ଭୁବନେଶ୍ୱର ୨୦/୧୦/୨୦୨୨(ଓଡ଼ିଶା ସମାଚାର)-୭ ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଦେଲେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର। ସମ୍ଭାବ୍ୟ ବାତ୍ୟା ପାଇଁ ୭ ଉପକୂଳବର୍ତ୍ତି ଜିଲ୍ଲା ଯଥା ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ସମସ୍ତ ପରିସ୍ଥିତିର ମୁକାବିଲା କରିବା ପାଇଁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା।
ଉତ୍ତର-ଆଣ୍ଡାମାନ ସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଆସନ୍ତା ୨୪ ଘଣ୍ଟା ଭିତରେ ଏହା ଦକ୍ଷିଣ-ପୂର୍ବ ପାର୍ଶ୍ୱବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବା ସହ ପରବର୍ତ୍ତୀ ୪୮ ଘଣ୍ଟାରେ ଅବପାତ ଆହୁରି ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ବାତ୍ୟାର ଗତିପଥକୁ ନେଇ ପାଣିପାଗ ବିଭାଗ କୌଣସି ସ୍ପଷ୍ଟ ଆକଳନ କରିନାହିଁ। ସେପଟେ ବିଭିନ୍ନ ପାଣିପାଗ ମଡେଲ୍ ଭିନ୍ନ ଭିନ୍ନ ଆକଳନ କରିଛନ୍ତି। ଇସିଏମଡବ୍ଲୁଏଫ୍ ଆକଳନ ଅନୁଯାୟୀ ବାତ୍ୟା ଆସନ୍ତା ୨୫ ତାରିଖରେ ପାରାଦ୍ୱୀପ, ଚାନ୍ଦବାଲି, ବାଲେଶ୍ୱରରେ ପ୍ରଭାବ ପକାଇପାରେ। ଜିଏଫ୍ଏସ୍ ମଡେଲ ମଧ୍ୟ ସମାନ ଆକଳନ କରିଛି। ତେବେ ଆଇଏମଡି ଏହାକୁ ନେଇ କୌଣସି ଆକଳନ କରିନାହିଁ। ଲଘୁଚାପ କ୍ଷେତ୍ର ସୃଷ୍ଟି ପରେ ଏଥିରେ ସ୍ପଷ୍ଟତା ଆସିପାରେ ବୋଲି ପାଣିପାଗ ବିଭାଗ କହିଛି। ବାତ୍ୟା ପଶ୍ଚିମବଙ୍ଗର ଦିଘାଠାରୁ ବାଂଲାଦେଶର ପଥର ଘାଟ ମଧ୍ୟରେ ସ୍ଥଳଭାଗ ଛୁଇଁବା ନେଇ କିଛି ମଡେଲ୍ ଦର୍ଶାଇଛନ୍ତି। ଆଇଏମଡି ଜିଏଫଏକ୍ସ ମଡେଲ ଅନୁଯାୟୀ ୨୮ ତାରିଖ ବେଳକୁ ଓଡ଼ିଶାରେ ସ୍ଥଳ ଭାଗ ଛୁଇଁବା ନେଇ ଆକଳନ କରାଯାଇଛି।