ସାଲେପୁର,୨୭/୧୦/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଗତକାଲି (ବୁଧବାର) ବିଳମ୍ବିତ ରାତିରେ କଟକ ଚାନ୍ଦବାଲି ରାସ୍ତାର କାଜିବଜାର ନିକଟରେ ବାଇକ୍ ଓ ପିକପ୍ ଭ୍ୟାନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ପ୍ରାପ୍ତ ସୂଚନା ରୁ ପ୍ରକାଶ ଯେ, ସତ୍ୟଭାମାପୁର ଗ୍ରାମର ଅନୁବ ସାମଲ ଓ ତାଙ୍କ ଝିଅ ଅଞ୍ଜଳି, ଉଭୟ ଏକ ବାଇକ ଯୋଗେ ରାତ୍ରି ପ୍ରାୟ ତିନିଟା ସମୟରେ ରେଲୱେ ଷ୍ଟେସନକୁ ଯାଉଥିବା ବେଳେ କଟକ ପଟୁ ଆସୁଥିବା ପିକପ୍ ଭ୍ୟାନ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଖବର ପାଇ ପାଗାଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଗୁରୁତର ଆହତ ଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇଥିଲେ ।ମାତ୍ର ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଗାଡ଼ି ଦୁଇଟିକୁ ପୋଲିସ ଜବତ୍ କରିବା ସହ ତଦନ୍ତ ଚଳାଇଥିବା ଜଣାପଡ଼ିଛି।