସି.ର ୩୪୧, ୨୯୪, ୩୨୩, ୩୦୭, ୩୫୦ ଓ ୩୪ ଦଫାରେ ମାମଲା ରୁଜୁ ହୋଇଥିବା ବେଳେ ସେମାନଙ୍କୁ ପୋଲିସ ଗିରଫ କରିନାହିଁ । ହେଲେ ଅତ୍ୟନ୍ତ କ୍ଷୋଭର ବିଷୟ ଯେ ଶ୍ରମିକ ୟୁନିଅନର ୬ଜଣ ନେତୃବୃନ୍ଦ ୧୦ଦିନ ଧରି ଗିରଫ ହୋଇ ବାରିମୂଳସ୍ଥିତ କାରାଗାରରେ ରହିଥିବା ବେଳେ ସଦର ଥାନା ପୋଲିସ ଅଭିଯୁକ୍ତ ଶ୍ରମ ଅଧିକାରୀ ଓ କର୍ମଚାରୀମାନଙ୍କୁ ସୁରକ୍ଷା ପ୍ରଦାନ କରୁଛି । ମୋ ସରକାରରେ ଉଲ୍ଲେଖ ରହିଛି ଯେ ଜନଗଣ ସରକାରଙ୍କ ଆତ୍ମା । କିନ୍ତୁ ପ୍ରକୃତରେ ସରକାରୀ ଅଧିକାରୀମାନେ ସାଧାରଣ ଜନତାଙ୍କ ଉପରେ ଜୁଲମ ଚଳାଇଥିବା ବେଳେ ଜନତାଙ୍କୁ ଶୋଷଣ କରୁଛନ୍ତି । ଆଇନ ଆଖିରେ ସମସ୍ତେ ସମାନ ହୋଇଥିବାରୁ ତୁରନ୍ତ ଅଭିଯୁକ୍ତ ଶ୍ରମ ଅଧିକାରୀ ଓ ଶ୍ରମ କାର୍ଯ୍ୟଳୟର କର୍ମଚାରୀମାନଙ୍କୁ ଗିରଫ କରି ସରକାର ନିରପେକ୍ଷତାର ପରିଚୟ ଦିଅନ୍ତୁ ବୋଲି ଶ୍ରମିକ ୟୁନିଅନ ସି.ଆଇ. ଟି.ୟୁ.ର ଜଗତଜୀବନ ଦାଶ କେନ୍ଦ୍ରାପଡା ଆରକ୍ଷୀ ଅଧିକ୍ଷକ, ପୋଲିସ ମହାନିର୍ଦେଶକ, ରାଜ୍ୟ ଶ୍ରମ କମିଶନର, ଗୃହ ବିଭାଗ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିଛନ୍ତି ।