ଯାଜପୁର, ୨୭ /୧୦/୨୦୨୨(ଓଡ଼ିଶା ସମାଚାର /ସୁରେଶ କର)- ଦିବ୍ୟାଙ୍ଗ ମାନେ ବି କୌଣସି ଗୁଣରେ କମ ନୁହନ୍ତି । ସେମାନଙ୍କୁ ଉପଯୁକ୍ତ ପୋଷଣ ଓ ଶିକ୍ଷା ଯୋଗାଇଦେଲେ ସେମାନେ ବି ସାଧାରଣ ଶିଶୁଙ୍କ ପରି ପ୍ରତିଭା ପ୍ରଦର୍ଶନ କରିପାରିବେ। ତେଣୁ ଏଭଳି ଶିଶୁଙ୍କ ଶିକ୍ଷାବିକାଶ ପାଇଁ ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରିଛନ୍ତି। ସେହିପରି ଦିବ୍ୟାଙ୍ଗ ଶିଶୁଙ୍କ ଶିକ୍ଷାର ବିକାଶ ପାଇଁ ଯାଜପୁର ଜିଲ୍ଲାର ବରୀ ଓ ଯାଜପୁର ବ୍ଳକ ଅନ୍ତର୍ଗତ ସମସ୍ତ ବୌଦ୍ଧିକ ଓ ବହୁବିଧ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଆବଶ୍ୟକ ଶିକ୍ଷା ଉପକରଣ ପ୍ରଦାନ କରାଯାଇଛି। ଆଜିର ଏହି ବଣ୍ଟନ କାର୍ୟ୍ୟକ୍ରମରେ ଜିଲ୍ଲା ଅନ୍ତର୍ନିବେଶୀ ସଂଯୋଜିକା ବନ୍ଦନା ଜେନାଙ୍କ ସଭାପତିତ୍ବରେ ସମାଜସେବୀ ମଣ୍ଟୁଦାସ ମୁଖ୍ୟଅତିଥି ଭାବରେ ଯୋଗଦେଇ ଦିବ୍ୟାଙ୍ଗ ଶିଶୁଙ୍କ ଶିକ୍ଷାର ବିକାଶ ନିମନ୍ତେ ସରକାରଙ୍କ ଉଦ୍ୟମ ଅତ୍ୟନ୍ତ ସ୍ବାଗତ ଯୋଗ୍ୟ ଓ ଦିବ୍ୟାଙ୍ଗ ଶିଶୁଙ୍କ ଶିକ୍ଷା ଅଧିକାର ପାଇଁ ଚେଷ୍ଟାକରୁଥିବା ସମସ୍ତ ଅଭିଭାବକ, ଆଇ.ଭଲ୍ୟୁଣ୍ଟର,ବିଆରପି, ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଧନ୍ୟବାଦ ଦେବା ସହ ଅଭିଭାବକଙ୍କୁ ଶିଶୁଙ୍କ ଶିକ୍ଷା ପ୍ରତି ଆକୃଷ୍ଟ କରିବା ପାଇଁ ଅନୁରୋଧ କରିଥିଲେ। କାର୍ୟ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଆକ୍ସନ ଏଡ ର ଡିସି ସୁରେନ୍ଦ୍ର କୁମାର ଦିଗଲ, ରାଷ୍ଟ୍ରିୟ ବାଳ ସ୍ବାସ୍ଥ୍ୟ କାର୍ୟ୍ୟକ୍ରମ ଡାକ୍ତର ପ୍ରଭାତୀ ସାହୁ, ଖବରଦାତା ପ୍ରକାଶ ଚନ୍ଦ୍ର ସାହୁ ଓ ଗରିଆପୁର ୟୁଜିଏମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ୟ୍ୟୋଧନ ସିଂହ ପ୍ରମୁଖ ଯୋଗଦେଇ ଦିବ୍ୟାଙ୍ଗ ଶିଶୁଙ୍କ ଶିକ୍ଷାର ବିକାଶ ଉପରେ ନିଜନିଜର ମତାମତ ପ୍ରଦାନ କରିଥିଲେ। କାର୍ୟ୍ୟକ୍ରମରେ ମୋଟ ୩୭ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଉପକରଣ ପ୍ରଦାନ କରାଯାଇଥିଲା। ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ ସ୍ମାର୍ଟଫୋନ ଓ ଟାବଲେଟ ପାଇ ଅତ୍ୟନ୍ତ ଖୁସି ପ୍ରକଟ କରିଥିଲେ। କାର୍ୟ୍ୟକ୍ରମରେ ଯାଜପୁର ବିଆରପି ଅକ୍ଷୟ କୁମାର ଜେନା,ସଂଘମିତ୍ରା ସେନାପତି, ରାମକୃଷ୍ଣ ମିଶ୍ର, ଆଇ ଭଲ୍ୟୁଣ୍ଟର ଅଶୋକ କୁମାର ମହାନ୍ତି, ଶ୍ରୀକାନ୍ତ କୁମାର ଦାସ,ବିଶ୍ବନାଥ ନାୟକ, ଅନୁପମା ସାହୁ ଓ ଅନୁପମା ବିଶ୍ବାଳ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।