ଭୁବନେଶ୍ୱର, ୨୬/୧୦/୨୦୨୨ (ଓଡ଼ିଶା ସମାଚାର)- ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାସ ଓଡ଼ିଶାର ଶିକ୍ଷା ଜଗତ ପାଇଁ ଏକ କଳଙ୍କିତ ବ୍ୟକ୍ତି । ଜିଲ୍ଲା ପରିଷଦ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ପ୍ରସଙ୍ଗରେ ମନ୍ତ୍ରୀଙ୍କର ଯେଉଁ ସମ୍ପୃକ୍ତି ରହିଛି ତାହା ସାଧାରଣରେ ପ୍ରକଟିତ ହେବା ପରେ ଓଡ଼ିଶାର ଛାତ୍ରଛାତ୍ରୀ, ଅଭିଭାବକ ଓ ବୁଦ୍ଧିଜୀବୀ ସମୀର ଦାସଙ୍କୁ ଆଉ ଗଣଶିକ୍ଷା ମନ୍ତ୍ରୀ ଭାବେ ଦେଖିବା ପାଇଁ ଚାହୁଁନାହାଁନ୍ତି ବୋଲି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ବୁଧବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ଛାତ୍ର କଂଗ୍ରେସର ସଭାପତି ଶ୍ରୀ ୟାସିର ନୱାଜ କହିଛନ୍ତି । ଜଣେ ଘୃଣିତ ବ୍ୟକ୍ତି ଓଡ଼ିଶାର ଅଗଣିତ ଛାତ୍ରଛାତ୍ରୀ ଓ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କୁ କି ଦିଗ ଦର୍ଶନ ଦେବେ? କୌଣସି ସଭାସମିତିରେ ମଧ୍ୟ ତାଙ୍କର ଉପସ୍ଥିତି ଲଜ୍ଜାଜନକ । ସବୁଠାରୁ ଦୁଃଖ ଓ ପରିତାପର ବିଷୟ ଏହିକି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସାଧୁ ରାଜନେତା ମାନଙ୍କୁ ସୁରକ୍ଷା ଦେବାରେ ସିଦ୍ଧହସ୍ତ । ତାଙ୍କର ୨୨ ବର୍ଷ ଶାସନ କାଳରେ ସେ ଶାସକ ଦଳର ବିଧାୟକ ଓ ମନ୍ତ୍ରୀମାନଙ୍କର କଳା କାରନାମାକୁ ଘୋଡ଼ାଇ ଚାଲିଛନ୍ତି । ଏହା ସ୍ପଷ୍ଟ ଯେ, ବିଜୁ ଜନତା ଦଳର ୮୦ ଭାଗ ବିଧାୟକ ଓ ମନ୍ତ୍ରୀମାନେ ଅପରାଧି ଏବଂ ଏହି ଅପରାଧ ମାନଙ୍କ ସମ୍ରାଟ ହେଉଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ।
ଜିଲ୍ଲାପରିଷଦ ଧର୍ମେନ୍ଦ୍ର ସାହୁ ମନ୍ତ୍ରୀ ସମୀର ଦାସଙ୍କ ଚାପରେ, ଉତ୍ପୀଡ଼ନରେ ଏବଂ କଳଙ୍କିତ କାର୍ଯ୍ୟରେ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି । ସୁତରାଂ ମନ୍ତ୍ରୀ ଜିଲ୍ଲା ପରିଷଦ ସାହୁଙ୍କୁ ହତ୍ୟା କରିଛନ୍ତି । ବର୍ତମାନ ତଦନ୍ତ ବାଟବଣା । ମୁଖ୍ୟମନ୍ତ୍ରୀ, ୫-ଟି ସଚିବ, ମୁଖ୍ୟ ଶାସନ ସଚିବ ଏବଂ ଡିଜିଙ୍କ ମିଳିତ ଉଦ୍ୟମରେ ସମସ୍ତ ପ୍ରମାଣକୁ ନଷ୍ଟ କରାଯାଉଛି । ଧର୍ମେନ୍ଦ୍ର ସାହୁ ତାଙ୍କର ବନ୍ଧୁଙ୍କୁ ମନ୍ତ୍ରୀ ଏବଂ ଅନ୍ୟ ୬ ଜଣଙ୍କ ଅତ୍ୟାଚାର ପାଇଁ ସେ ଆତ୍ମହତ୍ୟା କରିଛନ୍ତି ବୋଲି ସ୍ପଷ୍ଟ ଭାବେ ଫୋନରେ କହିଛନ୍ତି ଏବଂ ତାଙ୍କର ବନ୍ଧୁ ଏହାର ଅଡ଼ିଓକୁ ସାର୍ବଜନୀନ କରିଛନ୍ତି । ମୃତୁ୍ୟ ପୂର୍ବରୁ ଧର୍ମେନ୍ଦ୍ର ସାହୁ ସୋସିଆଲ ମିିଡ଼ିଆରେ ସୂଚନା ଦେଇଥିଲେ ଯେ, ତାଙ୍କ ମୋବାଇଲ ଫୋନ୍ ଦୁଇଟିରେ ତାଙ୍କର ମୃତୁ୍ୟ ସମ୍ପର୍କିତ ତଥ୍ୟ ରହିଛି । ଏବେ ଦୁଇଟି ଯାକ ଫୋନ ପୋଲିସ୍ ହାତରେ । ପୂର୍ବରୁ ରୁଚିକା ମହାନ୍ତି, ମମିତା ମେହେର ଘଟଣାରେ ପୋଲିସ୍ ମୋବାଇଲର ତଥ୍ୟକୁ ଉପସ୍ଥାପନା କରିନାହାଁନ୍ତି । ଏହି ଘଟଣାରେ ଏହି ଦୁଇଟି ମୋବାଇଲ ସିଙ୍ଗାପୁର ତ ଯାଇନାହିଁ, ଓଡ଼ିଶା ପୋଲିସ୍ ର ପେଡ଼ି ଭିତରେ ରଖାଯାଇଛି । ମୁଖ୍ୟମନ୍ତ୍ରୀ ଏବେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ସୁରକ୍ଷା କବଚ ସାଜିିଛି । ସୁତରାଂ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ପ୍ରସଙ୍ଗରେ ଓଡ଼ିଶାର ଜନସାଧାରଣ ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବଙ୍କ ସ୍ୱଚ୍ଛତା, ନିରପେକ୍ଷତା ଓ ସାଧୁତା ଉପରେ ଆଙ୍ଗୁଳି ନିର୍ଦ୍ଧେଶ କରିଛନ୍ତି ।
ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ଗଣଶିକ୍ଷାମନ୍ତ୍ରୀଙ୍କୁ ତୁରନ୍ତ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିବା ଓ ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ଦାବି କରୁଛି । ମାନ୍ୟବର ହାଇକୋର୍ଟଙ୍କ ତତ୍ୱବଧାନରେ ଏହି ଘଟଣାର ଏସ୍.ଆଇ.ଟି ତଦନ୍ତ ପାଇଁ ଛାତ୍ର କଂଗ୍ରେସ ଦାବି କରିଛି । ଗଣଶିକ୍ଷା ମନ୍ତ୍ରୀଙ୍କୁ ବହିଷ୍ମାର ଏବଂ ତାଙ୍କୁ ତଦନ୍ତ ପରିସରଭୁକ୍ତ କରିବା ଦାବିରେ ଆସନ୍ତା ଶନିବାର ୨୯ ତାରିଖ ଦିନ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ କରାଯିବ ବୋଲି ସଭାପତି ଶ୍ରୀ ନୱାଜ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ସାଧାରଣ ସମ୍ପାଦକ ରଜତ ଚୌଧୁରୀ, ପ୍ରକାଶ ମିଶ୍ର, ନଳିନୀକାନ୍ତ ନାୟକ, ରଞ୍ଜିତ ସେନାପତି ଓ ବିଶ୍ୱଭୂଷଣ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
Home / ରାଜନୀତି / ଗଣଶିକ୍ଷା ମନ୍ତ୍ରୀଙ୍କୁ ବହିଷ୍କାର ଏବଂ ତଦନ୍ତ ପରିସରଭୁକ୍ତ କରିବା ଦାବିରେ ପ୍ରଦେଶ ଛାତ୍ର କଂଗ୍ରେସର ୨୯ରେ ନବୀନ ନିବାସ ଘେରାଉ