Wednesday , May 31 2023
Breaking News
Home / ବିଶେଷ / ବଲାଙ୍ଗୀରରେ ହାଇକୋର୍ଟ ବେଞ୍ଚ ପୁନଃସ୍ଥାପନ ଦାବିରେ ବନ୍ଦ ଆନ୍ଦୋଳନ

ବଲାଙ୍ଗୀରରେ ହାଇକୋର୍ଟ ବେଞ୍ଚ ପୁନଃସ୍ଥାପନ ଦାବିରେ ବନ୍ଦ ଆନ୍ଦୋଳନ

ବଲାଙ୍ଗୀର, ୨୦/୧୦/୨୦୨୨(ଓଡ଼ିଶା ସମାଚାର)- ବଲାଙ୍ଗୀରରେ ହାଇକୋର୍ଟ ବେଞ୍ଚ ପୁନଃସ୍ଥାପନ ଦାବିରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ବଲାଙ୍ଗୀରରେ ସମସ୍ତ ସରକାରୀ ଓ ବେସରକାରୀ ଅଫିସକୁ ବନ୍ଦ କରାଯାଇଛି। ଏପରିକି ବ୍ୟାଙ୍କ ଓ ଡାକଘର ସମେତ ବିଭିନ୍ନ ପ୍ରତିଷ୍ଠାନ ବନ୍ଦ ରହିଛି। ତେବେ ଦୋକାନ ବଜାର ଖୋଲା ରହିଛି।ଏଠାରେ ଯାନବାହାନ ଚଳାଚଳ ସ୍ବାଭାବିକ ରହିଛି। ସ୍କୁଲ କଲେଜକୁ ବନ୍ଦରୁ ମଧ୍ୟ ବାଦ୍ ଦିଆଯାଇଛି। ଆଜି ସକାଳେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିଭିନ୍ନ ସ୍ଥାନରେ ପିକେଟିଂ କରାଯାଇଥିଲା। ଏହାପରେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଧାରଣା ଦିଆଯାଇଛି। ଏହି ଆନ୍ଦୋଳନକୁ ବିଭିନ୍ନ ସଂଗଠନର ମଧ୍ୟ ସମର୍ଥନ ମିଳିଛି।
ଉଲ୍ଲେଖଯୋଗ୍ୟ ଯେ, ଗତ ୧୯୫୯ ମସିହାରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ପାଇଁ ମୂଳଦୂଆ ପଡ଼ିଥିଲା। ହେଲେ, ହାଇକୋର୍ଟ ବେଞ୍ଚ୍ ସ୍ଥାପନକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ରାଜନୈତିକ ଖେଳ ଚାଲିଛି। ୨୦୦୮ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ସ୍ଥାପନ ସଂପର୍କରେ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ପତ୍ର ଦେଇଥିଲେ। ହାଇକୋର୍ଟ ମୁଖ୍ୟ ବିଚାରପତି କିନ୍ତୁ ଏନେଇ ମନା କରିବାପରେ ୧୧ ମାର୍ଚ ୨୦୦୮ରେ ସରକାରଙ୍କ ପାଲ୍ କମିଶନ ଗଠନ କରିଥିଲେ। ଗତ ୨୮ ସେପ୍ଟେମ୍ବର ୨୦୧୩ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟରେ ସ୍ଥାୟୀ ବେଞ୍ଚ ସ୍ଥାପନ ସକାଶେ ତତ୍କାଳୀନ କେନ୍ଦ୍ରର ୟୁପିଏ ସରକାରଙ୍କୁ ଚିଠି ଲେଖିଥିଲେ। ୟୁପିଏ ସରକାର ସମୟରେ ତତ୍କାଳୀନ କେନ୍ଦ୍ର ଆଇନ ମନ୍ତ୍ରୀ ପୁଣି ଓଡ଼ିଶା ସରକାରଙ୍କୁ ପତ୍ର ଲେଖି ହାଇକୋର୍ଟର ସ୍ଥାପନ ପାଇଁ ଭିତ୍ତିଭୂମି ସଂପର୍କରେ ବିସ୍ତୃତ ତଥ୍ୟ ମାଗିଥିଲେ। ଇତିମଧ୍ୟରେ ଏଭଳି ଅନେକ ଥର କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଚିଠି ଦିଆନିଆ ହେଲାଣି।କିନ୍ତୁ ହାଇକୋର୍ଟ ବେଞ୍ଚ ପୁନଃସ୍ଥାପନ ନେଇ କୌଣସି ସୁଫଳ ମିଳିପାରିନାହିଁ ।

Leave a Reply

Your email address will not be published.