୫ହଜାର ଆମ୍ବୁଲାନ୍ସ ସେବା ପାଇଁ ଉପଲବ୍ଧ ହେବ
ଭୁବନେଶ୍ୱର, ୨୦/୧୦/୨୦୨୨(ଓଡ଼ିଶା ସମାଚାର)-ଏଣିକି ରାଜ୍ୟରେ ରୋଗୀଙ୍କୁ ଆମ୍ବୁଲାନ୍ସ ଅଭାବ ପଡ଼ିବନି। ସରକାରୀ ଆମ୍ବୁଲାନ୍ସ ନମିଳିଲେ ବି ତୁରନ୍ତ ଘରୋଇ ଆମ୍ବୁଲାନ୍ସ ମିଳିଯିବ। ଏପରିକି ଲୋକଙ୍କର ଘରୋଇ ହସ୍ପିଟାଲର ଶୋଷଣ ଅଭିଯୋଗ ଆଉ ରହିବନି। ଏଥିପାଇଁ ରାଜ୍ୟ ସରକାର ଆମ୍ବୁଲାନ୍ସ ମ୍ୟାପିଂ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏଥିରେ ରାଜ୍ୟର ପ୍ରାୟ ୫ହଜାର ଆମ୍ବୁଲାନ୍ସ ରହିଛି। ଆଉ ଲୋକ ୧୦୮ ଆମ୍ବୁଲାନ୍ସ ପାଇଁ ୧୦୮ ନମ୍ବର, ଘରୋଇ ଆମ୍ବୁଲାନ୍ସ ପାଇଁ ବିଭିନ୍ନ ମୋବାଇଲ୍ ନମ୍ବରରେ କଲ୍ କରିବାକୁ ପଡ଼ିବନି। ଆମ୍ବୁଲାନ୍ସ ଦରକାର ହେଲେ କେବଳ ୧୦୮ରେ କଲ୍ କରିବେ। ଆଉ ଘରେ/ହସ୍ପିଟାଲରେ ଆମ୍ବୁଲାନ୍ସ ପହଞ୍ଚିଯିବ। ମିଳିଥିବା ସୂଚନା ଅନୁଯାୟୀ, ସରକାରୀ ଏବଂ ଘରୋଇ ଆମ୍ବୁଲାନ୍ସକୁ ମିଶାଇ ଗୋଟିଏ ସ୍ଥାନରୁ ନିୟନ୍ତ୍ରଣ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ କାର୍ଯ୍ୟ ଶେଷ ହୋଇଛି। କେଉଁ ସଂସ୍ଥା ଏହାକୁ ପରିଚାଳନା କରିବ ତା’ର ଟେଣ୍ଡର ପ୍ରକ୍ରିୟା ବି ଶେଷ ହୋଇଛି। ହେଲେ ସରକାରଙ୍କ ଦ୍ବାରା କିଲୋମିଟର ପିଛା ଧାର୍ଯ୍ୟ ମୂଲ୍ୟ ଅନୁଯାୟୀ ଲୋକ ଘରୋଇ ଆମ୍ବୁଲାନ୍ସ ଭଡ଼ା ଦେବେ କି ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ ସେନେଇ କିଛି ନିଷ୍ପତ୍ତି ହୋଇପାରିନଥିବାରୁ ଏନେଇ କିଛି ଘୋଷଣା ହୋଇନି। କିନ୍ତୁ ଖୁବ୍ ଶୀଘ୍ର ରାଜ୍ୟ ସରକାର ଏନେଇ ବଡ଼ ଘୋଷଣା କରିବେ ବୋଲି ଜଣାପଡ଼ିଛି।
ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଏବେ ରାଜ୍ୟର କୋଣ ଅନୁକୋଣରେ ଆମ୍ବୁଲାନ୍ସ ପହଞ୍ଚାଇବା ପାଇଁ ପ୍ରାୟ ୫ହଜାର ଆମ୍ବୁଲାନ୍ସକୁ ମ୍ୟାପିଂ କରାଯାଇଛି। ଏହାକୁ ଗୋଟିଏ କଣ୍ଟ୍ରୋଲ ରୁମ୍ରୁ ନିୟନ୍ତ୍ରଣ କରାଯିବ। ଲୋକ ୧୦୮ରେ ଫୋନ୍ କଲେ ତାଙ୍କୁ ନିକଟସ୍ଥ କେନ୍ଦ୍ରରୁ ଆମ୍ବୁଲାନ୍ସ ଯୋଗାଇ ଦିଆଯିବ।