Wednesday , May 31 2023
Breaking News
Home / ବିଶେଷ / ଭୁବନ ମୁରବୀ ବାସୁଦେବ ବେହେରା ଙ୍କ ପରଲୋକ

ଭୁବନ ମୁରବୀ ବାସୁଦେବ ବେହେରା ଙ୍କ ପରଲୋକ

ଶବାଧାରରେ ମନ୍ତ୍ରୀ , ସାଂସଦ ଯୋଗଦେଲେ , ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ

ଭୁବନ ୨୧/୧୦/୨୦୨୨(ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲ୍ଲା ଭୁବନ ସହର ସଂଗଠନ ସଭାପତି ,କାପୁଡିଆ ସମାଜ ରାଜ୍ୟ ସଭାପତି ତଥା ଭୁବନର ମୁରବୀ ବାସୁଦେବ ବେହେରା ଓରଫ ବୁଲା ବେହେରା ( ୮୨) ଙ୍କ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରଲୋକ ହୋଇଯାଇଛି । ଅନ୍ତିମ ଶଯ୍ୟା ନିକଟରେ ତାଙ୍କ ୪ ପୁଅ,ବୋହୁ , ନାତି ,ନାତୁଣୀ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ବୁଲା ବେହେରା ଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସମଗ୍ର ଭୁବନବାସୀ ସ୍ତବ୍ଦ ହୋଇପଡିଥିଲେ ଓ ଡାକ୍ତରଖାନା ପରିସର ଲୋକାରଣ୍ୟ ହୋଇପଡିଥିଲା । ନଗରପାଳ ଶୁଭେନ୍ଦୁ କୁମାର ସାହୁ ନିଜେ ଡାକ୍ତରଖାନାରୁ ଶବ ଶୋଭାଯାତ୍ରାର ଆୟୋଜନ କରିଥିଲେ । ପ୍ରାୟ ୫ ହଜାର ରୁ ଉଦ୍ଧ୍ୱର୍ ଶୋକାକୂଳ ଜନତା ଡାକ୍ତରଖାନାରୁ ୧୫ ନମ୍ବର ୱାର୍ଡ ସ୍ଥିତ ତାଙ୍କ ଘରକୁ ମର ଶରୀର ସହ ଯାଇ ସେଠାରୁ ସାରା ସହର ପରିକ୍ରମା କରିଥିଲେ । ‘ ରାମ ନାମ ସତ୍ୟ ହେ , ଅମର ରହେ ଅମର ରହେ’ ନାରାବାଜିରେ ସମଗ୍ର ଅଂଚଳ ପ୍ରକମ୍ପିତ ହୋଇ ପଡିଥିଲା । ବିଭିନ୍ନ ସାହି ଓ ବଜାର କମିଟି ତରଫରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଏ ସଂପର୍କରେ ଖବର ପାଇ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି , ଇସ୍ପାତ ଓ ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ , ଢେଙ୍କାନାଳ ସାଂସଦ ମହେଶ ସାହୁ ଭୁବନରେ ପହଁଚି ସ୍ୱର୍ଗତ ବୁଲା ବେହେରା ଙ୍କ ଶେଷ ଦର୍ଶନ କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଶବାଧାରରେ ସାମିଲ ହୋଇଥିଲେ । ସ୍ୱର୍ଗତ ବୁଲା ବେହେରା ଜୀବନର ଶେଷ ସମୟ ପର୍ଯ୍ୟନ୍ତ ବିଭିନ୍ନ ସାମାଜିକ ,ସାଂସ୍କୃତିକ ଅନୁଷ୍ଠାନ ସହ ଜଡିତ ଥିଲେ ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଥିଲେ । ବିଶେଷ କରି ଭୁବନର ଐତିହାସିକ ପ୍ରସିଦ୍ଧ ଦଶହରା ବଳଦ ଯାତ୍ରାର ସେ ଥିଲେ ମୁଖ୍ୟ ପରିଚାଳକ ଓ ଶାନ୍ତି କମିଟି ମୁଖ୍ୟ । ଯାହାଙ୍କ ନେତୃତ୍ୱକୁ ସାରା ଭୁବନବାସୀ ଗ୍ରହଣ କରୁଥିଲେ, ସମ୍ମାନ କରୁଥିଲେ ଓ ତାଙ୍କ ଇଶାରାରେ ଯାତ୍ରା ପରିଚାଳନା ହେଉଥିଲା । ଚଳିତ ବର୍ଷ ଦଶହରା ବଳଦ ଯାତ୍ରା ଥିଲା ତାଙ୍କର ଶେଷ ଯାତ୍ରା । ସମସ୍ତଙ୍କୁ ପର କରି ବୁଲା ବେହେରା ହଠାତ ପରଲୋକ ଗମନ କରିବା ଥିଲା ଭୁବନ ବାସୀଙ୍କ ପାଇଁ ଦାରୁଣ ଦୁଃଖ ଦାୟକ । ତାଙ୍କ ଅବଦାନ ଓ ବିଭିନ୍ନ କାର୍ଯ୍ୟରେ ଯୋଗଦାନ ଅବିସ୍ମରଣୀୟ ହୋଇ ରହିବ । ସ୍ୱର୍ଗତ ବୁଲା ବେହେରା ଙ୍କ ସମ୍ମାନାର୍ଥେ ଭୁବନର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ କରାଯାଇଥିଲା । ବୁଦ୍ଧେଶ୍ୱର ମନ୍ଦିର ନିକଟସ୍ଥ ଶ୍ମଶାନରେ ଅନ୍ତେଷ୍ଟି କ୍ରିୟା କରାଯାଇଥିଲା ।

ସାଂସଦ ମହେଶ ସାହୁ ଙ୍କ ଶୋକ

ଢେଙ୍କାନାଳ ସାଂସଦ ମହେଶ ସାହୁ ବୁଲା ବେହେରା ଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରି କହିଥିଲେ ଯେ , ଭୁବନର ଦୀପ ଲିଭିଗଲା । ବୁଲା ବାବୁ ଙ୍କ ବିୟୋଗ ଭୁବନ ପାଇଁ ଅପୂରଣୀୟ କ୍ଷତି । ତାଙ୍କ ପରି ଜଣେ ମହାନ ବ୍ୟକ୍ତି ଆଉ କେବେ ଭୁବନ ମାଟିରେ ଜନ୍ମ ହେବେ କି ନାହିଁ ସନ୍ଦେହ । ବୁଲା ବାବୁ ଦଳ ,ମତ ନିର୍ବିଶେଷରେ ସମସ୍ତଙ୍କର ଅତି ପ୍ରିୟ ଥିଲେ । ରାଜନୀତିରେ ନଥାଇ ମଧ୍ୟ ଜଣେ ରାଜନେତାଙ୍କ ଠାରୁ ସେ ଅଧିକ ଥିଲେ , ଯାହାକି ଆଜି ତାଙ୍କ ଶବ ଶୋଭାଯାତ୍ରା ପ୍ରମାଣ କରୁଛି । ଏଭଳି ମହାନ ବ୍ୟକ୍ତି , ଆଦର୍ଶ ପୁରୁଷ ଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ଓ ଭୁବନବାସୀ ଙ୍କୁ ସମବେଦନା ଜଣାଉଛି ।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଶୋକ

କେନ୍ଦ୍ର ଶିକ୍ଷା ,ଦକ୍ଷତା ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଏକ ଶୋକ ବାର୍ତା ରେ ପ୍ରକାଶ କରିଛନ୍ତି ଯେ , ଢେଙ୍କାନାଳ ଜିଲ୍ଲା ଭୁବନ ଅଂଚଳର ବିଶିଷ୍ଟ ସମାଜସେବୀ ବାସୁଦେବ ବେହେରା ଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ । ସ୍ୱର୍ଗତ ବେହେରା ଦୀର୍ଘ ଦିନ ଧରି ସ୍ଥାନୀୟ ଅଂଚଳର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂଗଠନ ସହ ଜଡିତ ଥିଲେ । ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି ।

ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଙ୍କ ଶୋକ

କାମାକ୍ଷାନଗର ବିଧାୟକ ତଥା ରାଜ୍ୟ ଖଣି , ଇସ୍ପାତ ଓ ପୂର୍ତ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ ଏକ ଶୋକ ବାର୍ତାରେ ପ୍ରକାଶ କରିଛନ୍ତି ଯେ , ଭୁବନ ଅଂଚଳର ବିଶିଷ୍ଟ ବ୍ୟକ୍ତି ତଥା କାପୁଡିଆ ସମାଜର ରାଜ୍ୟ ସଭାପତି ବିଜୁ ଜନତା ଦଳର ବରିଷ୍ଟ ସଦସ୍ୟ ଶ୍ରୀ ବାସୁଦେବ ବେହେରା ମୃତ୍ୟୁ ବରଣ କରିଛନ୍ତି, ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ସଦସ୍ୟ ଙ୍କ ପ୍ରତି ମୋର ସମବେଦନା ଜଣାଇବା ସହତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି ।

Leave a Reply

Your email address will not be published.