ଗଜପତି, ୨୩/୧୦/୨୦୨୨(ଓଡ଼ିଶା ସମାଚାର)- ପାରିବାରିକ କଳହରୁ ସ୍ବାମୀର କଟୁରି ଚୋଟରେ ସ୍ତ୍ରୀର ମୃତ୍ୟୁ ଘଟିଛି । ସାମାନ୍ୟ ପାରିବାରିକ କଳହରୁ ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି ସେରଙ୍ଗ ଥାନା ଅନ୍ତର୍ଗତ ବାଇଝଲ ନିକଟ କୁଣ୍ଡିଡା ଗ୍ରାମରେ । ଝିଅର ସ୍ବାସ୍ଥ୍ୟ ଖରାପ ଥିବାରୁ ମା ଚିକିତ୍ସା ପାଇଁ ହସ୍ପିଟାଲକୁ ନେବାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଉତକ୍ଷିପ୍ତ ହୋଇ ସ୍ତ୍ରୀ ଗୁଡି ଉପରେ ଆକ୍ରମଣ କରିଥିଲା ସ୍ବାମୀ ଇଲାନ । ଭୟରେ ସ୍ତ୍ରୀ ଘରୁ ବାହାରକୁ ଦୈାଡି ପଳାଇଥିଲେ । ତାପରେ କଟୁରି ଧରି ଗୋଡାଇ ଗୋଡ଼ାଇ ରାସ୍ତା ଉପରେ ନିଜ ସ୍ତ୍ରୀକୁ ହାଣିଦେଲା ଅଭିଯୁକ୍ତ ଇଲାନ । ଘଟଣା ସମୟରେ ଉପସ୍ଥିତ ଥିବା ପୁଅ ଝିଅ ଅବାକ ହୋଇ ଯାଇଥିଲେ । ମାଆ ରାସ୍ତା ଉପରେ ଟଳି ପଡ଼ିବା ଦେଖି ପୁଅ ଆକାଶ ଦୌଡି ଯାଇ ଗ୍ରାମବାସୀଙ୍କ ସହଯୋଗ ଲୋଡିଥିଲା । ହେଲେ ଗ୍ରାମବାସୀ ପହଞ୍ଚିବା ବେଳକୁ ମାର ପ୍ରାଣବାୟୁ ଉଡି ଯାଇଥିଲା।
ଗ୍ରାମବାସୀଙ୍କ ଠାରୁ ଖବର ପାଇ ପୋଲିସ ପହଞ୍ଚି ଘଟଣାସ୍ଥଳରୁ କଟୁରିକୁ ଜବତ କରିବା ସହ ମୃତଦେହକୁ ବ୍ୟବଛେଦ ନିମନ୍ତେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥିଲା । ସେରଙ୍ଗ ଥାନା ଅଧିକାରୀ ଅଶୋକ କୁମାର ହାଂସଦା ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ପ୍ରାଥମିକ ତଦନ୍ତରୁ ପାରିବାରିକ କଳହରୁ ହତ୍ୟାକାଣ୍ଡ ଘଟିଥିବା କହିଛନ୍ତି । ଅଭିଯୁକ୍ତ ସ୍ବାମୀ ଇଲାନ ଫେରାର ହୋଇଯାଇଛି ।