Wednesday , May 31 2023
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ୧ରୁ ଖୋଲିବ ଶିମିଳିପାଳ ଜାତୀୟ ଅଭୟାରଣ୍ୟ

୧ରୁ ଖୋଲିବ ଶିମିଳିପାଳ ଜାତୀୟ ଅଭୟାରଣ୍ୟ

ପ୍ରକାଶ ପାଇଲା ବିଜ୍ଞପ୍ତି; ୱେବ୍ ସାଇଟ୍ ଉନ୍ମୋଚନ ଆଜି

ବାରିପଦା,୨୮/୧୦/୨୦୨୨(ଓଡ଼ିଶା ସମାଚାର)- ପର୍ଯ୍ୟଟକଙ୍କ ଭ୍ରମଣ ଓ ରାତ୍ରିଯାପନ ପାଇଁ ଜାତୀୟ ଉଦ୍ୟାନ ଶିମିଳିପାଳ ଅଭୟାରଣ୍ୟ ନଭେମ୍ବର ୧ତାରିଖରୁ ଖୋଲିବା ନେଇ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ବାରିପଦା ପିଠାବଟା ପ୍ରବେଶ ଫାଟକ ଦେଇ ଅଗ୍ରୀମ ବୁକିଂ କିମ୍ବା ପ୍ରଥମେ ପହଞ୍ଚିଥିବା ୨୫ଟି ଗାଡି ଏବଂ ଯଶିପୁର କାଳିଆଣୀ ପ୍ରବେଶ ଫାଟକ ପଟୁ ୩୫ଟି ଗାଡିକୁ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପକୁ ପ୍ରବେଶ ପାଇଁ ସକାଳ ୬ଟାରୁ ୯ଟା ମଧ୍ୟରେ ଅନୁମତି ପତ୍ର ନେଇ ପାରିବେ। ପର୍ଯ୍ୟଟକଙ୍କ ଯାନ, ପର୍ଯ୍ୟଟକ ଏବଂ ତାଙ୍କ ସମସ୍ତ ଜିନିଷପତ୍ର ପ୍ରବେଶ ଓ ପ୍ରସ୍ଥାନ ଫାଟକରେ ଯାଞ୍ଚ କରାଯିବ। ଅପରାହ୍ନ ୩ ଘଟିକା ପୂର୍ବରୁ ସମସ୍ତ ପର୍ଯ୍ୟଟକ ଯୋରନ୍ଦା ଓ ବରେହିପାଣି ଜଳପ୍ରପାତ ଓ ଅପରାହ୍ନ ୪ଟା ପୂର୍ବରୁ ଚହଲା ସ୍ଥାନରୁ ଛାଡିବେ। କୌଣସି କାରଣରୁ ଯାନ ଖରାପ ହେଲେ ସେହି ଯାନରେ ଥିବା ପର୍ଯ୍ୟଟକମାନଙ୍କୁ ବାରିପଦା କିମ୍ବା ଯଶିପୁର ବସଷ୍ଟାଣ୍ଡ ପହଞ୍ଚାଇବାକୁ ଅଗ୍ରୀମ ୪ହଜାର ଟଙ୍କା ଜମା କରିବା ପରେ ବିଭାଗ ପକ୍ଷରୁ ସେମାନଙ୍କୁ ସ୍ଥାନାନ୍ତର କରାଯିବ।

କୁମାରୀ, ଗୁଡ଼ଗୁଡିଆ, ରାମତୀର୍ଥ, ବରେହିପାଣି ଓ ଜାମୁଆଣୀରେ ରାତ୍ରିଯାପନ କରିବା ନିମନ୍ତେ ପର୍ଯ୍ୟଟକମାନଙ୍କୁ ୱେବସାଇଟ ‘ଇକୋଟୁରଓଡ଼ିଶା ଡଟ୍ କମ୍ ’ରେ ଅଗ୍ରୀମ ଆରକ୍ଷଣ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ଠାରୁ ପର୍ଯ୍ୟଟକମାନେ ନିଜର ଏବଂ ଯାନର ପ୍ରବେଶ ନିମନ୍ତେ ଅନୁମତିପତ୍ର ‘ଶିମିଳିପାଳ ଡଟ୍ ଓଆର୍ ଜି’ ୱେବସାଇଟ ଜରିଆରେ କିମ୍ବା ପୂର୍ବ ପରି ପ୍ରବେଶ ପଥରେ ଅନୁମତି ପତ୍ର ନେଇପାରିବେ। ଏହି ୱେବସାଇଟକୁ ଆଜି(ଶୁକ୍ରବାର) ପିସିସିଏଫ୍ ଉନ୍ମୋଚନ କରିବେ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଟି.ଅଶୋକ କୁମାର ସୂଚନା ଦେଇଛନ୍ତି। ଅଭୟାରଣ୍ୟ ଭିତରକୁ କାର୍ ଓ ଛୋଟ ଯାନ ପ୍ରବେଶ ମନା ଥିବାରୁ ବିଭାଗ ପକ୍ଷରୁ ପଞ୍ଜିକୃତ ଯାନ ବୁକିଂ ପାଇଁ ପର୍ଯ୍ୟଟକ ପୂର୍ବରୁ ଏହି ୱେବସାଇଟ ଜରିଆରେ ବୁକିଂ କରିପାରିବେ। ସେହିପରି ପୂର୍ବ ବର୍ଷ ଭଳି ଅଭୟାରଣ୍ୟକୁ ପ୍ରବେଶ ପାଇଁ ଯାନ ସହିତ ଜଣେ ଗାଇଡ ନେବା ବାଧ୍ୟତା ମୂଳକ ରହିଛି। ଦେବକୁଣ୍ଡ ଭ୍ରମଣ ପାଇଁ ନଭେମ୍ବର ୧ତାରିଖ ଠାରୁ ପ୍ରବେଶ ଫାଟକ ଖୋଲିବାକୁ ଥିବା ବେଳେ ସକାଳ ୭ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଖ୍ୟ ଫାଟକ ସମ୍ମୁଖ ବିଭାଗୀୟ କାର୍ଯ୍ୟାଳୟରୁ ଅନୁମତି ପତ୍ର ମିଳିପାରିବ ବୋଲି ବିଜ୍ଞପ୍ତିରେ ଦର୍ଶା ଯାଇଛି।

Leave a Reply

Your email address will not be published.