ଗରଦପୁର, ୨୧/୧୦/୨୦୨୨(ଓଡ଼ିଶା ସମାଚାର)- ମହାନଦୀ ଅବ ବାହିକାରେ ଏହାର ଶାଖା ନଦୀ ଭାବରେ ଚିତ୍ରୋତ୍ପଳା ନଦୀ ରହିଛି । ନେମାଳ ପାଖରୁ ଲୁଣା ନଦୀରୁ ଅଲଗା ହୋଇ ସର୍ପିଳ ଗତିରେ ଅଙ୍କା ବଙ୍କା ହୋଇ ଦୀର୍ଘ ୪୦ କିମି ପ୍ରବାହିତ ହେବା ପରେ ମାର୍ଶାଘାଇ ବ୍ଲକ୍ କୁଆଁରପାଳ ଠାରେ ପୁଣି ଲୁଣା ନଦୀ ସହିତ ମିଶିଛି । ଏହି ଚିତ୍ରୋତ୍ପଳା ନଦୀର ଜଳସ୍ତର ବର୍ଷା ଦିନ ପରେ ପରେ ଖୁବ କମି ଯାଉଛି । ଏକଦା ଚିରସ୍ରୋତା ଥିବା ଏହି ନଦୀ ଏବେ ଅଧା ମୃତ କହିଲେ ଅତ୍ୟୁକ୍ତି ହେବ ନାହିଁ । ୪୦ କିମି ରୁ ୧୫ କିମି ତଳୁ – କୁଆଁରପାଳ ଠାରେ ମଦନା ନଇନ୍ଦିପୁର ପର୍ଯ୍ୟନ୍ତ ନଦୀରେ ଜୁଆର ଓ ଭଟା ଆସି ନଦୀଟି ଚିରସ୍ରୋତା ରହୁଛି ହେଲେ ଅବଶିଷ୍ଟ ୨୫ କିମି ନଦୀ ଗରଦପୁର ଠାରୁ ନେମାଳ ପର୍ଯ୍ୟନ୍ତ ଏହାର ଜଳସ୍ତର ଖଣ୍ଡିତ ହୋଇ ଯାଉଛି । ଠାଏ ଠାଏ ଜଳ ରହୁଛି ତ ଠାଏ ଠାଏ ନଦୀ ଶୁଖିଲା ପଡ଼ୁଛି । ନଦୀ ରେ ବିସ୍ତିର୍ଣ୍ଣ ବାଲୁକା ରାଶି ସୃଷ୍ଟି ହେଉଛି । ଫଳରେ ନଦୀ କୂଳ ଗ୍ରାମବାସୀମାନେ ଜଳକଷ୍ଟ ଭୋଗିବା ସହିତ ଚାଷ ବାସ ପାଇଁ ମଧ୍ୟ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଚିତ୍ରୋତ୍ପଳା ନଦୀର ଜଳ ସ୍ତର ଏବେ ସର୍ଭେ କରାଯାଉଛି । ଜଳସମ୍ପଦ ବିଭାଗ ର ପ୍ରୋତ୍ସାହନରେ ଭୁବନେଶ୍ୱରସ୍ଥିତ ମହାଲକ୍ଷ୍ମୀ ସର୍ଭେ ଏଜେନ୍ସି ଦ୍ୱାରା ଏହି ସର୍ଭେ କାର୍ଯ୍ୟ ଗତ ସପ୍ତାହେ ହେଲା ଚାଲିଛି । ଏହି ଏଜେନ୍ସିର ଟେକନିସିଆନ ମାନେ ୪୦ କିମି ବ୍ୟାପି ଏହି ନଦୀର ବିଭିନ୍ନ ସ୍ଥାନରେ ସର୍ଭେ କରୁଛନ୍ତି । ଆଜି ପାଟକୁରା ଠାରେ ରାଜସ୍ଥାନ ନିବାସୀ ଗୋପାଳ କୁମାର ନାମକ ଟେକନିସିଆନ୍ ନଦୀ ର ଜଳସ୍ତର ସର୍ଭେ କରିଛନ୍ତି । ନଦୀର ଜଳ ସ୍ତର ଅତଡ଼ା ଠାରୁ କେତେ ତଳେ ରହିଛି , କେଉଁଠି ନଦୀର କୂଳ ଅତଡ଼ା ଧସିଛି, କେଉଁଠି ନଦୀ ଗର୍ଭରେ କେତେ ବାଲି ସ୍ତର ଜମିଛି ଆଦି ସମ୍ପର୍କରେ ସର୍ଭେ କରାଯାଉଥିବା ଜଣାପଡ଼ିଛି ।