ଜଗତସିଂହପୁର,୨୮/୧୦/୨୦୨୨(ଓଡ଼ିଶା ସମାଚାର)- ଆଜି ରାଜ୍ୟ ଯୋଜନା ଓ ସଂଯୋଜନା ବିଭାଗ ପକ୍ଷରୁ ଜଗତସିଂହପୁର ଜିଲ୍ଲାରେ ଜିଲ୍ଲା ପରିଷଦର ସମ୍ମିଳନୀ କକ୍ଷରେ ଓଡିଶାର ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟରେ ୨୦୩୦ କାର୍ଯ୍ୟସୂଚୀର ରୂପାୟନ ନିମନ୍ତେ ୨ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦଘାଟନ କରି ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାଓରୀ କହିଲେ ସାରା ରାଜ୍ୟରେ ବର୍ତମାନ ବିଭିନ୍ନ ଜନକଲ୍ୟାଣ ଯୋଜନା ଆରମ୍ଭ କରାଯାଇଛି । ଯାହାର ସୁଫଳ ଲୋକମାନେ ପାଇପାରୁଛନ୍ତି । ଏହି ଯୋଜନା ଗୁଡିକର ଦୀର୍ଘସ୍ଥାୟୀ ବିକାଶ ନିମନ୍ତେ ଗ୍ରାମ ପଂଚାୟତ ଗୁଡିକୁ ଏକକ ଭାବେ ନେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଗ୍ରାମାଂଚଳ ଆବାସ ନିର୍ମାଣ,ମିଶନ ଶକ୍ତି,ଜିବିକା ମିଶନ,ଶିକ୍ଷା,ସ୍ୱାସ୍ଥ୍ୟ,ପାନୀୟଜଳ ଓ ପରିମଳ,ଦାରିଦ୍ର୍ୟ ଦୂରିକରଣ ଇତ୍ୟାଦି ଯୋଜନା ମାଧ୍ୟମରେ ଜିଲ୍ଲାର ଅଗ୍ରଗତି ହୋଇ ପାରିବ । ନିରନ୍ତର ଭାବେ ଲକ୍ଷ୍ୟ ହାସଲ କରିବା ଏହି କର୍ମଶାଳାର ମୁଖ୍ୟ ଉଦ୍ଧେଶ୍ୟ । ୨୦୩୦ ସୁଦ୍ଧା ଓଡିଶାର ସାମୁହିକ ବିକାଶ ନିମନ୍ତେ ପ୍ରତ୍ୟେକ ସ୍ତରରେ ବିଭାଗୀୟ ଅଧିକାରୀମାନେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଏହି କର୍ମଶାଳାରେ ସିୱାଇଏସଡିର ମେଂଟର ତଥା କୋ-ଫାଉଣ୍ଡର ଶ୍ରୀ ଜଗଦାନନ୍ଦ ଯୋଗଦେଇ କହିଲେ ୧୭ ଗୋଟି ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟକୁ ୨୦୩୦ ସୁଦ୍ଧା ପୁରଣ କରିବା ପାଇଁ ଜାତିସଂଘର ୧୯୩ଗୋଟି ସଦସ୍ୟ ରାଷ୍ଟ୍ର ପରିକଳ୍ପନା କରିଥିଲେ । ସାରା ବିଶ୍ୱରୁ ଗରିବ ହଟାଅ,କ୍ଷୁଧାମୁକ୍ତ ବିଶ୍ୱ ଗଠନ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି କର୍ମଶାଳାରେ ଯୋଗଦେଇ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଓ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟର ତଦାରଖ ଅଧିକାରୀ ଶ୍ରୀ ରୁଦ୍ର ନାରାୟଣ ଦାଶ କହିଲେ ଆମ ଆଗରେ ବିଭିନ୍ନ ଲକ୍ଷ୍ୟ ରହିଛି ।
ସମସ୍ତେ ମିଳିମିଶି କାର୍ଯ୍ୟ କଲେ ଲକ୍ଷ୍ୟ ସ୍ଥଳରେ ପହଂଚି ପାରିବା । ଏହି କର୍ମଶାଳାରେ ଯୋଗଦେଇ ରାଜ୍ୟ ଯୋଜନା ଓ ସଂଯୋଜନା ବିଭାଗର କାପାସିଟ୍ ବିଲଡିଙ୍ଗ ଏକ୍ସପର୍ଟ ଶ୍ରୀ ସରୋଜ କୁମାର ଦାଶ କହିଲେ ଜାତିସଂଘ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ୧୭ ଗୋଟି ଲକ୍ଷ୍ୟ ଯଥା-ଦାରିଦ୍ର ଦୂରିକରଣ,କ୍ଷୁଧା ବିହିନ ରାଷ୍ଟ୍ର,ସୁନ୍ଦର ସ୍ୱାସ୍ଥ୍ୟ,ଉତମ ମାନର ଶିକ୍ଷା,ଲିଙ୍ଗଗତ ସମାନତା,ସ୍ୱଛ ପାନୀୟ ଜଳ ଓ ପରିମଳ,ସୁଲଭ ମୂଲ୍ୟରେ ସ୍ୱଛ ଶକ୍ତି,ସଠିକ କାର୍ଯ୍ୟ ଓ ଅର୍ଥନୈତିକ ଅଭିବୃଦ୍ଧି,ଶିଳ୍ପ,ଅଭିନବ ଆଧାରିତ ସଂରଚନା,ଦାୟିତ୍ୱ ସଂପନ୍ନ ଭାବେ ଉତ୍ପାଦନ ଏବଂ ବ୍ୟବହାର କରିବା,ଜଳବାୟୁ କାର୍ଯ୍ୟ ପ୍ରକ୍ରିୟା,ଜଳ ମଧ୍ୟରେ ଜୀବନ,ସ୍ଥଳ ଭାଗରେ ଜୀବନ,ଶାନ୍ତି,ନ୍ୟାୟ ଏବଂ ଦୃଢ ସଂସ୍ଥା ଲକ୍ଷ୍ୟ ହାସଲ ନିମନ୍ତେ
ସହଭାଗିତା ଇତ୍ୟାଦି ଲକ୍ଷ୍ୟ ହାସଲ କରିବା ଏହି କର୍ମଶାଳାର ଲକ୍ଷ୍ୟ । ଶେଷରେ ରାଜ୍ୟ ଯୋଜନା ଓ ସଂଯୋଜନା ବିଭାଗର ସହକାରୀ ନିର୍ଦ୍ଧେଶିକା ଡଃ ଉପାସନା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କର୍ମଶାଳାରେ ଜିଲ୍ଲାସ୍ତରୀୟ ଅଧିକାରୀ,ସମସ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ,ସ୍ୱେଛାସେବୀ ସଂଗଠନର କର୍ମକର୍ତା, ଶିକ୍ଷାବିତ୍, ପରିବେଶବିତ୍,ସରପଂଚ,ରାଜ୍ୟ ଯୋଜନା ଓ ସଂଯୋଜନା ବିଭାଗର କର୍ମକର୍ତା ଉପସ୍ଥିତ ଥିଲେ ।