Wednesday , May 31 2023
Breaking News
Home / ବିଶେଷ / ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଫାଷ୍ଟ ଟ୍ରାକ କୋର୍ଟଙ୍କ ୧୦ବର୍ଷ କାରାଦଣ୍ଡାଦେଶ

ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଫାଷ୍ଟ ଟ୍ରାକ କୋର୍ଟଙ୍କ ୧୦ବର୍ଷ କାରାଦଣ୍ଡାଦେଶ

କେନ୍ଦ୍ରାପଡ଼ା, ୨୮/୧୦/୨୦୨୨(ଓଡ଼ିଶା ସମାଚାର)- ଜନୈକ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତଙ୍କୁ କେନ୍ଦ୍ରାପଡା ଫାଷ୍ଟଟ୍ରାକ କୋର୍ଟର ଅତିରିକ୍ତ ଆଡହକ ଜିଲ୍ଲାଜଜ ତ୍ରୀବିକ୍ରମ କେଶରୀ ଚିନ୍ନାରା ୧୦ବର୍ଷ କାରାଦଣ୍ଡାଦେଶ ପ୍ରଦାନ କରିବା ସହିତ ୨୦ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ରାମନଗର ଗ୍ରାମର କାଳିପଦ ବାଇନଙ୍କ ପୁତ୍ର ନନ୍ଦ ବାଇନ ଦେଇଥିବା ଏତଲା ଅନୁଯାୟୀ ତାଙ୍କ ୨୭ବର୍ଷର ବିବାହିତା ସ୍ୱାମୀ ପରିତ୍ୟକ୍ତା ସାନ ଭଉଣୀ  କବାଟ ଦେଇ ଘରେ ଶୋଇଥିବା ବେଳେ ଗତ ୨୦୧୯ମସିହା ନଭେମ୍ବରମାସ ୭ତାରିଖ ଅପରାହ୍ନ ପ୍ରାୟ ୨ଟା ସମୟରେ ଘରେ କେହି ନଥିବାର ସୁଯୋଗ ନେଇ ପୂର୍ବ ପ୍ରସ୍ତୁତି ଏବଂ ଯୋଜନା ଅନୁଯାୟୀ ସେହି ଗ୍ରାମର ବଙ୍କିମ ମଣ୍ଡଳ କବାଟ ବାଡେଇଥିଲେ । ଏହାବ୍ୟତିତ ତାଙ୍କ ଭଉଣୀର ନାମ ଧରି ଡାକିବା ସହ କବାଟ ଖୋଲିବାକୁ କହିଥିଲେ । ତାଙ୍କ ଭଉଣୀ କବାଟ ଖୋଲିଦେବାରେ ବଙ୍କିମ କବାଟକୁ ପେଲିଦେଇ ତାଙ୍କ ଭଉଣୀ ମୁହଁରେ ଗାମୁଛା ବାନ୍ଧି ଦେଇ ତାକୁ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲେ ବୋଲି ଥାନାରେ ଅଭିଯୋଗ ହୋଇଥିଲା । ଏସମ୍ପର୍କରେ ଅଭିଯୋଗକାରୀ ସ୍ଥାନୀୟ ଭଦ୍ରଲୋକଙ୍କ ପରାମର୍ଶ କ୍ରମେ ଜମ୍ବୁ ସାମୁଦ୍ରିକ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସେହି ଅଭିଯୋଗକୁ ଭିତିିକରି ଜମ୍ବୁ ସାମୁଦ୍ରିକ ଥାନା ପୋଲିସ କେଶ ନମ୍ବର ୧୨୧/୨୦୧୯ରେ ଏକ ଧର୍ଷଣ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପୋଲିସ କୋର୍ଟରେ ଅଭିଯୋଗ ଫର୍ଦ୍ଧ ଦାଖଲ କରିବା ପରେ ସେହି ମାମଲାର ଶୁଣାଣୀ ଆରମ୍ଭ ହୋଇଥିଲା । କେନ୍ଦ୍ରାପଡା ଫାଷ୍ଟଟ୍ରାକ କୋର୍ଟର ଅତିରିକ୍ତ ଆଡହକ ଜିଲ୍ଲାଜଜ ଶ୍ରୀ ଚିନ୍ନାରା ଜି.ଆର. କେଶ ନମ୍ବର ୧୮୨୦/୨୦୧୯ ଓ ଏସ.ଟି. କେଶ ନମ୍ବର ୫୧/୨୦୨୦ରେ ସେହି ମାମଲାରେ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତିକରି ଅଭିଯୁକ୍ତ ରାମନଗର ଗ୍ରାମର ସ୍ୱର୍ଗତ ଜାନକି ମଣ୍ଡଳଙ୍କ ପୁଅ ବଙ୍କିମ ମଣ୍ଡଳ(୫୫)କୁ ଆଇ.ପି.ସି.ର ୩୭୬(୧) ଓ ୪୫୦ ଦଫାରେ ଶୁକ୍ରବାର ୧୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା  ସହିତ ୨୦ହଜାର ଟଙ୍କାର ଜୋରିମାନାରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ୬ମାସ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି କୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ସଞ୍ଜୟ କୁମାର ଜେନା ମକଦ୍ଧମା ପରିଚାଳନା କରୁଥିଲେ ।

Leave a Reply

Your email address will not be published.