କେନ୍ଦ୍ରାପଡ଼ା, ୨୨/୧୦/୨୦୨୨(ଓଡ଼ିଶା ସମାଚାର)- ବର୍ତମାନ ବିଭିନ୍ନ ପଞ୍ଜିକାର ଗଣନାକାରୀଙ୍କ ମତପାର୍ଥକ୍ୟ ହେତୁ ଦୀପାବଳି ଓ ପୟା ଶ୍ରାଦ୍ଧ/ପିମ୍ପେଇ ଡକା ଆଦି କାର୍ଯ୍ୟ ସୋମବାର ଓ ମଙ୍ଗଳବାର ଲେଖାଯାଇ ଲୋକମାନଙ୍କ ମଧ୍ୟରେ ମତବାଦ ସୃଷ୍ଟି କରାଯାଉଛି । ଏଣୁ କେନ୍ଦ୍ରାପଡା ତୁଳସୀକ୍ଷେତ୍ର ପଣ୍ଡିତସଭାର ଏକ ଜରୁରୀ ବୈଠକ ଡକାଯାଇ ଏସମ୍ପର୍କରେ ପଣ୍ଡିତମାନଙ୍କ ଆଲୋଚନା ପରେ ସର୍ବସମ୍ମତ ନିଷ୍ପତି ଅନୁଯାୟୀ ଆସନ୍ତା ୨୪ତାରିଖ ସୋମବାର ଦୀପଦାନ, ପୟାଶ୍ରାଦ୍ଧ ଓ ପିମ୍ପେଇଡକା କରାଯିବାକୁ ସ୍ଥିର କରାଯାଇଛି । ସୋମବାର ଦିବା ୪ଘଂଟା ୩୨ମିନିଟ ପରେ ଅମବାସ୍ୟା ଭୋଗ ହେଉଛି । ମଙ୍ଗଳବାର ୪ଘଂଟା ୨୭ମିନିଟ ପରେ ପ୍ରତିପଦ ଭୋଗ ହେଉଛି । ପୁନଶ୍ଚ ମଙ୍ଗଳବାର ପରାଗ ଜନିତ ସମସ୍ତ ନୀତିକାନ୍ତି ବନ୍ଦ ହେତୁ ସେହିଦିନ ପୟାଶ୍ରାଦ୍ଧ ହେବା ଅନୁଚିତ । ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କର ସମସ୍ତ ନୀତିକାନ୍ତି ସୋମବାର ଦିନ ପାଳନ କରାଯାଉଛି । ଏଣୁ ସମସ୍ତ ଜନସାଧାରଣ ଆସନ୍ତା ସୋମବାର ଏହି କାର୍ଯ୍ୟ ସମ୍ପାଦନ କରିବାକୁ ତୁଳସୀକ୍ଷେତ୍ର ପଣ୍ଡିତ ସଭା ପକ୍ଷରୁ ଜଣାଇ ଦିଆଯାଇଥିବା ସଭାପତି ଧ୍ରୁବ ଚରଣ ପଣ୍ଡା ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି ।