କେନ୍ଦ୍ରାପଡା ୨୪ /୧୦/୨୦୨୨(ଓଡ଼ିଶା ସମାଚାର)- ଦୀପାବଳି ପାଇଁ ଲୋକେ ବ୍ୟସ୍ତ ଥିବା ବେଳେ ମହାକାଳପଡା ବ୍ଲକ ବଡିହି ପଂଚାୟତର ଛତର ଗ୍ରାମରେ ଆଜି ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୦ ବଖରା ଘର ଜଳି ଯାଇଛି। ଫଳରେ ଲୋକଙ୍କର ବହୁ ମୂଲ୍ୟବାନ ଜିନିଷ ସହିତ ଅନ୍ୟ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି।
ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ କୌଣସି କାରଣରୁ ଛତର ଗାଁର ରବି ଜେନା, ସଞ୍ଜୟ ଜେନା, ପବିତ୍ର ଜେନା, ସୁଶାନ୍ତ ଜେନା, ସନ୍ତୋଷ ଜେନା, ଦିଲ୍ଲୀପ ଜେନା ଓ ଲକ୍ଷ୍ମଣ ଜେନାଙ୍କ ଘରେ ନିଆଁ ଲାଗିଥିଲା। ଅଳ୍ପ ସମୟ ମଧ୍ୟରେ ଏହି ନିଆଁ ଚାରିଆଡ଼େ ବ୍ୟାପିଥିଲା। ଦେଖୁ ଦେଖୁ ଗୋଟିଏ ପରେ ଗୋଟିଏ ଘରକୁ ନିଆଁ ମାଡ଼ି ଚାଲିଥିଲା। ଖବର ପାଇ ଦମକଳ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛନ୍ତି। ଏହି ଅଗ୍ନିକାଣ୍ଡରେ ଘରର ସମସ୍ତ ଆସବାବପତ୍ର ସହିତ ଧାନ-ଚାଉଳ ସବୁ ପୋଡି ପାଉଁଶ ହୋଇଯାଇଛି।