Sunday , May 28 2023
Breaking News
Home / ଶିକ୍ଷା / ନବଜ୍ୟୋତି ଉଚ୍ଚ ବିଦ୍ୟାପୀଠର ବିଭିନ୍ନ ସମସ୍ୟା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଦାବିପତ୍ର

ନବଜ୍ୟୋତି ଉଚ୍ଚ ବିଦ୍ୟାପୀଠର ବିଭିନ୍ନ ସମସ୍ୟା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଦାବିପତ୍ର

କେନ୍ଦ୍ରାପଡ଼ା, ୨୪/୧୦/୨୦୨୨(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରୁଷୋତମପୁର ଗ୍ରାମପଂଚାୟତର କହ୍ନେଇପୁର ରାଜସ୍ୱ ଗ୍ରାମର ବଢିହସ୍ଥିତ ନବଜ୍ୟୋତି ବିଦ୍ୟାପୀଠର ବିଭିନ୍ନ ସମସ୍ୟା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ସମାଜସେବୀ ସନ୍ତୋଷ କୁମାର ବେହେରା ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ସ୍ଥାନୀୟ ଶିକ୍ଷାବିତ ଓ ସମାଜସେବୀମାନଙ୍କ ଦ୍ୱାରା ୧୯୯୫ମସିହାରେ ସ୍ଥାପିତ ଏହି ବିଦ୍ୟାପୀଠରେ ଅଷ୍ଟମ, ନବମ ଓ ଦଶମ ୩ଟି ଶ୍ରେଣୀରେ ୧୨୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି । ପ୍ରାୟ ଦଶ କିଲୋମିଟର ମଧ୍ୟରେ ଏଭଳି କୌଣସି ବିଦ୍ୟାଳୟ ନଥିବା ବେଳେ ଅଦ୍ୟାବଧି ଏହା ସରକାରୀ ଅନୁଦାନପ୍ରାପ୍ତ ହୋଇନାହିଁ । ଏହି ଶିକ୍ଷାୟତନରେ ବିଶେଷତଃ ବାଳିକାମାନଙ୍କ ସଂଖ୍ୟା ଅଧିକ ଥିବା ବେଳେ ପ୍ରାୟତଃ ଗରିବ ଓ ଦରିଦ୍ର ଶ୍ରେଣୀର ପିଲାମାନେ ଶିକ୍ଷାଲାଭ କରିଥାନ୍ତି । ବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀମାନେ ଅଭିଜ୍ଞ ଓ ତାଲିମପ୍ରାପ୍ତ ହୋଇଥିବା ବେଳେ ବିଡମ୍ବନାର ବିଷୟ ଏହିକିଯେ ସେମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ଦରମା ବା ପାରିଶ୍ରମିକ ପ୍ରଦାନ କରାଯାଏନାହିଁ । ଏହି ବିଦ୍ୟାପୀଠର ଛାତ୍ରଛାତ୍ରୀମାନେ ମଧ୍ୟ ସମସ୍ତ ସରକାରୀ ସାହାଯ୍ୟ ଓ ସହାୟତାରୁ ବଂଚିତ ହୋଇଛନ୍ତି । ସରକାରଙ୍କ ସମସ୍ତ ନୀତି ନିୟମ ପାଳନ ପୂର୍ବକ ସ୍ଥାପିତ ଏହି ବିଦ୍ୟାଳୟଟିରେ ବିଗତ ୨୦୧୦ମସିହାରୁ ଚଳିତ ୨୦୨୨ ମସିହା ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ନିଜ ବିଦ୍ୟାଳୟ ନାମରେ ମାଟ୍ରିକ ପରୀକ୍ଷା ଦେଇ ଆସୁଛନ୍ତି । ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ବ୍ଲକ ସ୍ତରରେ ଏହି ବିଦ୍ୟାଳୟଟି ପ୍ରତମ ସ୍ଥାନ ଅଧିକାର କରିଛି । ବିଦ୍ୟାଳୟରେ ପାଇଖିନା, ପାଚେରୀ, କାର୍ଯ୍ୟାଳୟ ଗୃହ, କମ୍ପୁ୍ୟଟର ପ୍ରଭୃତିର ଅଭାବ ଯୋଗୁଁ ଛାତ୍ରଛାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଏହିସବୁ ସମସ୍ୟାର ସମାଧାନ ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବିଦ୍ୟାପୀଠ ପକ୍ଷରୁ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ସେନାପତି, ବିଦ୍ୟାଳୟ ପରିଚାଳନା ସମିତି ସଭାପତି ସୁଧିର ବେହେରା, ରବିନ୍ଦ୍ର ବେହେରା, କରୁଣାକର ରାଉତ, ଭାଷ୍କର ପରିଡା, ଶିକ୍ଷକ ଦୁଷ୍ମନ୍ତ ପାଣି, ଅହଲ୍ୟା ପୃଷ୍ଟି, ସଂଗୀତା ସ୍ୱାଇଁ, ଡେଜଲିନ ପରିଜା, ପ୍ରବିର କିଶୋର ମିଶ୍ର, ରମେଶ ଚନ୍ଦ୍ର ରାଉତ, ଗୌତମ ପ୍ରସାଦ ବାରିକ, ଦମୟନ୍ତୀ ରାଉତ, ଉଦୟଭାନୁ ପରିଡା, ବନଶ୍ରୀ ପରିଡା ପ୍ରମୁଖ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ।

Leave a Reply

Your email address will not be published.