ଭୁବନେଶ୍ୱର, ୨୧/୧୦/୨୦୨୨(ଓଡ଼ିଶା ସମାଚାର)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ୧୪.୭୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ୯ ଟି ପ୍ରକଳ୍ପର ଶୁଭ ଉଦଘାଟନ ଶୁକ୍ରବାର ହେବାକୁ ଯାଉଛି। ଏଥି ସହ ମୁଖ୍ୟମନ୍ତ୍ରୀ ୩୩.୬୮ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ୯ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ସେହିପରି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଲୋଗୋ ଉନ୍ମୋଚନ ସହିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ପର୍ଯ୍ୟାଲୋଚନା ନିମନ୍ତେ ପରିଷଦ ଦ୍ୱାରା ପ୍ରସ୍ତୁତ ଏକ ମନିଟରିଂ ଆପ୍ଲିକେଲିକେସନ୍ ର ଶୁଭାରମ୍ଭ ହେବାକୁ ଯାଉଛି।
ବରଗଡ଼ ଜିଲ୍ଲାର ପଦ୍ମପୁରସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷ, ବଲାଙ୍ଗିର ଜିଲ୍ଲାର ସଦର ମହକୁମାଠାରେ ଏକ କଲ୍ୟାଣ ମଣ୍ଡପ ଓ ଟିଟିଲାଗଡ଼ ବାଳକ ଉଚ୍ଚ ବିଦ୍ୟାଳୟର ଏକାଡେମିକ୍ ବ୍ଲକ, ବୌଦ୍ଧ ଜିଲ୍ଲା ସଂଗ୍ରହାଳୟର ସମ୍ପ୍ରସାରଣ, ଦେବଗଡ଼ ଜିଲ୍ଲାର ସାଂସ୍କୃତିକ ପ୍ରେକ୍ଷାଳୟ ତଥା କ୍ରୀଡ଼ା କକ୍ଷ, ଝାରସୁଗୁଡ଼ା ଜିଲ୍ଲାର ମରାକୁଟାଠାରେ କହ୍ନେଇନାଳ ଉପରେ ପୋଲ, କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଟାଉନ୍ ହଲ ଓ ଜୁନାଗଡ଼ ଏନଏସିଠାରେ ବିକାଶ ପରିଷଦ ଷ୍ଟାଡିୟମ୍ ଓ ନୂଆପଡ଼ା ଜିଲ୍ଲାର କୋମନାଠାରେ ମାଣ୍ଡିଆ ଆଦି ଶସ୍ୟର ପ୍ରକ୍ରିୟାକରଣ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ। ଅନୁରୂପ ଭାବେ ବରଗଡ଼ ଜିଲ୍ଲାର ଡେବ୍ରିଗଡ଼ ଅଭୟାରଣ୍ୟ ସନ୍ନିକଟ ବାରବଖରା ଜଳପ୍ରପାତ ଓ ଗୁମ୍ଫା ନିକଟରେ ଇକୋ ପର୍ଯ୍ୟଟନ ସ୍ଥଳୀର ବିକାଶ, ବରଗଡ଼ ସହରରେ ଏକ ପାଞ୍ଚଶହ ଆସନବିଶିଷ୍ଟ ପ୍ରେକ୍ଷାଳୟ, ପଦ୍ମପୁରଠାରେ ବଡ଼ବନ୍ଧର ପୁନରୁଦ୍ଧାର, ସୌନ୍ଦର୍ଯ୍ୟକରଣ ଓ ଆଲୋକୀକରଣ,ସହରର ବିକାଶ ବିଦ୍ୟାଳୟଠାରୁ ହଳଦୀପାଲି ଛକ ପର୍ଯ୍ୟନ୍ତ ସିମେଣ୍ଟ କଂକ୍ରିଟ ଡ୍ରେନ୍ , ବଲାଙ୍ଗିର ସହରରେ ଏକ ୫୦୦ ଆସନବିଶିଷ୍ଟ ପ୍ରେକ୍ଷାଳୟ, ବୌଦ୍ଧ ଜିଲ୍ଲା ବୀରନରସିଂହପୁରଠାରେ ବିକାଶ ପରିଷଦର ଇକୋ ପାର୍କ, କଳାହାହାଣ୍ଡି ଜିଲ୍ଲାର ବିଶ୍ୱନାଥପୁରଠାରେ କଲ୍ୟାଣ ମଣ୍ଡପ, ସମ୍ୱଲପୁର ଜିଲ୍ଲାର କୁଚିଣ୍ଡାଠାରେ ମୁକୁଣ୍ଡି ଷ୍ଟାଡ଼ିୟିମ୍ ର ଉନ୍ନତିକରଣ ଓ ସୁବର୍ଣ୍ଣପୁର ଜିଲ୍ଲାର ସୋନପୁରଠାରେ ହସ୍ତତନ୍ତ ମଲ୍ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ବୋଲି ଜଣାପଡ଼ିଛି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଦ୍ୱାରା ଆଧୁନିକ ଅଡିଟୋରିୟମ୍ , କଲ୍ୟାଣ ମଣ୍ଡପ, ଗୋଷ୍ଠୀ କେନ୍ଦ୍ର, ଖେଳପଡ଼ିଆର ଉନ୍ନତିକରଣ, ରାସ୍ତା ଆଦିର ଉନ୍ନତିକରଣକୁ ପ୍ରାଥମିକତା ଦିଆଯାଉଛି।